18.1 C
Bhubaneswar
Tuesday, November 19, 2024
Homeଓଡିଶାରାଜ୍ୟରେ ସ୍କୁଲସ୍ତରରେ ପ୍ରଶ୍ନପତ୍ର ବ୍ୟବସ୍ଥାରେ ହେବ ସଂସ୍କାର

ରାଜ୍ୟରେ ସ୍କୁଲସ୍ତରରେ ପ୍ରଶ୍ନପତ୍ର ବ୍ୟବସ୍ଥାରେ ହେବ ସଂସ୍କାର

ଭୁବନେଶ୍ୱର: ରାଜ୍ୟର ସ୍କୁଲ ସ୍ତରରେ ପ୍ରସ୍ତୁତ ହେବ ନୂଆ ସିଲାବସ୍‌, ଆଉ ନୂତନ ପରୀକ୍ଷା ପଦ୍ଧତି । ଏଣିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ମଲ୍ଟି ପାଟର୍ଣ୍ଣ ପ୍ରଶ୍ନପତ୍ରର ସାମ୍ନା କରିବେ । ପ୍ରତିଯୋଗୀତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା  ହୋଇଛି । ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗୀତାମୂଳକ ଢ଼ାଞ୍ଚାରେ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ପରୀକ୍ଷାରେ ଉଭୟ ମଲ୍ଟି ପାଟର୍ଣ୍ଣ ପ୍ରଶ୍ନପତ୍ର ଏବଂ ସଂକ୍ଷିପ୍ତ ପ୍ରଶ୍ନପତ୍ରକୁ ଗୁରୁତ୍ୱ ଦିଆଯିବ । ତେବେ ସିବିଏସ୍‌ଇ ପରୀକ୍ଷାକୁ ଅନୁକରଣ କରିବା ଏବଂ ପାଇଲଟ ପ୍ରକଳ୍ପ ଭାବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ବିଭାଗ ନିଷ୍ପତ୍ତି ନେଇଛି ।

ଏହି ବ୍ୟବସ୍ଥା ୨୦୨୨ରୁ ଲାଗୁ କରାଯିବ । ଯଦି ଏହି ବ୍ୟବସ୍ଥା ସଫଳ ହୁଏ ଏବଂ ଛାତ୍ରଛାତ୍ରୀମାନେ ଦଶମରେ ଭଲ ପ୍ରଦର୍ଶନ କରନ୍ତି, ତେବେ ଏହାକୁ ନିୟମିତ ରାଜ୍ୟବ୍ୟାପି ଲାଗୁ କରିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ଏହି ବ୍ୟବସ୍ଥାକୁ ଉଭୟ ଶିକ୍ଷାବିତ ଏବଂ ଅଭିଭାବକମାନେ ସ୍ୱାଗତ କରିଛନ୍ତି । ରାଜ୍ୟରେ ଗତ କିଛି ବର୍ଷ ହେବ ଦଶମ ପରୀକ୍ଷାରେ ଫଳାଫଳ ଉଦ୍‌ବେଗଜନକ ରହୁଛି । ଏପରିକି ଅନେକ ସ୍କୁଲରେ ଶତପ୍ରତିଶତ ପରୀକ୍ଷାର୍ଥୀ ଫେଲ ହେଉଛନ୍ତି । ଏପରି ବ୍ୟବସ୍ଥାକୁ ସଜାଡିବା ଲାଗି ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ରାଜ୍ୟର ସରକାରୀ ସ୍କୁଲଗୁଡିକର ଭିତ୍ତିଭୂମି ସଜାଡିବାକୁ ପ୍ରୟାସ କରୁଥିବା ବେଳେ ଗୁଣାତ୍ମକ ଶିକ୍ଷାଦାନ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି ବିଭାଗ । ଖୋଦ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଅଚାନକ ସ୍କୁଲ ପରିଦର୍ଶନ କରି ସମସ୍ୟାର ଅନୁଧ୍ୟାନ କରୁଛନ୍ତି ।

ପାଠପଢ଼ା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ପରୀକ୍ଷା ପରିଚାଳନାରେ ମଧ୍ୟ ସୁଧାର ଆଣିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷାରେ ଦୀର୍ଘ ପ୍ରଶ୍ନପତ୍ର ନରଖି ସଂକ୍ଷିପ୍ତ କିମ୍ବା ମଲ୍ଟି ପାଟର୍ଣ୍ଣ ପ୍ରଶ୍ନପତ୍ର କରାଯିବ । ଫଳରେ ପରୀକ୍ଷାରେ ପିଲାଙ୍କ ଉପରେ କୌଣସି ଚାପ ରହିବ ନାହିଁ । ତେବେ କେବଳ ଗଣିତ ଏବଂ ବିଜ୍ଞାନ ବିଷୟକୁ ଏଥିରୁ ବାଦ୍ ଦିଆଯିବ । ଏହାବ୍ୟତୀତ ପରୀକ୍ଷା ଲାଗି ସମୟସୀମାକୁ ମଧ୍ୟ ହ୍ରାସ କରାଯିବ । ୧୦୦ମାର୍କ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍ ଲାଗି ଦେଢ଼ଘଣ୍ଟା କରିବାକୁ ଯୋଜନା ଥିବା ଜଣାପଡ଼ିଛି । ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଶ୍ରେଣୀ ପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସଂକ୍ଷିପ୍ତ ଉତ୍ତର ଯେପରି ପିଲାମାନେ ଦେଇପାରିବେ ସେଥିଲାଗି ଶ୍ରେଣୀରେ ଶିକ୍ଷକମାନେ ନଜର ଦେବେ । ସର୍ବଭାରତୀୟସ୍ତରରେ ସିବିଏସ୍‌ଇ, ଆସିଏସଇଇ ବ୍ୟତୀତ ସର୍ବାଧିକ ପ୍ରବେଶିକା ପରୀକ୍ଷାରେ ପୂର୍ବପରି ଦୀର୍ଘ ପ୍ରଶ୍ନପତ୍ର ନାହିଁ । ସଂକ୍ଷିପ୍ତ ଏବଂ ମଲ୍ଟି ପାଟର୍ଣ୍ଣ ପ୍ରଶ୍ନପତ୍ର ବ୍ୟବସ୍ଥା ଲାଗୁ କରାଯାଇଛି ।

ଫଳରେ ଅନ୍ୟ ପିଲାମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଥିବା ବେଳେ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିପାରୁ ନାହଁନ୍ତି । ବିଗତ ୩/୪ ବର୍ଷ ପୂର୍ବର ଦଶମ ପରୀକ୍ଷାକୁ ନଜର ଦେଲେ ଜଣାପଡେ ଯେ ସିବିଏସ୍‌ଇ ପରୀକ୍ଷାରେ ଅନେକ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ଓଡ଼ିଆ ମାଧ୍ୟମ ପିଲାମାନଙ୍କ ମଧ୍ୟରୁ ୨/୩ଟି ୯୦ପ୍ରତିଶତରୁ ଅଧିକ ମାର୍କ ରଖୁଛନ୍ତି । ଏପରି ସମସ୍ୟାର ସମାଧାନ ଲାଗି ଏହି ଅଭିନବ ବ୍ୟବସ୍ଥା ଲାଗୁ କରାଯିବ । ତେବେ ଏଥିପାଇଁ ଏକ ପରୀକ୍ଷା କମିଟି ଏବଂ ଅନୁଧ୍ୟାନ କମିଟି ପ୍ରସ୍ତୁତ କରାଯିବ । ପରୀକ୍ଷା ପୂର୍ବରୁ କେଉଁ ବିଷୟ ଲାଗି ପ୍ରଶ୍ନପତ୍ର କିପରି ପ୍ରସ୍ତୁତ କରାଯିବ ତାହାର ଅନୁଧ୍ୟାନ କରାଯିବ । ଏହାବ୍ୟତୀତ ପିଲାଙ୍କ ମଧ୍ୟରେ ପ୍ରତ୍ସୋହନ ଦେବା ଲାଗି ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀମାନେ ଅଧିକ ମାର୍କ ରଖିବେ ତାଙ୍କୁ ମଧ୍ୟ କିଛି ସୁବିଧା ସୁଯୋଗ ପ୍ରଦାନ କରାଯିବ ।

କରୋନା ଲାଗି ରାଜ୍ୟରେ ଗତ ବର୍ଷ ଏବଂ ଏବର୍ଷ ପରୀକ୍ଷା ବାତିଲ କରାଯାଇଥିଲା । ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଛି । ମାତ୍ର ଆଗକୁ ସ୍ଥିତି ସୁଧୁରିବା ପରେ ଗୁଣାତ୍ମକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ସିଲାବସ୍ ଏବଂ କ୍ଲାସ ପାଠପଢ଼ା ପ୍ରତି ବିଭାଗ ପକ୍ଷରୁ ଅଧିକ ଯତ୍ନ ନିଆଯିବ । ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାଙ୍କନର ସମୀକ୍ଷା କରାଯାଇ ପରୀକ୍ଷା ପଦ୍ଧତିରେ ମଧ୍ୟ ସୁଧାର ଅଣାଯିବ । ପରୀକ୍ଷା କକମିଟି ଏବଂ ଅନୁଧ୍ୟାନ କମିଟିର ସୁପାରିସ୍‌କୁ ଗୁରୁତ୍ୱ ଦିଆଯିବ । ପରୀକ୍ଷା ପୂର୍ବରୁ ଏହି କମିଟି ପ୍ରଶ୍ନପତ୍ର ପ୍ରସ୍ତୁତ ପୂର୍ବରୁ ଅନୁଧ୍ୟାନ କରିବା ପରେ ଚୂଡାନ୍ତ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଏହି କମିଟିରେ ବରିଷ୍ଟ ଶିକ୍ଷାବିତ୍‌, ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ସାମିଲ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking