ବେଙ୍ଗାଲୁରୁ : ବେଙ୍ଗାଲୁରୁର ୪୮ ଘରୋଇ ସ୍କୁଲ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହି ଧମକ ଶୁକ୍ରବାର ଏକାଠି ସମସ୍ତ ସ୍କୁଲ୍କୁ ଇ-ମେଲ୍ ଜରିଆରେ ଦିଆଯାଇଥିଲା । ସ୍କୁଲ ଭିତରେ ବୋମା ଥିବା ଏହି ଇ-ମେଲ୍ରେ ଦାବି କରାଯାଇଥିଲା । ଇ-କେଲ୍ ପାଇବା ପରେ ସ୍କୁଲ୍ ପ୍ରଶାସନ ତୁରନ୍ତ ପୁଲିସ୍କୁ ଏହାର ସୂଚନା ଦେଇଥିଲେ । ପୁଲିସ ସ୍କୁଲଗୁଡ଼ିକରୁ ଛାତ୍ର ଏବଂ ଷ୍ଟାଫ୍ଙ୍କ ବାହାର କରିବା ସହିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ଓ ଆଣ୍ଟି ସାବୋଟେଜ୍ ଟିମ୍ ମଧ୍ୟ ପହଞ୍ଚିଥିଲେ । ସର୍ଚ୍ଚ ଅପରେସନ୍ରେ ପୁଲିସକୁ କୌଣିସ ସ୍କୁଲ୍ରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିଲା ।
ଏହି ମାମଲାରେ ପୁଲିସ୍ ପକ୍ଷରୁ ଏଫ୍ଆଇଆର୍ ରୁଜୁ କରାଯାଇଛି । ବୋମା ସୂଚନା ପାଇବା ପରେ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଏବଂ ନିଜ ନିଜର ପୁଅ ଝିଅଙ୍କୁ ନେବା ପାଇଁ ସ୍କୁଲ୍ ନିକଟରେ ଭିଡ଼ ଜମାଇଥିଲେ । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଇ-ମେଲ୍କୁ ଗୁଜବ ବୋଲି କହିଛନ୍ତି । ସେ କହିଛନ୍ତି- ଚିନ୍ତା କରିବାର ଆବଶ୍ୟକତା ନାହିଁ, ୨୪ ଘଣ୍ଟା ମଧ୍ୟରେ ଆମେ ଅଭିଯୁକ୍ତଙ୍କୁ ଧରିନେବୁ ।