ଭୁବନେଶ୍ୱର : କଥାରେ ଅଛି “ଅଙ୍ଗଦାନ, ଜୀବନର ଶ୍ରେଷ୍ଠ ଦାନ” । ବାସ୍ତବରେ, ସାର୍ଥକ ଜୀବନର ଅନ୍ୟ ଏକ ନାମ “ଅଙ୍ଗଦାନ” ବୋଲି କୁହାଯାଏ । ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ସୁନ୍ଦରପଦାର ଜଣେ ବୟୋଜ୍ୟେଷ୍ଠ ମୃତ ବ୍ୟକ୍ତିଙ୍କର ପରିବାରବର୍ଗ । ସେମାନେ ତାଙ୍କ ସ୍ଵର୍ଗତଃ ପିତାଙ୍କର ଚକ୍ଷୁ ଦାନ କରି ଅଶେଷ ସମ୍ମାନର ଅଧିକାରୀ ସାଜିଛନ୍ତି । ସ୍ଵର୍ଗତଃ ଶ୍ରୀ ବିଜୟ ରାମ ଜେନା, ନିଜ ଜୀବନ ସିନା ହରାଇଛନ୍ତି କିନ୍ତୁ ଅନ୍ୟର ଜୀବନରେ ଆଲୋକ ଆଣିଦେଇଛନ୍ତି । ହଜିଯାଇଛି ତାଙ୍କ ଆତ୍ମା କିନ୍ତୁ ରହିଯାଇଛି ତାଙ୍କ ଚିହ୍ନ ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ଵର ସ୍ଥିତ ସୁନ୍ଦରପଦା ଅଞ୍ଚଳର ୭୬ ବର୍ଷିୟ ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ରୀ ବିଜୟ ରାମ ଜେନାଙ୍କର ଗତ ମାର୍ଚ୍ଚ ୧୭ ତାରିଖରେ ବ୍ରେନ ଷ୍ଟ୍ରୋକ ହେବାରୁ ସେ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ, ମାର୍ଚ୍ଚ ୩୧ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସ୍ଵର୍ଗତଃ ଜେନା’ଙ୍କ ପୁଅ ଏହି ଦୁଃଖଦ ଖବରକୁ ତାଙ୍କ ସାଙ୍ଗ ତଥା ଖଦିବୋର୍ଡ ଚେୟାରମ୍ୟାନ, ଶ୍ରୀ ସଂଗ୍ରାମ କେଶରୀ ପାଇକରାୟଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ଖବର ପାଇ ଶ୍ରୀ ପାଇକରାୟ ଶୋକ ପ୍ରାର୍ଥନା କରିବା ସହ ତାଙ୍କ ପିତା’ଙ୍କର ଆଖି ଦାନ କରିବାକୁ ପରାମର୍ଶ ଦେଇଥିଲେ। ପରିବାରବର୍ଗ ମଧ୍ୟ ଏଥିରେ ରାଜି ହୋଇଥିଲେ । ଶ୍ରୀ ପାଇକରାୟ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ସମସ୍ତ ସୂଚନା ଦେଇଥିଲେ ।
ଯେହେତୁ ଓଡ଼ିଶା ମୋ ପରିବାର ତାର ସମାଜସେବା କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଫେବ୍ରୁୟାରୀ ୨୧ ତାରିଖରୁ “ଅଙ୍ଗଦାନ” ପଞ୍ଜୀକରଣ ଶିବିର ଆୟୋଜନ କରିଆସୁଛି, ସେଥିପାଇଁ ଏ ନିମନ୍ତେ ତୁରନ୍ତ ପଦକ୍ଷେପ ନେଇଥିଲା । କ୍ୟାପିଟାଲ ହସ୍ପିଟାଲର ଅଙ୍ଗ ପ୍ରତିରୋପଣ ଡାକ୍ତରମାନଙ୍କ ଦ୍ଵାରା ମାତ୍ର ୨ ଘଣ୍ଟା ସମୟ ଅବଧିରେ ସ୍ଵର୍ଗତଃ ଜେନା’ଙ୍କ ଆଖି ଅଣାଯାଇଥିଲା । ଏହି ମହତ୍ କାର୍ଯ୍ୟରେ ଖଦିବୋର୍ଡ ଚେୟାରମ୍ୟାନ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ପ୍ରତିରୋପଣକାରୀ ପ୍ରାଯୁକ୍ତିକ ସୁମିତ୍ରା ରାଉତ ଏବଂ ଉକ୍ତ ହସ୍ପିଟାଲର ଅଙ୍ଗ ପ୍ରତିରୋପଣକାରୀ ଡାକ୍ତରମାନଙ୍କର ପ୍ରମୁଖ ଭୂମିକା ଥିଲା ।
ସତରେ, ଏହିପରି ବଦାନ୍ୟ ବ୍ୟକ୍ତି ସମାଜରେ ବିରଳ, ଅନ୍ୟକୁ ଅଙ୍ଗଦାନ କରି ସମାଜକୁ ମହତ ବାର୍ତ୍ତା ଦେଇଛନ୍ତି ସ୍ଵର୍ଗତଃ ଜେନା’ଙ୍କର ପରିବାର ବର୍ଗ । ଅନ୍ୟର ଆଖିରେ ନିଜ ପିତାଙ୍କ ସ୍ମୃତିର ପଟ୍ଟଚିତ୍ର ଆଙ୍କିଦେଇଛନ୍ତି । ଜଣେ ଦୃଷ୍ଟିହୀନ ବ୍ୟକ୍ତିକୁ ଦୁନିଆ ଦେଖିବାର ସୁଯୋଗ ଦେଇଛନ୍ତି । ଏଥିରେ ସ୍ଵର୍ଗତଃ ଜେନା’ଙ୍କ ପରିବାର ସଦସ୍ୟ’ଙ୍କର ଅବଦାନ ଅତୁଳନୀୟ । ଏହି ପ୍ରେରଣା ଯୋଗ୍ୟ କାର୍ଯ୍ୟ ହେତୁ ସ୍ଵର୍ଗତଃ ଜେନା’ଙ୍କ ପରିବାର ସଦସ୍ୟମାନଙ୍କୁ ଚାରିଆଡୁ ଭୁରି ଭୁରି ପ୍ରଶଂସା ମିଳୁଛି ।