ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ଯୁବକଙ୍କୁ ବର୍ବରତାର ସହ ନିର୍ଯାତନା ଦିଆଯାଇଛି । କାସଗଞ୍ଜରେ ଜଣେ ଯୁବକଙ୍କୁ କିନ୍ନରଙ୍କ ଏକ ଗୋଷ୍ଠୀ ବର୍ବରତାର ସହ ନିର୍ଯାତନା ଦେଇଛନ୍ତି । ଯୁବକଙ୍କୁ ମାଡ ମାରିବା ସହ ଲଣ୍ଡା କରି ପରିସ୍ରା ପିଆଯାଇଥିବା ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ଆକ୍ସନମୋଡକୁ ଆସିଛି । ପୀଡିତଙ୍କ ଅଭିଯୋଗ କ୍ରମେ ୩ କିନ୍ନର ଓ ୨ ପୁରୁଷ ସହଯୋଗୀଙ୍କ ସମେତ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଘଟଣାଟି ୨୬ ତାରିଖରେ ଘଟିଛି । କାସଗଞ୍ଜର ଏହି ପୀଡିତ ଯୁବକ କିନ୍ନରଙ୍କ ଗୋଷ୍ଠୀ ପାଇଁ ରୋସେୟା ଭାବେ କାର୍ଯ୍ୟ କରୁଥିଲେ । କିନ୍ନର ଗୋଷ୍ଠୀ ତାଙ୍କୁ ତାଙ୍କ ଗୋଷ୍ଠୀରେ ସାମିଲ ହେବାକୁ ବାରମ୍ବାର ଚାପ ପକାଇ ଆସୁଥିଲେ । ହେଲେ ଯୁବକଜଣଙ୍କ ଏଥିରେ ରାଜି ନହେବା ସହ ଏହାକୁ ବିରୋଧ କରୁଥିଲେ ।
ପରେ ସେ ସେମାନଙ୍କ ପାଇଁ ରୋଷେୟା ଭାବେ କାର୍ଯ୍ୟ କରିବେ ନାହିଁ ବୋଲି କହିଥିଲେ । ତେବେ ଏହି ଘଟଣା ପରେ ସମ୍ପୃକ୍ତ ଯୁବକଙ୍କୁ କିନ୍ନରମାନେ କୌଣସି ଏକ ଅଜ୍ଞାତ ସ୍ଥାନକୁ ଅପହରଣ କରି ନେଇଥିଲେ । ସେଠାରେ ଏକ ଜଙ୍ଗଲିଆ ରାସ୍ତାରେ ୩ ଜଣ କିନ୍ନର ଓ ସେମାନଙ୍କର ଅନ୍ୟ ଦୁଇ ଜଣ ସହଯୋଗୀ ଯୁବକଙ୍କୁ ମାଡ ମାରିବା ସହ ରାସ୍ତା ଉପରେ ବସାଇ ଲଣ୍ଡା କରିଥିଲେ । ଅସଭ୍ୟ ଭାଷାରେ ଗାଳି ଦେବା ସହ ପରିସ୍ରା ପିଆଇଥିଲେ । ଯୁବକଙ୍କର ବ୍ୟାଗ ଓ ସେଥିରେ ଥିବା ୧୦ ହଜାର ଟଙ୍କା ଲୁଟି ନେଇଥିଲେ । ଏହାର ଭିଡିଓ ଉତ୍ତୋଳନ କରି ଅନ୍ୟମାନଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ ଏହି କିନ୍ନର ଗୋଷ୍ଠୀ । ପୀଡିତଜଣଙ୍କ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ନେହୁରା ହେଉଥିବା ବେଳେ ଏମାନେ ବେଶ କିଛି ସମୟ ଧରି ଅମାନବୀୟ କାଣ୍ଡ ଜାରି ରଖିଥିଲେ । ଏଥିରେ ୩ ଜଣ କିନ୍ନର ଭିଡିଓରେ ଦେଖାଯାଉଥିବା ବେଳେ କ୍ୟାମେରା ପଛ ପଟେ ଅନ୍ୟ ଦୁଇ ପୁରୁଷ ସହଯୋଗୀ ରହିଥିଲେ ।