23.1 C
Bhubaneswar
Friday, November 22, 2024
Homeଓଡିଶାଓମିକ୍ରନ୍ ପଜିଟିଭଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ଲକ୍‌, ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ ମନା

ଓମିକ୍ରନ୍ ପଜିଟିଭଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ଲକ୍‌, ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ ମନା

ଭୁବନେଶ୍ୱର:  ସୀମାବର୍ତ୍ତୀ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଓମିକ୍ରନ୍ ସଂକ୍ରମଣକୁ ଯେପରି ତୃଣମୂଳସ୍ତରରୁ ପ୍ରତିହତ କରାଯାଇପାରିବ, ସେଥିପାଇଁ ସଂକ୍ରମିତଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯିବ । ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଉଛି ଦେଶରେ ପ୍ରଥମ ରାଜ୍ୟ । ଓଡ଼ିଶାରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇନଥିଲେ ହେଁ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଓମିକ୍ରନ୍‌; ଯାହାକୁ ନେଇ ଓଡ଼ିଶା ପ୍ରତି ବିପଦ ବଢ଼ିବାରେ ଲାଗିଛି । ଦେଶରୁ ମୋଟ ୭୫ରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହେଲାଣି ।

ପଡ଼ୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଓମିକ୍ରନ୍ ଚିହ୍ନଟ ପରେ ଓଡ଼ିଶାରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି । ଓଡ଼ିଶାରୁ ହଜାର ହଜାର ଲୋକ ଆନ୍ଧ୍ର ଓ କଲିକତା କାମ ସନ୍ଧାନରେ ଯାଉଥିବାରୁ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ବ୍ୟାପକ ସତର୍କତା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି । ବିଶେଷ କରି ସମସ୍ତ କୋଭିଡ୍ ପ୍ରୋଟକଲ ମାନିବା ସହିତ ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି । ରାଜ୍ୟରେ ଓମିକ୍ରନ୍ ଉପରେ ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ କୌଣସି ବ୍ୟକ୍ତି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେ ହୋମ୍ ଆଇସୋଲେସନ୍‌ରେ ରହି ପାରିବେ ନାହିଁ । ଓମିକ୍ରନ୍ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ୍ କରାଯିବ । ଆକ୍ରାନ୍ତ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନଆସିବେ ସେଥିପାଇଁ ବ୍ୟବସ୍ଥା ହେବ । ଓମିକ୍ରନ୍ ଡେଲଟାଠାରୁ ୫ ଗୁଣା ଅଧିକ ସଂକ୍ରମଣ କରୁଛି । ସାଧାରଣ କୋଭିଡ୍ ଭଳି ଏହାର ଲକ୍ଷଣ ରହୁଛି । ଏହା ଉପରେ ଭ୍ୟାକସିନ୍ କେତେ ପ୍ରଭାବ ପକାଇବ ତା’ର ପରୀକ୍ଷା ଚାଲିଛି । ବର୍ତ୍ତମାନ ଅଧିକ ରୋଗୀ ନଥିବାରୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଷ୍ଟାଣ୍ଡବାଇ ମୋଡ୍‌ରେ ରଖାଯାଇଛି । ଆବଶ୍ୟକ ସ୍ଥଳେ ୨ରୁ ୩ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇପାରିବ । ଯଦି କୌଣସି ବ୍ୟକ୍ତି ବାହାରୁ ଆସୁଛନ୍ତି ତେବେ ତାଙ୍କ ସମ୍ପର୍କରେ ସୂଚନା ଦେବାକୁ ଗାଁ ମୁଖିଆ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଆହ୍ୱାନ କରିଛନ୍ତି । ଏହାବ୍ୟତୀତ ଏୟାର ସୁବିଧା ପୋର୍ଟାଲରେ ପଞ୍ଜିକୃତ ବିଦେଶ ଫେରନ୍ତାଙ୍କୁ ଠାବ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking