18.1 C
Bhubaneswar
Wednesday, February 4, 2026
Homeଓଡିଶାଛତିଶା ନିଯୋଗ ବୈଠକ; ପହିଲି ଭୋଗ ନୀତିକୁ ଅନୁମୋଦନ

ଛତିଶା ନିଯୋଗ ବୈଠକ; ପହିଲି ଭୋଗ ନୀତିକୁ ଅନୁମୋଦନ

-ରାତି ୨ରୁ ଦ୍ୱାରଫିଟା ନୀତି
-ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ପହିଲି ଭୋଗ ନୀତିକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ସକାଳ ୫ଟା ୩୦ ରୁ ୬ଟା ମଧ୍ୟରେ ଏହି ନୀତି ଅନୁଷ୍ଠିତ ହେବ। ତେବେ ରାତ୍ର ୨ଟା ଦ୍ୱାର ଫିଟା ନୀତି କରାଯାଇ ରାତ୍ର ୧୧ ଟାରେ ପହୁଡ଼ ନୀତି କରାଯିବା ନେଇ ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦିବା ପହୁଡ଼ ନୀତି କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ସେହିପରି ଜାନୁଆରୀ ୩ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତିକୁ ମଧ୍ୟ ଶୃଙ୍ଖଳିତ କରାଯିବ। ଏହି ଦିନ ଠାକୁରଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ। ଜାନୁଆରୀ ୧୪ରେ ଅନୁଷ୍ଠିତ ହେବାକୁ ଥିବା ମକର ସଂକ୍ରାନ୍ତି ନୀତିକୁ ମଧ୍ୟ ଗୁରୁତ୍ୱ ଦେଇଛି ଛତିଶା ନିଯୋଗ। ତେବେ ସମସ୍ତ ନୀତି କାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ମଧ୍ୟରେ ଏକ ସବ୍ କମିଟି ଗଠନ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ଚିଠା ମାର୍ଗଦର୍ଶିକା ଉପରେ ଆଲୋଚନା ହୋଇଥିଲା। ପୁରୀବାସୀଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ପରିଚାଳନା କମିଟି ନିଷ୍ପତ୍ତି ନେବ। ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟ ମୂଳକ କାର୍ଯ୍ୟ ଶେଷ ହେବା ପରେ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା କରାଯିବ। ରତ୍ନଭଣ୍ଡାର ଗଣତି ମଣତି ନେଇ ଏକ ଚିଠା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି। ରତ୍ନଭଣ୍ଡାର କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ସରକାରଙ୍କ ଅନୁମୋଦନ ପରେ ଗଣତି ମଣତି କରାଯିବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍‌ପି, ଛତିଶା ନିଯୋଗର ସେବାୟତ ପ୍ରତିନିଧିଙ୍କ ସହିତ ପରିଚାଳନା କମିଟି ସଦସ୍ୟ, ସେବାୟତ ଏବଂ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking