କୋରାପୁଟ: ମଦ ଉଜାଡି ଦେଲା ସୁନାର ସଂସାର । ମଦ୍ୟ ପାନକୁ ନେଇ ସୃଷ୍ଟି ହେଲା ପାରିବାରିକ ଅଶାନ୍ତି । ଫଳରେ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । କୋରାପୁଟ ବ୍ଲକ ଦଶମନ୍ତପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଜର ହିତାହିତ ଜ୍ଞାନ ଭୁଲି ଗଲା ମଦ୍ୟପ ନୃଶଂସ ସ୍ୱାମୀ । ନିଜ ପତ୍ନୀ କୁ ଗୋଇଠା,ବିଧା ମାରିମାରି ଜୀବନରୁ ମାରିଦେଲା ସ୍ୱାମୀ । ଦଶମନ୍ତପୁର ଥାନା ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣା ଅଭିଯୋଗରେ ସ୍ୱାମୀକୁ ଥାନା ଅଟକ ରଖାଯାଇଛି । ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯାଉଛି ।
ଦଶମନ୍ତପୁର ଥାନା ପିଣ୍ଡା ପଦର ପଞ୍ଚାୟତର ଖମ୍ବପଡା ଗାଁର ହରି ଚାଲାଣ ତା ଧର୍ମ ପତ୍ନୀ ଗୋମତୀ ଚାଲାଣକୁ ପିଟି ପିଟି ହତ୍ୟା କରିଥିବା ନେଇ ମୃତକର ସମ୍ପର୍କିୟ ଥାନାରେ ଏତଲା ଦେଇଛି । ମହିଳାର ବାପା ମାଙ୍ଗତା ଜାନୀ କହିବା ଅନୁସାରେ ହରି ମଦ୍ୟପାନ କରିଥିବାରୁ ସ୍ତ୍ରୀ ଗୋମତୀ ପ୍ରବଳ ବିରକ୍ତ ହୋଇଥିଲା । ଏହାକୁ ନେଇ ସୋମବାର ସନ୍ଧ୍ୟାରେ ପ୍ରବଳ ଯୁକ୍ତି ତର୍କ ହୋଇ ଉଗ୍ର ରୂପ ଧାରଣ କରିଥିଲା । ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ଥିବା ହରି ଗୋମତୀଙ୍କୁ ନିର୍ଧୁମ ପିଟିଥିଲା । ଗୋଇଠା ,ବିଧା ,ଲାତ ମାଡ ମାରିବା ଫଳରେ ଅଚେତ ହୋଇ ମୃତ୍ୟ ଘଟିଥିଲା । ସକାଳ ହେବାରେ ସ୍ତ୍ରୀ ଗୋମତି ଆଉ ଉଠି ନଥିଲା । ଏହି ଖବର ଶ୍ୱଶୁର ଘରକୁ ଜଣାଇବା ପରେ ଗୋମତିର ମୃତ୍ୟୁ ହୋଇଥିବାର ଜଣା ପଡିଥିଲା । ଅଭିଯୋଗ ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରିବା ସହ ପରିବାରକୁ ହସ୍ତାନ୍ତର କରିଛି ।