ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟେଷ୍ଟ ଗୋଟିଏ ପାଦ ଆଗରେ ରହିଛି ଟିମ ଇଣ୍ଡିଆ । ୪ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ରୋହିତ ସେନା । ତେବେ ଆସନ୍ତା ୧୭ ତାରିଖରୁ ଦିଲ୍ଲୀର ଫିରୋଜଶାହ କୋଟଲାରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହି ମ୍ୟାଚରେ ବିଜୟ ଆଶାରେ ଭାରତୀୟ ଟିମରେ ଏକ ବଡ ପରିବର୍ତ୍ତନ ହୋଇପାରେ । ଦଳରୁ ବାଦ ପଡି ପାରନ୍ତି ଷ୍ଟାର ଓପନର କେ.ଏଲ ରାହୁଲ ।
ଲଗାତାର ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ରାହୁଲ ଦ୍ୱିତୀୟ ଟେଷ୍ଟରେ ବାଦ ପଡିବା ନେଇ ଚର୍ଚ୍ଚା ହେଉଛି । ପ୍ରଥମ ମ୍ୟାଚରେ ଦଳ ରାହୁଲଙ୍କ ବ୍ୟାଟରୁ ଏକ ବଡ ପାଳି ଆଶା କରୁଥିଲା । କିନ୍ତୁ ରାହୁଲ ଏଥିରେ ଫେଲ ମାରିଥିଲେ ଏବଂ ମାତ୍ର ୨୦ ରନ କରି ପାଭିଲିୟନ ଫେରିଥିଲେ । ତେବେ କେବଳ ଏହି ମ୍ୟାଚ ନୁହେଁ, ଗତ କିଛି ମ୍ୟାଚରେ େ ବିଫଳ ହୋଇ ଚାଲିଛନ୍ତି । ତେଣୁ ଦ୍ୱିତୀୟ ଟେଷ୍ଟରେ ରୋହିତ ତାଙ୍କର ବିକଳ୍ପ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ବୋଲି ଅନୁୁମାନ କରାଯାଉଛି ।
ରାହୁଲଙ୍କ ବିକଳ୍ପ ଭାବରେ ୨ଜଣ ଖେଳାଳି ଦଳରେ ସାମିଲ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଶାନ କିଶାନଙ୍କୁ ସୁଯୋଗ ମିଳିଛି । ତେଣୁ ରାହୁଲଙ୍କୁ ଦଳରୁ ବାଦ ଦିଆଗଲେ ଇଶାନ କିଶାନ ଅନ୍ୟତମ ଓପନର ଭାବେ ଦଳରେ ସୁଯୋଗ ପାଇପାରନ୍ତି । ଏହାବ୍ୟତୀତ ଷ୍ଟାର ଓପନର ଶୁଭମନ ଗିଲ ମଧ୍ୟ ଦଳରେ ଅଛନ୍ତି । ଶ୍ରୀକର ଭରତ ଦଳରେ ୱିକେଟ କିପିଙ୍ଗର ଦାୟିତ୍ୱ ନେଇଥିବା ବେଳେ ଶୁଭମନଙ୍କ ପାଇଁ ଦଳକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ବର୍ତ୍ତମାନ ସେ ଦମଦାର ଫର୍ମରେ ଥିବା ଗତ କିଛିଟା ମ୍ୟାଚରେ ପ୍ରମାଣ କରିସାରିଛନ୍ତି ।