ମୁମ୍ବାଇ: ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟା ମାମଲା ମନରୁ ନଲିଭୁଣୁ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ନିଜ ଲିଭ୍-ଇନ୍ ପାର୍ଟନରଙ୍କୁ ଶ୍ରଦ୍ଧାଙ୍କ ଭଳି ହତ୍ୟା କରିବାକୁ ଧମକ ଦେଇଛନ୍ତି । ମହାରାଷ୍ଟ୍ର ଧୁଲେର ଏହି ମହିଳା ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି । ଲିଭ୍-ଇନ୍ ପାର୍ଟନର ଅରଶଦ୍ ସଲିମ୍ ମଲ୍ଲିକ ତାଙ୍କୁ ହଇରାଣ କରିବା ସହ ୭୦ ଖଣ୍ଡ କରିବା ପାଇଁ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଯଦି ସେ ତାଙ୍କ ଇଚ୍ଛା ବିରୋଧରେ ଯାଆନ୍ତି ତା’ହେଲେ ସେ ଏଭଳି କରିବେ ବୋଲି ଅରଶଦ୍ ଧମକ ଦେଇଛନ୍ତି । ଲିଭ୍-ଇନ୍ ପାର୍ଟନର ଅରଶଦ୍ଙ୍କ ବିରୋଧରେ ସମ୍ପୃକ୍ତ ମହିଳା ନଭେମ୍ବର ୨୯ରେ ପୋଲିସରେ ଅଭିଯୋଗ କରିଥିଲେ । ୨୦୨୧, ଜୁଲାଇରୁ ସେମାନେ ଲିଭ୍-ଇନ୍ରେ ରହୁଥିଲେ । ଉକ୍ତ ମହିଳାଙ୍କ କହିବା ଅନୁସାରେ, ପୂର୍ବରୁ ସେ ବିବାହ କରିଥିଲେ । ହେଲେ ୨୦୧୯ରେ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା ।
ସେମାନଙ୍କର ଏକ ସନ୍ତାନ ମଧ୍ୟ ଅଛି । ଏହାପରେ ହର୍ଷଲ ମାଲି ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଦେଖା ହୋଇଥିଲା । ହର୍ଷଲ ତାଙ୍କୁ ଧୁଲେ ଅଞ୍ଚଳରେ ଥିବା ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଭିଡିଓ କରି ପରେ ହର୍ଷଲ ତାଙ୍କୁ ଧମକ ଦେଇଥିଲେ । ଶେଷରେ ଉଭୟ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ୨୦୨୧, ଜୁଲାଇରେ ଅମଲନରକୁ ଯାଇଥିଲେ । ଲିଭ୍-ଇନ୍ରେ ରହିବା ପାଇଁ ସେଠାରେ ସେମାନେ ଏକ ଆଫିଡେଭିଟ୍ କରିଥିଲେ । ଏହି ସମୟରେ ମହିଳା ଜଣକ ଜାଣିବାକୁ ପାଇଥିଲେ ଯେ, ପ୍ରକୃତରେ ତାଙ୍କ ନାଁ ହର୍ଷଲ ମାଲି ନୁହେଁ ବରଂ ଅରଶଦ୍ ସଲିମ୍ ମଲ୍ଲିକ । ଅରଶଦ୍ ମହିଳାଙ୍କୁ ନେଇ ଓସ୍ମାନାବାଦ ସ୍ଥିତ ଏକ ଫ୍ଲାଟ୍ରେ ରଖିଥିଲେ ।
ଖାଲି ଏତିକି ନୁହେଁ ଅରଶଦ୍ ବଳପୂର୍ବକ ଭାବେ ତାଙ୍କର ଧର୍ମ ପରିବର୍ତ୍ତନ କରିଥିବା ମହିଳା ଅଭିଯୋଗ କରିଛନ୍ତି । ୪ ମାସ ପରେ ଅରଶଦ୍ ଧୁଲେ ସ୍ଥିତ ଏକ ଘରକୁ ନେଇଥିଲେ ଓ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରିବାରୁ ଅରଶଦ୍ ସାଇଲେନ୍ସର ପାଇପ୍ ତାଙ୍କ ଶରୀରରେ ଲଗାଇ ଦେଇଥିଲେ । ଖାଲି ଏତିକି ନୁହେଁ ଶ୍ରଦ୍ଧାଙ୍କ ଭଳି ତାଙ୍କର ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ । ଧମକ ଦେଇ ସେ କହିଥିଲେ- ‘ଶ୍ରଦ୍ଧା ୩୫ ଖଣ୍ଡ ହୋଇଥିଲା, ତତେ ମୁଁ ୭୦ ଖଣ୍ଡ କରିବି’ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଅରଶଦ୍ଙ୍କ ବିରୋଧରେ ମାମଲା ରୁଜୁ କରିଛି ।