ଭୁବନେଶ୍ୱର: ରାଜ୍ୟରେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି) ଥିବା ବେଳେ ୫୦୧୪ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ଏହି ସବୁ ଡାକ୍ତରଖାନାଗୁଡ଼ିକରେ ୧୧୧୪ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ରହିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୫୦ଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ମୟୂରଭଞ୍ଜରେ ୩୦୯ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଏହି ଦୁଇ ଜିଲ୍ଲାରେ ଯଥାକ୍ରମେ ୮୭ ଓ ୮୮ଟି ବିଶେଷଜ୍ଞ ଡାକ୍ତର ପଦବୀରେ କେହି ନିଯୁକ୍ତି ହୋଇନାହାନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ତଥ୍ୟ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୩୦ ଜିଲ୍ଲାର ୩୭୫ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍ସିରେ ୭୮୦୬ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦ ଥିବା ବେଳେ ଏବେ ମାତ୍ର ୨୭୯୨ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ବାକି ୫୦୧୪ ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ଏହି ୩୭୫ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍ସିରେ ୧୫୦୦ ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ରହିଥିବା ବେଳେ ଏବେ ମାତ୍ର ୩୮୬ ଜଣ କାର୍ଯ୍ୟ କରୁଛନ୍ତି। ବାକି ୧୧୧୪ ବିଶେଷଜ୍ଞ ଡାକ୍ତର ପଦରେ କେହି ନାହାନ୍ତି। ଗଞ୍ଜାମ ଜିଲ୍ଲାରେ ୨୮ ସିଏଚ୍ସି ଥିବା ବେଳେ ୫୮୧ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି। କିନ୍ତୁ ଏବେ ଜିଲ୍ଲାର ୨୮ ସିଏଚ୍ସିରେ ମାତ୍ର ୧୩୧ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି।
୪୫୦ ଡାକ୍ତର ପଦ ଖାଲି ପଡ଼ିଛି। ମୟୂରଭଞ୍ଜ ଜିଲ୍ଲାରେ ୨୮ ସିଏଚ୍ସିରେ ୫୬୭ ଜଣ ଡାକ୍ତର କାର୍ଯ୍ୟ କରିବା କଥା। କିନ୍ତୁ ଏବେ ଏଠାରେ କାର୍ଯ୍ୟ କରୁଛନ୍ତି ୨୫୮ ଜଣ ଡାକ୍ତର। ଆହୁରି ୩୦୯ ପଦବୀ ଖାଲି ପଡ଼ିଛି। ଅନୁଗୋଳ ଜିଲ୍ଲାରେ ୯ ସିଏଚ୍ସିରେ ୧୮୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୯୩ ଜଣ କାର୍ଯ୍ୟ କରୁଛନ୍ତି ଓ ବାକି ୯୬ ଖାଲି ପଡ଼ିଛି। ବାଲେଶ୍ୱରର ୧୭ ସିଏଚ୍ସିରେ ୩୫୨ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ସେଠାରେ ୧୨୦ ଜଣ କାର୍ଯ୍ୟ କରୁଥିବା ବେଳେ ୨୩୨ ପଦବୀ ଖାଲି ପଡ଼ିଛି। ବଲାଙ୍ଗୀର ଜିଲ୍ଲାରେ ୧୫ ସିଏଚ୍ସି ଥିବା ବେଳେ ୩୧୪ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀରୁ ୧୭୩ ଖାଲି ପଡ଼ିଛି। ମାତ୍ର ୧୪୧ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ବରଗଡ଼ ଜିଲ୍ଲାର ୧୬ ସିଏଚ୍ସିରେ ୩୫୨ ଡାକ୍ତର ପଦବୀ ଥିବା ବେଳେ ୨୫୪ ଖାଲି ପଡ଼ିଛି। ବାକି ୯୮ରେ ଡାକ୍ତର କାର୍ଯ୍ୟ କରୁଛନ୍ତି। ଭଦ୍ରକ ଜିଲ୍ଲାରେ ୭ ସିଏଚ୍ସି ଥିବା ବେଳେ ୧୪୭ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ୫୪ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୯୩ ପଦବୀ ଖାଲି ପଡ଼ିଛି। ବୌଦ୍ଧରେ ୫ ସିଏଚସିରେ ୧୦୩ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୪୫ ଜଣ କାର୍ଯ୍ୟ କରୁଛନ୍ତି। ୫୮ ଡାକ୍ତର ପଦବୀ ଖାଲି ପଡ଼ିଛି। କଟକ ଜିଲ୍ଲାରେ ୧୯ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍ସି ଅଛି।
ସେଗୁଡ଼ିକରେ ମୋଟ ୩୯୪ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି। ସେଥିରୁ ୧୧୩ରେ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୨୮୧ ଖାଲି ପଡ଼ିଛି। ଦେବଗଡ଼ ଜିଲ୍ଲାର ୪ ସିଏଚ୍ସିରେ ୮୩ ଜଣ ଡାକ୍ତର କାର୍ଯ୍ୟ କରିବା କଥା। ମାତ୍ର ଏବେ ସେହି ଡାକ୍ତରଖାନାଗୁଡ଼ିକରେ ୧୯ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଆହୁରି ୬୪ ପଦବୀ ଖାଲି ପଡ଼ିଛି। ଢେଙ୍କାନାଳ ଜିଲ୍ଲାର ୧୦ ସିଏଚ୍ସିରେ ୨୦୯ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୧୨୧ ଖାଲି ପଡ଼ିଛି। ବାକି ୮୮ ରେ ଡାକ୍ତର ଅଛନ୍ତି। ଗଜପତିରେ ୮ ସିଏଚ୍ସିରେ ଥିବା ୧୬୮ ଡାକ୍ତର ପଦବୀରୁ ୧୧୩ ଖାଲି ପଡ଼ିଛି। ଜଗତସିଂହପୁର ଜିଲ୍ଲାରେ ଥିବା ୧୧ ସିଏଚ୍ସିରେ ୨୧୯ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ଅଛନ୍ତି ମାତ୍ର ୭୪ ଜଣ। ବାକି ୧୪୫ ଡାକ୍ତର ପବଦୀ ଖାଲି ପଡ଼ିଛି। ଯାଜପୁର ଜିଲ୍ଲାରେ ୧୨ ସିଏଚ୍ସିରେ ୨୫୦ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୮୨ ଜଣ କାର୍ଯ୍ୟ କରୁଛନ୍ତି ଓ ବାକି ୧୬୮ ପଦବୀ ଖାଲି ପଡ଼ିଛି। ଝାରସୁଗୁଡ଼ାରେ ୬ଟି ସିଏଚ୍ସିରେ ୧୨୫ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ୪୧ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୮୪ ପଦବୀ ଖାଲି ପଡ଼ିଛି।
କଳାହାଣ୍ଡିରେ ୧୭ ସିଏଚ୍ସିରେ ୩୫୩ ଡାକ୍ତର ପଦବୀ ଥିବା ବେଳେ ୨୧୫ ଖାଲି ପଡ଼ିଛି। କନ୍ଧମାଳରେ ୧୪ ସିଏଚ୍ସିରେ ୨୯୨ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଥିବା ବେଳେ ୨୦୦ ଖାଲି ପଡ଼ିଛି। ମାତ୍ର ୯୨ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। କେନ୍ଦ୍ରାପଡ଼ାରେ ୮ ସିଏଚ୍ସିରେ ୧୬୮ ଡାକ୍ତର ପଦବୀରୁ ୧୧୩ ଖାଲି ପଡ଼ିଥିବା ବେଳେ କେନ୍ଦୁଝରରେ ୧୭ ସିଏଚ୍ସିରେ ୩୫୩ ପଦବୀରୁ ୨୨୬, ଖୋର୍ଦ୍ଧାରେ ୧୨ ସିଏଚ୍ସିରେ ୨୫୦ ପଦବୀରୁ ୧୨୬, କୋରାପୁଟରେ ୧୬ ସିଏଚ୍ସିରେ ୩୩୪ ପଦବୀରୁ ୨୦୪ ଓ ମାଲକାନଗିରିରେ ୬ ସିଏଚ୍ସିରେ ୧୨୬ ପଦବୀରୁ ୮୪ ପଦବୀ ଖାଲି ପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ ୧୦ ସିଏଚ୍ସି କାର୍ଯ୍ୟ କରୁଥିବା ବେଳେ ମଞ୍ଜୁରୀପ୍ରାପ୍ତ ୨୧୧ ଡାକ୍ତର ପଦବୀରୁ ୧୧୮ ଖାଲି ପଡ଼ିଛି। ମାତ୍ର ୯୩ ଜଣ ଡାକ୍ତର ଏବେ କାର୍ଯ୍ୟ କରୁଛନ୍ତି। ନୟାଗଡ଼ର ୧୨ ସିଏଚ୍ସିରେ ମଞ୍ଜୁରୀପ୍ରାପ୍ତ ୨୪୮ ଡାକ୍ତର ପଦବୀରୁ ୧୬୩ ଖାଲି ପଡ଼ିଥିବା ବେଳେ ନୂଆପଡ଼ାରେ ୫ ସିଏଚ୍ସିରେ ୧୦୪ ପଦବୀରୁ ୪୮ ଓ ପୁରୀରେ ୧୬ ସିଏଚ୍ସିରେ ୩୩୧ ଡାକ୍ତର ପଦବୀ ଥିବା ବେଳେ ୨୧୧ ଖାଲି ପଡ଼ିଛି। ରାୟଗଡ଼ ଜିଲ୍ଲାରେ ଥିବା ୧୧ ସିଏଚ୍ସିରେ ୨୩୧ ଡାକ୍ତର ପଦବୀ ଥିବା ବେଳେ ୧୬୭ ଖାଲି ପଡ଼ିଛି। ଏଠାରେ ମାତ୍ର ୬୪ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ଜିଲ୍ଲାରେ ୧୧ ସିଏଚ୍ରେ ମାତ୍ର ୭୫ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଏହି ଜିଲ୍ଲାରେ ଥିବା ସିଏଚ୍ସିଗୁଡ଼ିକରେ ୨୩୦ ଡାକ୍ତର ପଦବୀ ଥିବା ବେଳେ ୧୭୩ ଖାଲି ପଡ଼ିଛି। ସୁବର୍ଣ୍ଣପୁରରେ ୫ ସିଏଚ୍ସିରେ ୩୭ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୬୮ ପଦବୀ ଖାଲି ପଡ଼ିଛି। ସୁନ୍ଦରଗଡ଼ରେ ୨୦ ସିଏଚ୍ସିରେ ୪୧୭ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୧୬୭ ଜଣ କାର୍ଯ୍ୟ କରୁଛନ୍ତି। ବାକି ୨୫୭ଟି ଖାଲି ପଡ଼ିଛି।
ଅନୁଗୋଳ ଜିଲ୍ଲାରେ ୯ ସିଏଚ୍ସିରେ ୩୬ ବିଶେଷଜ୍ଞ ଡାକ୍ତର ପଦବୀରୁ ୨୬ ଖାଲି ପଡ଼ିଥିବା ବେଳେ ବାଲେଶ୍ୱରରେ ୧୭ ସିଏଚ୍ସିରେ ୬୮ ପଦବୀରୁ ୪୫, ବଲାଙ୍ଗୀରରେ ୧୫ ସିଏଚ୍ସିରେ ୬୦ଟି ପଦବୀରୁ ୪୫, ବରଗଡ଼ରେ ୧୬ ସିଏଚ୍ସିରେ ୬୪ ପଦବୀରୁ ୫୩, ଭଦ୍ରକରେ ୭ ସିଏଚ୍ସିରେ ୨୮ରୁ ୬, ବୌଦ୍ଧରେ ୫ ସିଏଚ୍ସିରେ ୨୦ରୁ ୧୩, କଟକରେ ୧୯ ସିଏଚ୍ସିରେ ୭୬ରୁ ୪୩, ଦେବଗଡ଼ରେ ୪ ସିଏଚ୍ସିରେ ୧୬ରୁ ୧୫ ଓ ଗଜପତି ଜିଲ୍ଲାରେ ୮ ସିଏଚ୍ସିରେ ୩୨ ବିଶେଷଜ୍ଞ ଡାକ୍ତର ପଦବୀରୁ ୨୭ ଖାଲି ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ଥିବା ୨୮ ସିଏଚ୍ସିରେ ୧୧୨ ବିଶେଷଜ୍ଞ ଡାକ୍ତର ପଦବୀରୁ ୮୭ ଖାଲି ପଡ଼ିଥିବା ବେଳେ ଜଗତସିଂହପୁରରେ ୧୧ ସିଏଚ୍ସିରେ ୪୪ ପଦବୀରୁ ୨୫, ଯାଜପୁରରେ ୧୨ ସିଏଚ୍ସିରେ ୪୮ରୁ ୩୨, ଝାରସୁଗୁଡ଼ାରେ ୬ ସିଏଚ୍ସିରେ ୨୪ରୁ ୧୪, କଳାହାଣ୍ଡିରେ ୧୭ ସିଏଚସିରେ ୬୮ରୁ ୫୪, କନ୍ଧମାଳରେ ୧୪ ସିଏଚ୍ସିରେ ୫୬ରୁ ୪୯, କେନ୍ଦ୍ରାପଡ଼ାରେ ୮ ସିଏଚ୍ସିରେ ୩୨ରୁ ୨୩ ଓ କେନ୍ଦୁଝରରେ ୧୭ ସିଏଚ୍ସିରେ ୬୮ରୁ ୪୬ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଖୋର୍ଦ୍ଧାରେ ଥିବା ୧୨ ସିଏଚ୍ସିରେ ୪୮ ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀରୁ ୨୯ ଖାଲି ପଡ଼ିଥିବା ବେଳେ କୋରାପୁଟରେ ୧୬ ସିଏଚ୍ସିରେ ୬୪ରୁ ୫୫, ମାଲକାନଗିରିରେ ୬ ସିଏଚ୍ସିରେ ୨୪ରୁ ୨୩, ମୟୂରଭଞ୍ଜରେ ୨୮ ସିଏଚ୍ସିରେ ୧୧୨ରୁ ୮୮, ନବରଙ୍ଗପୁରରେ ୧୦ ସିଏଚ୍ସିରେ ୪୦ରୁ ୩୪, ନୟାଗଡ଼ରେ ୧୨ ସିଏଚ୍ସିରେ ୪୮ରୁ ୪୩, ନୂଆପଡ଼ାରେ ୫ ସିଏଚ୍ସିରେ ୨୦ରୁ ୧୪, ପୁରୀରେ ୧୬ ସିଏଚ୍ସିରେ ୬୪ରୁ ୪୩, ରାୟଗଡ଼ାରେ ୧୧ ସିଏଚ୍ସିରେ ୪୪ରୁ ୪୧, ସମ୍ବଲପୁରରେ ୧୧ ସିଏଚ୍ସିରେ ୪୪ରୁ ୩୬, ସୁବର୍ଣ୍ଣପୁରରେ ୫ ସିଏଚ୍ସିରେ ୨୦ରୁ ୮ ଓ ସୁନ୍ଦରଗଡ଼ରେ ୨୦ ସିଏଚ୍ସିରେ ୮୦ ବିଶେଷଜ୍ଞ ଡାକ୍ତର ପଦବୀ ଥିବା ବେଳେ ୬୬ ଖାଲି ପଡ଼ିଛି।