ଭୁବନେଶ୍ୱର : ମାଟ୍ରିମୋନି ଜରିଆରେ ସଂପର୍କ ଯୋଡ଼ିହେଲା । ଫୋନ୍ରେ ଗପସପ ଓ ତା’ପରେ ଯୁବକଙ୍କୁ ବିବାହର ପ୍ରତିଶ୍ରୁତି ଦେଲେ ଯୁବତୀ । ବିଭିନ୍ନ ଆଳ ଦେଖାଇ ଯୁବକଙ୍କ ଠାରୁ ୪୫ ହଜାର ଟଙ୍କା ନେଇଗଲେ । ଶେଷରେ ଯୁବକଙ୍କ ନମ୍ବରକୁ ବ୍ଲକ୍ କରିଦେଲେ । ଅନ୍ୟ ନମ୍ବରରୁ ଯୋଗାଯୋଗ କରିବାରୁ ଅସଦାଚରଣର ଭୟ ଦେଖାଇ ଓଲଟି ଜେଲ୍ରେ ଠୁଙ୍କିଦେବେ ବୋଲି ଧମକ ଦେଲେ । ନ୍ୟାୟ ପାଇଁ ଏବେ ଯୁବକ ଜଣଙ୍କ ଏ ଥାନାରୁ ସେ ଥାନାକୁ ଦୌଡ଼ୁଛନ୍ତି । ରବିବାର ଧଉଳି ଥାନାକୁ ଅଭିଯୋଗ କରିବାକୁ ଆସି ଯୁବକ ଜଣଙ୍କ ପୁଲିସ ଠାରୁ ନିରାଶ ହେବାପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲାର ଚିତ୍ତରଞ୍ଜନ ମଲ୍ଲିକ ମାଟ୍ରିମୋନି ସଂସ୍ଥାରେ ନାମ ପଞ୍ଜିକରଣ କରିଥିଲେ । ଉକ୍ତ ସଂସ୍ଥାରେ ସୋନାଲୀ(ଛଦ୍ମନାମ) ନାମ୍ନୀ ଯୁବତୀ ମଧ୍ୟ ନାମ ପଞ୍ଜିକରଣ କରିଥିଲେ । ମେଟ୍ରିମୋନି ସାଇଟରୁ ଫୋନ ନମ୍ବର ନେଇ ଉଭୟ କଥାବାର୍ତ୍ତା ଆରମ୍ଭ କରିଥିଲେ । ସୋନାଲୀ ବିବାହର ପ୍ରତିଶ୍ରୁତି ଦେଇ କିଛିଦିନ ଚିତ୍ତଙ୍କ ମିଳାମିଶା ବଢ଼ାଇଥିଲେ ।
ପରେ ସୋନାଲୀ ଚିତ୍ତଙ୍କ ଠାରୁ ଟଙ୍କା ଲୁଟିବା ଆରମ୍ଭ କରି ଦେଇଥିଲେ । ବିଭିନ୍ନ ଆଳ ଦେଖାଇ ସେ ଚିତ୍ତଙ୍କ ଠାରୁ ୪୫ ହଜାର ଟଙ୍କା ନେଇ ଯାଇଥିଲେ । ଏହାପରେ ସେ ଚିତ୍ତଙ୍କ ମୋବାଇଲ ନମ୍ବରକୁ ବ୍ଲକ୍ କରି ଦେଇଥିଲେ । ଚିତ୍ତ ଅନ୍ୟ ନମ୍ବରରୁ ସୋନାଲୀଙ୍କ ସହ ଯୋଗାଯୋଗ କରିବାରୁ ସେ ତାଙ୍କୁ ଅସଦାଚରଣର ଭୟ ଦେଖାଇ ଜେଲ୍ରେ ଠୁଙ୍କିଦେବେ ବୋଲି ଧମକ ଦେଇଥିଲେ । ଠକାମୀର ଶିକାର ହୋଇଥିବା ଚିତ୍ତ ପ୍ରଥମେ ଯାଜପୁରରେ ଥାନାରେ ଅଭିଯୋଗ କରିଥିଲେ । ସେଠାରେ ପୁଲିସ ତାଙ୍କୁ ଫେରାଇ ଦେଇଥିଲେ । ପରେ ସୋନାଲୀ ସମ୍ବଲପୁରରେ ରହୁଥିବା ସୂଚନା ପାଇ ଚିତ୍ତ ସେଠାରେ ପହଞ୍ଚି ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସେଠରୁ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ପରେ ସେ ପୁରୀ ସତ୍ୟବାଦୀ ଥାନା ଓ ଶେଷରେ ସୋନାଲି ଧଉଳି ଥାନା ଅଞ୍ଚଳରେ ରହୁଥିବା ଖବର ପାଇ ଆଜି ଆସି ଧଉଳି ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ।