ଶିଲଂ: ମେଘାଳୟ ବିଧାନସଭାର ୬୦ ଆସନ ପାଇଁ ଚଳିତମାସ ୨୭ରେ ଭୋଟଗ୍ରହଣ କରାଯିବ । ଏଥିପାଇଁ ମୋଟ ୩୭୯ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି ବୋଲି ମେଘାଳୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏଫ୍.ଆର.ଖାରକୋଙ୍ଗର ସୂଚନା ଦେଇଛନ୍ତି । ମେଘାଳୟ ବିଧାନସଭାର ସବୁ ୬୦ ବିଧାୟକ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିବା କୁହାଯାଇଛି । ଏମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ କନ୍ରାଡ ସାଙ୍ଗମା, ବାଚସ୍ପତି ମେତ୍ବା ଲିଙ୍ଗଡୋ ଏବଂ ବିରୋଧୀ ଦଳ ନେତା ମୁକୁଲ ସାଙ୍ଗମା ରହିଛନ୍ତି । ନ୍ୟାସନାଲ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ସାଙ୍ଗମା ସାଉଥ୍ ତୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେତ୍ବା ମାଇରାଙ୍ଗ୍ ଆସନରୁ ଏବଂ ମୁକୁଲ ସାଙ୍ଗ୍ମା ଏଥର ଦୁଇଟି ଆସନ ଯଥା ସୋଙ୍ଗ୍ସାକ୍ ଏବଂ ତିକ୍ରିକିଲ୍ଲାରୁ ନିର୍ବାଚନ ଲଢୁଛନ୍ତି ।