ଜୟପୁର: ରାଜସ୍ଥାନର କରାଉଲି ଜିଲ୍ଲାରେ ଜଣେ ମହିଳା କୁମ୍ଭୀର ମୁହଁରୁ ସ୍ୱାମୀଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଘଟଣାଟି ଗତ ମଙ୍ଗଳବାର ଅପରାହ୍ନରେ ଘଟିଥିବାବେଳେ ଏହି ମହିଳାଙ୍କ ସାହସକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ବନି ସିଂହ ନାମକ ବ୍ୟକ୍ତି ହେଉଛନ୍ତି ଜଣେ ମେଷପାଳକ । ମଙ୍ଗଳବାର ସେ ତାଙ୍କର ମେଣ୍ଢା ଓ ଛେଳିପଲକୁ ପାଣି ପିଆଇବାକୁ ଚମ୍ବଲ ନଦୀକୂଳକୁ ନେଇଥିଲେ । ଛେଳିମାନେ ପାଣି ପିଉଥିବାବେଳେ ଅତ୍ୟଧିକ ଗରମ ହେଉଥିବାରୁ ବନି ବୁଡ ପକାଇବାକୁ ନଦୀକୁ ପ୍ରବେଶ କରିଥିଲେ । ଏହି ସମୟରେ ଏକ ବଡ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା ।
କୂଳରେ ଛିଡା ହୋଇଥିବା ପତ୍ନୀ ବିମଳାଙ୍କ ହାତରେ କେବଳ ଗୋଟିଏ ଠେଙ୍ଗା ଥିଲା । ସେ କାଳବିଳମ୍ବ ନକରି ନଦୀକୁ ଲମ୍ଫପ୍ରଦାନ କରିବା ସହ ଠେଙ୍ଗାରେ କୁମ୍ଭୀରକୁ ନିସ୍ତୁକ ପିଟିବାରେ ଲାଗିପଡିଲେ । ମାଡ ଖାଇବାପରେ କୁମ୍ଭୀର ବନିଙ୍କୁ ଛାଡିଦେଲା ସତ, ତେବେ କିଛି ସମୟପରେ ପୁଣି ଆକ୍ରମଣ କରି ବନିଙ୍କୁ ଗଭୀର ପାଣି ଭିତରକୁ ଟାଣିନେଇଥିଲା । ବିମଳା ଏଥର କୁମ୍ଭୀର ଆଖିକୁ ଲକ୍ଷ୍ୟକରି ଠେଙ୍ଗାମାଡ କରିବାରୁ କୁମ୍ଭୀର ବନିଙ୍କୁ ଛାଡିଦେଇଥିଲା । ବନିଙ୍କ ଗୋଡ ଓ ଜଂଘରେ ଆଘାତ ଲାଗିଥିବାବେଳେ ସେ ବର୍ତ୍ତମାନ କରାଉଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି ।