18.1 C
Bhubaneswar
Tuesday, November 19, 2024
Homeଓଡିଶାଟିଜିଟି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ତେଜୁଛି ଅସନ୍ତୋଷ

ଟିଜିଟି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହେଉଥିଲେ ହେଁ ଦୂରଦୃଷ୍ଟି ଅଭାବରୁ ଅନେକ ସମସ୍ୟା ଉପୁଜୁଛି । ଫଳରେ ଗୁଣାତ୍ମକ ଶିକ୍ଷା ଏବଂ ଉନ୍ନତ ଭିତ୍ତିଭୂମିର ପରିକଳ୍ପନା ଅଧାରେ ରହିଯାଉଛି । ଗୋଟେପଟେ ମେଧାବୀଙ୍କୁ ନିଯୁକ୍ତି ମିଳୁନଥିବା ଅଭିଯୋଗ ହେଉଥିବା ବେଳେ ଯୋଗ୍ୟ ପ୍ରାର୍ଥୀ ମିଳୁନାହାଁନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସଫେଇ ଦେଇଛନ୍ତି । ତେବେ ଶିକ୍ଷକ ନିଯୁକ୍ତିକୁ ନେଇ ଅନେକ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଛି ।

ଖୁବ୍‌ଶୀଘ୍ର ଏହା ଉଗ୍ରରୂପ ନେବ ବୋଲି ଜଣାପଡ଼ିଲାଣି । ତେବେ ରାଜ୍ୟରେ ସ୍ୱଚ୍ଛତାକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଗଣଶିକ୍ଷା ବିଭାଗ ଲାଗି ସ୍ୱଚ୍ଛତା ଏକ ପ୍ରହସନ ପାଲଟିଛି ବୋଲି କିଛି ମେଧାବୀ ଯୁବକଯୁବତୀ ଅଭିଯୋଗ କରିଛନ୍ତି । ଏପରିକି ରାଜ୍ୟରେ ଶିକ୍ଷକ ପଦବୀ ପୂରଣ ଲାଗି କରାଯାଇଥିବା ପରୀକ୍ଷା ଏବଂ ଶିକ୍ଷକ ଦକ୍ଷତା ପରୀକ୍ଷାରେ ଅନେକ ତ୍ରୁଟି ଉପୁଜିଥିଲା । ଉଭୟ ଓଏସ୍‌ଏସ୍‌ଟିଇଟି (ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ) ଏବଂ ସିବିଟି (କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ) ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଅନେକ ମେଧାବୀ ନିଯୁକ୍ତି ପାଇବାରୁ ବଞ୍ôଚତ ହୋଇଛନ୍ତି ।

ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ ନକଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କେତେକ ମେଧାବୀ ଚେତାବନୀ ଦେଇଛନ୍ତି । ମିଳିଥିବା ଅଭିଯୋଗ ଅନୁଯାୟୀ ଶିକ୍ଷକ ନିଯୁକ୍ତି ଲାଗି ଓଟିଇଟି ଏବଂ ଓଏସ୍‌ଏସ୍‌ଟିଇଟି କରାଯାଇଥାଏ । ଗତ ଓଏସ୍‌ଏସ୍‌ଟିଇଟି ପରୀକ୍ଷାରେ ବ୍ୟାପକ ଅନୀୟମିତା ଦେଖିବାକୁ ମିଳିଥିଲା । କୋର୍ସ ଅଫ୍ ଷ୍ଟଡି ବାହାରୁ ପ୍ରଶ୍ନ ଆସିଥିବା ବେଳେ ପରୀକ୍ଷା ପରିଚାଳନାରେ ଅନେକ ତ୍ରୁଟି ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ଫଳରେ ବହୁ ମେଧାବୀଙ୍କ ମାର୍କ କମ୍ ରହିଥିଲା । ୧୫୦ ମାର୍କରୁ ସର୍ବାଧିକ ୯୦ରୁ ଅଧିକ ମାର୍କ ଆସିବ ବୋଲି ମେଧାବୀମାନେ ଆଶା କରିଥିବା ବେଳେ ସେମାନଙ୍କ ମାର୍କ ୮୯ ରହିଥିଲା ।

ଯାହାକୁ ନେଇ ଅନେକ ମେଧାବୀଙ୍କ ଭବିଷ୍ୟତ ନଷ୍ଟ ହୋଇଛି ବୋଲି ପିଲାମାନେ କହିଛନ୍ତି । ସେହିପରି  ରାଜ୍ୟର ମାଧ୍ୟମିକ ସ୍କୁଲରେ ହିନ୍ଦୀ, ସଂସ୍କୃତ, ପିଇଟି, ଟିଜିଟି ଆଟର୍ସ, ଟିଜିଟି ସାଇନ୍ସ, ଟିଜିଟି ତେଲୁଗୁ ଶିକ୍ଷକ ପଦବୀ ପୂରଣ ଲାଗି ପ୍ରକ୍ରିୟା କରାଯାଇଥିଲା । ସିବିଟି ମାଧ୍ୟମରେ ପରୀକ୍ଷା କରାଯାଇଥିଲା । ଅନଲାଇନ ମାଧ୍ୟମରେ ହେଉଥିବା ପରୀକ୍ଷାରେ ସ୍ୱଚ୍ଛାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା । କାରଣ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ପିସିଏମ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା । ଅନେକ ମେଧାବୀ ଆବେଦନକାରୀ  ସେତେବେଳେ ଅନଲାଇନ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ପରୀକ୍ଷା ବାତିଲ କରିବାକୁ ଦାବୀ ମଧ୍ୟ କରିଥିଲେ । ସେମାନଙ୍କ କହିବା କଥା ୨୫ ତାରିଖରେ ପିସିଏମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଦିନ ୧୦ ଟା ବେଳେ ଥିଲା । କିନ୍ତୁ ୧୦ଟା ୨୦ ବେଳକୁ ଯେଉଁସବୁ ପ୍ରଶ୍ନପତ୍ର ପରୀକ୍ଷାରେ ପଡିଥିଲା କମ୍ପ୍ୟୁଟରରୁ ତା’ର ଫଟୋ ଉଠାଯାଇ ସୋସିଆଲ ମିଡିଆରେ ଛଡାଯାଇଥିଲା । ପରୀକ୍ଷା ହଲ ଭିତରକୁ ମୋବାଇଲ ନେବା ଲାଗି ବାରଣ କରାଯାଇଥିବା ବେଳେ କେମିତି ଓ କେଉଁ ପରିସ୍ଥିତିରେ କମ୍ପ୍ୟୁଟର ସ୍କ୍ରିନର ଫଟୋ ଉଠାଯାଇ ସୋସିଆଲ ମିଡିଆରେ ଛଡାଯାଇଥିଲା ।

ପରୀକ୍ଷା ପରିଚାଳନଳାରେ ସ୍ୱଚ୍ଛତା ନଥିବାରୁ ଆଗକୁ ନିଯୁକ୍ତି ଦିଆଯିବା ପରେ ଅନେକ ଆବେଦନକାରୀ କୋର୍ଟର ଆଶ୍ରୟ ନେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ସେହିପରି କିଛି ଆବେଦନକାରୀଙ୍କ କହିବା ଅନୁଯାୟୀ ସେମାନଙ୍କର କ୍ୟାରିୟର ୭୦% ଉପରେ ରହିଥିବା ବେଳେ ବିଇଡିରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ପରିଚାଳନଳାନାରେ ସ୍ୱଚ୍ଛତା ନଥିବାରୁ ସେମାନଙ୍କ ମାର୍କ ଭଲ ନାହିଁ । ଫଳରେ ସେମାନଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ୧୫୦ମାର୍କରୁ ୮୯ ନମ୍ବର ରଖି ମଧ୍ୟ ମେଧାବୀ ନିରାଶ ହୋଇଛନ୍ତି । ସାଧାରଣବର୍ଗର ପିଲାମାନେ ଓଏସ୍‌ଏସ୍‌ଟିଇଟି ପରୀକ୍ଷାରେ ୧୫୦ରୁ ୯୦ମାର୍କ ରଖିଥିଲେ କ୍ୱାଲିଫାଏ କରିଥାନ୍ତେ । ମାତ୍ର ୮୯ମାର୍କ ରଖିଥିବାରୁ ସେମାନଙ୍କର କ୍ୟାରିୟର ମାର୍କ କିମ୍ବା ବିଇଡି ମାର୍କକୁ ଗୁରୁତ୍ୱ ଦିଆଯାଇ ନାହିଁ ।

ପରୀକ୍ଷା ପରିଚାଳନାରେ ବ୍ୟାପକ ଅନୀୟମିତା ରହିବା ହେତୁ ଏପରି ସମସ୍ୟା ଉପୁଜିଛି ବୋଲି ଅଭିଯୋଗ ହେଉଛି । ଅପରପକ୍ଷେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଶିକ୍ଷକ ପଦବୀ ଲାଗି ରାଜ୍ୟରେ ଯୋଗ୍ୟ ପ୍ରାର୍ଥୀ ନାହାନ୍ତି । ଯାହା ଅତ୍ୟନ୍ତ ଲଜ୍ଜାକର ବିଷୟ ବୋଲି ନ୍ୟାୟ ପାଇବାରୁ ବଞ୍ôଚତ ହୋଇଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି । ତେବେ ଖୁବଶୀଘ୍ର କୋର୍ଟର ଆଶ୍ରୟ ନେବା ସହ ଆନ୍ଦୋଳନ ଲାଗି ରାଜରାସ୍ଥାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏପରି ସମସ୍ୟା ସମ୍ପର୍କରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସତ୍ୟ ରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ପରେ ସମ୍ପୃକ୍ତ ପିଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking