ଲକ୍ଷ୍ନୌ: କୁହାଯାଏ, ଟଙ୍କା ପାଇଁ ଏ ମଣିଷ କିଛି ବି କରିପାରେ । ଟଙ୍କା ପାଇଁ ଏଠି ନିଜ ବାପାର ସ୍ତ୍ରୀ ସାଜିଲା ଝିଅ । ଉତ୍ତରପ୍ରଦେଶରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ଝିଅ ଟଙ୍କା ପାଇଁ ବାପାର ସ୍ତ୍ରୀ ଭୂମିକା ନିଭାଇବାକୁ ବି ପଛାଇ ନାହିଁ । ଉତ୍ତର ପ୍ରଦେଶର ଆଲିଗଡ଼ରେ ଦେଖିବାକୁ ମିଳିଛି ଏପରି ଘଟଣା । ବାପା ଚାଲିଯିବା ପରେ ନିଜକୁ ତାଙ୍କ ପତ୍ନୀ ଭାବେ ଦର୍ଶାଇ ୧୦ ବର୍ଷ ଧରି ପେନସନ୍ ଟଙ୍କା ଉଠାଇ ନେଉଛି ଝିଅ । ସୂଚନା ଅନୁସାରେ, ମୋହସିନା ପରଭେଜ (୩୬)ଙ୍କ ବାପା ୱାଜାହତ ଉଲ୍ଲା ଖାନଙ୍କର ୨ ଜାନୁୟାରୀ ୨୦୧୩ରେ ମୃତ୍ୟୁ ଘଟିଥିଲା ।
ସେ ଉତ୍ତର ପ୍ରଦେଶ ସରକାରରେ ରାଜସ୍ୱ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଅବସର ମଧ୍ୟ ହୋଇ ସାରିଥିଲା । ଏହାପରେ ମୋହସିନା ପିତାଙ୍କ ପେନସନକୁ କିପରି ଉଠାଣ କରିବେ ସେଥିପାଇଁ ଯୋଜନା କରିଥିଲେ । ସେ ନିଜକୁ ତାଙ୍କ ପିତାଙ୍କ ପତ୍ନୀ ଭାବେ ଦର୍ଶାଇ ସମସ୍ତ ଡକ୍ୟୁମେଣ୍ଟ୍ ଯୋଗାଡ଼ କରିଥିଲେ । ରିପୋର୍ଟ ଅନୁସାରେ, ମୋହସିନା ବର୍ତ୍ତମାନ ପର୍ଯ୍ୟନ୍ତ ମାସିକ ୧୦ ହଜାର ହିସାବରେ ୧୨ ଲକ୍ଷ ଟଙ୍କା ପେନସନ୍ ଆଣି ସାରିଛନ୍ତି । ସେ ୨୦୧୭ରେ ଫାରୁକ୍ ଅଲିଙ୍କୁ ବିବାହ କରିଥିଲେ । କିନ୍ତୁ ସେମାନଙ୍କ ସମ୍ପର୍କରେ ଫାଟ ହୋଇଯିବାରୁ ଦୁହେଁ ଅଲଗା ରହୁଥିଲେ ।
ଏ ବାବଦରେ ଫାରୁକ୍ ସବୁ ଜାଣିଥିଲେ । ଗତବର୍ଷ ଏନେଇ ଫାରୁକ୍ ଥାନାରେ ଅଭିଯୋଗ କରିବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଛି । ୨୦୨୨ରେ ଫାରୁକ୍ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଥିଲା । ଆଲିଗଞ୍ଜରେ ଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହସିନା ପେନ୍ସନ୍ ଆବେଦନପତ୍ରରେ ଚତୁରତାର ସହ ତାଙ୍କ ମା’ଙ୍କ ନାମ ଏବଂ ନିଜର ଫଟୋଗ୍ରାଫ୍ ବ୍ୟବହାର କରି ଟଙ୍କା ହଡ଼ପ୍ କରିଛନ୍ତି । ଜଣେ କିରାଣୀ ଏବଂ ଜଣେ କନଷ୍ଟେବଳଙ୍କ ଦ୍ୱାରା ପ୍ରାମାଣିକୃତ ହୋଇଥିବା ଏହି ଆବେଦନ, ଚୂଡ଼ାନ୍ତ କ୍ଲିୟରାନ୍ସ ପାଇଁ ଜିଲ୍ଲା ରାଜକୋଷକୁ ପଠାଯାଇଛି । ଆଲିଗଞ୍ଜ ପୋଲିସ୍ ଷ୍ଟେସନରେ ମୋହସିନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।