ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲି। ରଙ୍ଗ ବରେଙ୍ଗରେ ରଙ୍ଗୀନ ହୋଇଛି ପୂରା ଦେଶ। ତେବେ ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ହୋଲି ଖେଳିବା ପ୍ରଥା ରହିଛି। କେଉଁଠି ଫଗୁରେ ରଙ୍ଗ ଖେଳାଯାଏ ତ ଆଉ କେଉଁଠି ଲାଠି ମାଡ କରି ହୋଲି ଖେଳାଯାଏ। କିନ୍ତୁ ରାଜସ୍ଥାନରେ ଏକ ଅଜବ ହୋଲି ପ୍ରଥା ରହିଛି।
ଏଠି ପୁରୁଷଙ୍କୁ ମହିଳାମାନେ ଚାବୁକ ମାଡ ମାରି ହୋଲି ଖେଳନ୍ତି। ରାଜସ୍ଥାନୀ ଟୋଙ୍କରେ ଗୁର୍ଜର ସମାଜରେ ଏହି କୋଡାମାର ତଥା ଚାବୁକ ପ୍ରହାର ହୋଲି ଖେଳ ହୁଏ। ଏହି ସମୟରେ ସମାଜର ପୁରୁଷମାନେ ବାମୋର ଫାଟକରୁ ହୀରା ଛକ ଯାଏଁ ଯାଆନ୍ତି। ତା’ପରେ ସେମାନେ ମହିଳାମାନଙ୍କ ସହିତ ରଙ୍ଗ ଖେଳନ୍ତି ଏବଂ ମହିଳାମାନେ ପୁରୁଷମାନଙ୍କ ଉପରେ ଜୋରରେ ଚାବୁକ ପ୍ରହାର କରନ୍ତି।
ଏଥିସହ ମହିଳାମାନେ ପାରମ୍ପରିକ ଲୋକଗୀତ ଗାଆନ୍ତି। କୁହାଯାଏ ଯେ ଏହି ପରମ୍ପରା ଏଠାରେ କାହିଁ କେଉଁ କାଳରୁ ଚାଲିଆସୁଛି। ପରମ୍ପରା ଅନୁସାରେ ଏଠାକାର ପୁରୁଷମାନେ ହୀରା ଛକରେ ରଖାଯାଇଥିବା ଏକ ବଡ ପିତଳ ହଣ୍ଡାରେ ରଙ୍ଗ ଭରି ମହିଳାମାନଙ୍କୁ ଲଗାଇବାକୁ ଚେଷ୍ଟା କରନ୍ତି। ଏହି ସମୟରେ ମହିଳାମାନେ ତାଙ୍କ ଉପରେ ଚାବୁକ ପ୍ରହାର କରିବା ଆରମ୍ଭ କରିଦିଅନ୍ତି।
ପ୍ରାୟ ଏକ ଘଣ୍ଟା ଯାଏଁ ଏହି ଚାବୁକ ପ୍ରହାର ତଥା କୋଡାମାର୍ ହୋଲି ଚାଲେ। ଏହି ହୋଲିକୁ ଦେଖିବା ପାଇଁ ଗୁର୍ଜର ସମାଜ ସମତେ ଅନ୍ୟ ସମାଜର ଲୋକେ ମଧ୍ୟ ଭିଡ଼ ଜମାଇଥାନ୍ତି।