ବ୍ରହ୍ମପୁର: ବ୍ରହ୍ମପୁର ସହରବାସିନ୍ଦାଙ୍କୁ ପାନୀୟଜଳ ଯୋଗାଇବା ସହ ଗଞ୍ଜାମ ଜିଲ୍ଳାର ୮ଟି ଅଞ୍ଚଳର ସେଚ ଜଳ ଅଭାବକୁ ପୂରଣ କରିବା ଲକ୍ଷ୍ୟରେ କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ କଙ୍କିଆ ଠାରେ ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗତ କିଛି ମାସ ଧରି ଆରମ୍ଭ ହୋଇଛି । କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ କଙ୍କିଆ ଠାରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ସୂଚନା ଯୋଗ୍ୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ବ୍ରହ୍ମପୁର ସହର ପନୀୟ ଜଳ ସମସ୍ୟାର ସମାଧାନ ପାଇଁ କଙ୍କିଆ ଠାରେ ୧୯୮୬ ମସିହାରେ ଏହାର ପ୍ରଥମ ଥର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପୁଣି ଥରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ଜୁନ ୧୧ ତାରିଖରେ ଏହାର ଭିତ୍ତି ନୂତନ ଭାବେ ସ୍ଥାପନ କରିଥିଲେ ।
ସେତେବେଳେ ପ୍ରକଳ୍ପଟିର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ଭିତରେ ସରିବ ବୋଲି କୁହାଯାଇଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ । ଶେଷରେ ଗତ ୨୦୧୯ ମସିହା ଡିସେମ୍ବର ୩୦ ତାରିଖରେ ଘଟକେଶ୍ୱର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା । ଏହି କାର୍ଯ୍ୟକୁ ଅଞ୍ଚଳର ବିଧାୟକ ତଥା ରାଜ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆରମ୍ଭ କରିଥିଲେ । ଏହି କାର୍ଯ୍ୟ ଚଳିତ ବର୍ଷ ଜୁନ ୨୯ ସୁଦ୍ଧା ସାରିବା ଲକ୍ଷ୍ୟ ରହିଥିଲା । କିନ୍ତୁ ତାହା ବି ହୋଇପାରିଲା ନାହିଁ । ସଂପ୍ରତି କାର୍ଯ୍ୟ ଆରମ୍ଭ ହୋଇଥିବା ପରିଲକ୍ଷିତ ହୋଇଛି । କେବେ ସୁଦ୍ଧା ସାରିବା ଲକ୍ଷ୍ୟ ରଖାଯାଇଛି ତାହା ଜଣାପଡ଼ିନାହିଁ । ବୋଧହୁଏ ସରକାର ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରାଥମିକ ସ୍ତରରେ ୧୯୮୬ ମସିହାରେ ଏହାର ବଜେଟ ୨୯ କୋଟି ଟଙ୍କା ରହିଥିବା ବେଳେ ସଂପ୍ରତି ଏହାର ବଜେଟ ୧୧୩ କେଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଛି ।
ଉଲ୍ଲେଖଯୋଗ୍ୟଯେ, କେରାଣ୍ଡି ମାଳ ପର୍ବତ ମାଳାରୁ ବୋହି ଆସୁଥିବା ଘଡ଼କା ନାଳର ଜଳରାଶିକୁ କଂକ୍ରିଟ ଡ୍ୟାମ ଯୋଗେ ରୋକିବା ସହ ସେହି ଜଳକୁ ବ୍ରହ୍ମପୁର ସହରର ପାନୀୟ ଜଳର ଅଭାବକୁ ପୂରଣ କରିବା ପାଇଁ ବ୍ୟବହୃତ ହେବ । ଏହା ସାଙ୍ଗକୁ ପାଶ୍ୱର୍ବର୍ତ୍ତୀ ୮ଟି ଅଞ୍ଚଳରେ ସେଚ ଜଳ ଅଭାବ ଥିବାରୁ ଜମିକୁ ପାଣି ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ପ୍ରକଳ୍ପଟିର ପ୍ରସ୍ତାବ ଏବଂ ବାସ୍ତବରୂପ ଭିତରେ ୩୫ ବର୍ଷ ବିତିଯାଇଛି । ବହୁ ଘାତ ପ୍ରତିଘାତ ସହି ପ୍ରକଳ୍ପଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ୨୦୧୭-୧୮ ବର୍ଷ ଦୁଇ ଦୁଇ ଥର ଟେଣ୍ଡର ହୋଇ ପୁଣି ବାତିଲ ହୋଇଥିଲା । ପରେ ପରେ ଯେତେବେଳେ କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ କୋଭିଡ ଅନ୍ତରାୟ ସାଜିଲା ବୋଲି କୁହାଗଲା । ପ୍ରକାଶଯୋଗ୍ୟ ଯେ, ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟାରେ ବିସ୍ଥାପିତ ହୋଇଥିବା କୋଇଲିକୁଟ ଗ୍ରାମର ୨୬ଟି ପରିବାରକୁ କଙ୍କିଆ ଠାରେ ଥଇଥାନ କରାଯାଇଛି ।
ସେମାନଙ୍କୁ କ୍ଷତିଭରଣା ଦେବା ପ୍ରକ୍ରିୟା ମଧ୍ୟ ସରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜଣ ପିଛା ପ୍ର୍ରାୟ ୪ ଲକ୍ଷ ଟଙ୍କା ପ୍ରଦାନ କର।।ଯାଇଥିବା ଜଣାପଡ଼ିଛି । ପ୍ରକଳ୍ପ ନିର୍ମାଣ ସ୍ଥଳୀ ଠାରେ ରହିଥିବା ସୁଚନା ଫଳକରେ ଉଲ୍ଳେଖ କରାଯାଇଛି ଯେ କାର୍ଯ୍ୟଟିକୁ ଓଡ଼ିଶା ନିର୍ମାଣ ନିଗମ କରୁଛି । ଏଠାରେ କଂକ୍ରିଟ ଡ୍ୟାମ୍ ସହ ସ୍ପିଲ୍ୱେର ନିର୍ମାଣ ହେବ । ଡ୍ୟାମ୍ର ଦୈର୍ଘ୍ୟ ୨୬୬ମିଟିର ଏବଂ ଉଚ୍ଚତା ୩୮ ମିଟର ରହିବ । ପ୍ରକଳ୍ପ ନିର୍ମାଣ କାର୍ଯର୍୍ୟ ସରିଲେ ବ୍ରହ୍ମପୁର ସହରର ଗୋଷାଣୀ ନୂଆଗାଁ ଅଞ୍ଚଳର ବହୁ ଜନସାଧାରଣ ପାନୀୟ ଜଳ ପାଇବେ। ପ୍ରକଳ୍ପ ଯୋଗେ ନିର୍ଦିଷ୍ଟ ଭାବେ କେଉଁ ଅଞ୍ଚଳକୁ ସେଚ ଜଳ ଯୋଗାଣ ହେବ ତାହା ଜଣାପଡ଼ିନି । ପ୍ରକଳ୍ୱ ନିର୍ମାଣ କାର୍ଯ୍ୟ ଆରମ୍ଭ ବାସ୍ତବରେ ଜିଲ୍ଳା ବାସିନ୍ଦାଙ୍କୁ ଆଶ୍ୱସ୍ତି ଆଣିଦେଇଛି ।