ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ତାର ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଭିନ୍ନ ଭିନ୍ନ ରାଜ୍ୟରୁ ଆସନ ପାଇଁ ପାର୍ଥୀ ଘୋଷଣା କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଲୋକସଭା ଆସନ ପାଇଁ ସର୍ବାଧିକ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ନିର୍ବାଚନ ଲଢିବେ । ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସେଥିମଧ୍ୟରୁ ୫ ଜଣ ମହିଳା ପ୍ରାର୍ଥୀଙ୍କୁ ବିଜେପି ତାର ପ୍ରଥମ ତାଲିକାରେ ସ୍ଥାନ ଦେଇଛି। ଏଥିମଧ୍ୟରେ ମଥୁରା ଲୋକସଭା ଆସନରୁ ହେମା ମାଳିନୀ, ଧୌରହରା ଆସନରୁ ରେଖା ବର୍ମା, ଅମେଠିରୁ ସ୍ମୃତି ଇରାନୀ, ଫତେହପୁରର ସାଧୱୀ ନିରଂଜନ ଜ୍ୟୋତି ଏବଂ ଲାଲଗଞ୍ଜରୁ ନୀଲମ ସୋନକର ରହିଛନ୍ତି।ବଲିଉଡର ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀଙ୍କୁ ତୃତୀୟ ଥର ପାଇଁ ମଥୁରା ଲୋକସଭା ଆସନରୁ ବିଜେପି ଛିଡା କରେଇଛି । ସେ ୨୦୧୪ ଲୋକସଭା ନିର୍ବାଚନରେ ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କୁ ପରାସ୍ତ କରିଥିଲେ । ସେହିପରି ୨୦୧୯ ନିର୍ବାଚନରେ ହେମା ମାଲିନି ସପା-ଆରଏଲଡି ମହାମେଣ୍ଟ ପ୍ରାର୍ଥୀ ନରେନ୍ଦ୍ର ସିଂଙ୍କୁ ପରାସ୍ତ କରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ଅମେଠୀ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ । ତେବେ ସେହି ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ସତ୍ତ୍ୱେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ପୁଣିଥରେ ଅମେଠୀର ପ୍ରାର୍ଥୀ ଘୋଷଣା କରିଥିଲେ | କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ପ୍ରଥମ ନିର୍ବାଚନରେ ହାରିଥିବା ସ୍ମୃତି ଇରାନୀ ସେହିବର୍ଷ ରାହୁଲଙ୍କୁ ହରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେଥିପାଇଁ ବିଜେପି ପୁଣିଥରେ ତାଙ୍କ ଉପରେ ଭରଷା କରି ଏଥର ମଧ୍ୟ ପାର୍ଥୀ ଘୋଷଣା କରିଛି ।