17.1 C
Bhubaneswar
Monday, November 25, 2024
Homeଓଡିଶାଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ଗଭୀର ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ଗଭୀର ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଆଜି ଓଡ଼ିଆ ସମାଜ ସମ୍ମୁଖେର ଗୋଟିଏ ବଡ ପ୍ରଶ୍ନ ଠିଆ ହୋଇଛି । ଓଡ଼ିଆ ଭାଷା, ଐତିହ୍ୟ, ଗୌରବ, ଅସ୍ମିତା ଓ ସଂସ୍କୃତି ଉପରେ ବଡ ପ୍ରଶ୍ନଚିହ୍ନ ଲାଗିଛି । ଯେଉଁ ସମାଜର ଐତିହ୍ୟ ହଜାର ହଜାର ବର୍ଷ ତଳର, ତାହାର ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବିଜେପି ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବରେ ଓଡ଼ିଆ ଅସ୍ମିତା ଏବଂ ରାଜ୍ୟରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରକ୍ରିୟାକୁ କଣ୍ଠରୋଧ କରାଯିବାର ଅପଚେଷ୍ଟାକୁ ସଫଳ ହେବାକୁ ଦେବ ନାହିଁ ବୋଲି ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଚଳିତ ଥର ନିର୍ବାଚନ ଓଡ଼ିଆ ଅସ୍ମିତା, ଅସ୍ମିତ୍ୱ, ଓଡ଼ିଶାର ଭବିଷ୍ୟତ, ନୂଆପିଢିଙ୍କ ସୁରକ୍ଷା ନିର୍ବାଚନର ବିଷୟବସ୍ତୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ପ୍ରଣାଳୀରେ ଓଡ଼ିଶା ସବୁଠୁ ଲାଭାର୍ଥୀ ହୋଇଛି । ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ୨୪ ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାରାଜ୍ୟ ଓଡ଼ିଶା ଯେଉଁଭଳି ସ୍ଥିତିରେ ରହିବା କଥା, ସେଭଳି ସ୍ଥିତିରେ ନାହିଁ । ଓଡ଼ିଶାର ବିକାଶ ସବୁ ଦିଗରୁ ନିମ୍ନଗାମୀ ହୋଇଛି । ବିଜେପିକୁ ଆଶୀର୍ବାଦ କଲେ ଓଡ଼ିଶାକୁ ବିକଶିତ ଭାରତ ବେଳେ ଦେଶର ୧ ନମ୍ବର ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି । ତେବେ ବର୍ତ୍ତମାନର ମୂଳ ପ୍ରଶ୍ନ ହେଉଛି ଓଡ଼ିଆ ଭାଷା ଓ ଅସ୍ମିତା, ଯାହା ଏକ ବଡ ପ୍ରଶ୍ନବାଚୀରେ ଅଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ଓଡ଼ିଆ ଭାବେ ବାହାର ରାଜ୍ୟରୁ ମୋତେ ରାଜ୍ୟସଭାକୁ ନିର୍ବାଚତ କରିବା ମୋ ପାଇଁ ଗୌରବର ବିଷୟ । ଆଜି ମୋ ଉପରେ ଓଡ଼ିଆ ନେତା ଭାବରେ ପ୍ରଶ୍ନ ଉଠିଛି, ଯାହାର ସାର୍ଟିଫିକେଟ୍ ଓଡ଼ିଆ ଲୋକମାନେ ଦେବେ । କିନ୍ତୁ ଆଜି ଓଡ଼ିଶାର ନେତୃତ୍ୱ କିଏ ନେବ ତାହା ଏକ ପ୍ରଶ୍ନବାଚୀ । ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଆଞ୍ଚଳିକ ଦଳର ନେତୃତ୍ୱ ଜଣେ ବାହାରର ନେତା ନେଉଛନ୍ତି । ଓଡ଼ିଆ ସ୍ୱାଭିମାନକୁ ଆଘାତ କରିବା ପାଇଁ ଅମଲାଙ୍କୁ ନେଇ ଗୋଟିଏ କୋଟେରୀ ଚେଷ୍ଟା କରୁଛି । ନିକଟ ଅତୀତରେ ଏପରି ଘଟଣା ସାମ୍ନାକୁ ଆସିଛି, ଯାହା ପୂର୍ବରୁ ଓଡ଼ିଆ ସ୍ୱାଭିମାନକୁ କୁଠାରଘାତ କରିଛି । କୋଭିଡ୍ ସମୟରେ ମହାପ୍ରଭୁଙ୍କ ରଥାଯାତ୍ରାକୁ ବନ୍ଦ କରିବାକୁ କିଏ କରିଥିଲା ? ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କିଏ କରିଥିଲା ? ଓଡ଼ିଶା ସରକାରଙ୍କ ସତ୍ୟପାଠ କଣ ଥିଲା, ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ ଉତ୍ତର ଦିଅନ୍ତୁ ।

ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଭାବରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସେ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଦେଇଥିଲେ । ମାତ୍ର ଶ୍ରମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବା ନାଁରେ ହଜାର ହଜାର ବର୍ଷ ତଳର ଐତିହ୍ୟ ଓ କୀର୍ତ୍ତିରାଜିକୁ ନଷ୍ଟ କରିଛନ୍ତି । ତ୍ରୟୋଦଶ ଶତାବ୍ଦୀ ପୁରୁଣା ଐତିହ୍ୟ ଓ କୀର୍ତ୍ତିରାଜକୁ ନଷ୍ଟ କରିଛନ୍ତି ଓଡ଼ିଶା ସରକାର । ସରକାର ଲଙ୍ଗୁଳି ମଠ, ଏମାର ମଠ, ମଙ୍ଗୁ ମଠ, ସାନ ଛତା ମଠ, ବଡ଼ ଆଖଡ଼ା ମଠ ଏମିତି ଅନେକ ମଠ ଭାଙ୍ଗିଛନ୍ତି । ଲିଙ୍ଗରାଜ ମନ୍ଦିର, ଚିତ୍ରକାରିଣୀ ମନ୍ଦିର, ମକରେଶ୍ୱର ମନ୍ଦିର, ମୈତ୍ରେସ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ସହସ୍ରଲିଙ୍ଗ ଏବଂ ପାପନାଶିନୀ ପୁଷ୍କରିଣୀ, ଶାରୀ ଦେଉଳର କୀର୍ତ୍ତିରାଜି ନଷ୍ଟ କରିଛନ୍ତି । ଶାରୀ ଦେଉଳ ପାର୍ଶ୍ୱରେ ସପ୍ତମ ଶତାବ୍ଦୀର ଦେବୀ ମନ୍ଦିରକୁ ନଷ୍ଟ କରିବାକୁ ବି ପଛାଇ ନାହିଁ ସରାକାର । ଓଡ଼ିଶା ସରକାରଙ୍କ କମ୍ପାନୀ ଓମଏମସି ଯାଜପୁର ଜିଲ୍ଲାର ପାରାଭାଡି ପାହାଡ଼ରେ ଥିବା ଅଷ୍ଟମ ଶତାବ୍ଦୀର ବୌଦ୍ଧ ସ୍ତୁପକୁ ଭାଙ୍ଗି ରୁଜି ଖନନ କାମ କରୁଛି । ତ୍ରୟୋଦଶ ଶତାବ୍ଦୀ ଗଙ୍ଗବଂଶର ଚୌଦ୍ୱାରଗଡ଼ ଏବଂ ଅନ୍ୟ ସଂରକ୍ଷିତ ସ୍ଥାନରେ ଓଡ଼ିଶା ସରକାରଙ୍କ ସଂସ୍ଥା ଇଡକୋ ଜବରଦଖଲ କରୁଥିବା ଅଭିଯୋଗ ହୋଇଛି । ବିକାଶକୁ କେହି ବିରୋଧ କରୁନାହାନ୍ତି କିନ୍ତୁ ବିକାଶ ନାମରେ ଓଡ଼ିଆ ସଭ୍ୟତା, ଓଡ଼ିଆ ଐତିହ୍ୟକୁ ଭାଙ୍ଗିବେ ତାହେଲେ ତାକୁ ସମସ୍ତ ଓଡ଼ିଆ ବିରୋଧ କରିବେ ।

ଏହାବ୍ୟତିତ ପାଇକ ବିଦ୍ରୋହର ଅଗ୍ରଣୀ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ବୀରତ୍ୱକୁ ନେଇ ଏକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଜମି ଦେବା ପାଇଁ ଅନୁରୋଧ କରାଯାଇଥିଲା, ଯେଉଁଥିପାଇଁ ଇଣ୍ଡିଆନ ଅଏଲ ୯୦ କୋଟି ଟଙ୍କାର ବ୍ୟୟବରାଦ କରିସାରିଥିଲା । ରାଜ୍ୟ ସରକାର ବାହାନା ଦେଖାଇ ଏହାକୁ ବନ୍ଦ କରିଦେଲେ । ୨୫୦ କୋଟି ଟଙ୍କା ବ୍ୟୟରେ ବରୁଣେଇର ପାଦ ତଳେ ପାଇକ ସ୍ମାରକୀ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ପାଇଁ ଏହା ତିଆରି ହୋଇପାରିନାହିଁ । ଏହା କଣ ଓଡ଼ିଆ ଅସ୍ମିତା ? ଏହା ସବୁ ମୋ ପାଇଁ ରାଜନୈତିକ ପ୍ରସଙ୍ଗ ନୁହେଁ, ଓଡ଼ିଆ ଅସ୍ମିତା ପାଇଁ କୌଣସି ଜାଗରଣ କରିବା ପାଇଁ ମୁଁ ପଛାଇବି ନାହିଁ । କୁଳବୃଦ୍ଧ ମଧୁବାବୁ, ଗୋପବନ୍ଧୁ ସମାଜ ପାଇଁ ତ୍ୟାଗ କରିଥିଲେ । ତେଣୁ ଆନ୍ଦୋଳନ କରିବା ପାଇଁ ପ୍ରତିବଦ୍ଧତା ରଖିଥିବା ପାଖରେ ଲାଭ କ୍ଷତିର ହିସାବ ନଥାଏ । ମୁଁ ବୀର ସୁରେନ୍ଦ୍ର ସାଏ, ସାରଳା ଦାସ, ଅତିବଡି ଜଗନ୍ନାଥ,ମାଧୋ ସିଂହ, ଧରଣୀଧର ନାଏକ, ବାଜି ରାଉତଙ୍କ ଦାୟଦ । ମୋର ଧମନୀରେ ଓଡ଼ିଆରେ ଅଛି ।

ଭାଷା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଛି । ଓଡ଼ିଶାରେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ନବୀନ ସରକାରରେ ବିଳମ୍ବ ପରିଲକ୍ଷିତ ହୋଇଥିଲା । ଜାଗା ମଧ୍ୟ ଯୋଗାଇଦେବାରେ ସରକାରଙ୍କ ଆନ୍ତରିକତା ନଥିଲା । ଅପରପକ୍ଷରେ ମୋଦୀ ସରକାରରେ ହିଁ ଭୁବନେଶ୍ୱରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ କ୍ଲାସିକାଲ୍ ଓଡ଼ିଆ କେନ୍ଦ୍ର ୨୦୧୯ରେ ସ୍ଥାପନା ହୋଇଛି । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଦେଶିଆ, କୁଇ, ଗଡ଼ବା, ଜୁଆଙ୍ଗ, କିଷାନ, ସାନ୍ତାଳି ଏବଂ ସୌରା ଭାଷାରେ ବର୍ଣ୍ଣବୋଧ ସ୍ୱରୂପ ପୁସ୍ତକ ଉପଲବ୍ଧ ହୋଇଛି । ମୋଦୀ ପ୍ରଥମ ପ୍ରଧାନମନ୍ତ୍ରୀ ଯେ ଓଡ଼ିଶାର ପର୍ବ ପର୍ବାଣୀ ସହ ନିଜକୁ ଯୋଡିଥାନ୍ତି । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପ୍ରଥମ ଥର ପାଇଁ ନବକଳେବର ନିମନ୍ତେ କେନ୍ଦ୍ର ସରକାର ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ସହ କୋଭିଡ୍ ସମୟରେ ରଥଯାତ୍ରା କରିବା ପାଇଁ ପ୍ରଚେଷ୍ଟା ଦେଇଥିଲେ, ଏହା ଆମର ପ୍ରତିବଦ୍ଧତା । ପଦ୍ମ ପୁରସ୍କାରରେ ୪୯ ଜଣଙ୍କୁ ଓଡ଼ିଶାର ସମ୍ମାନିତ ହୋଇଛନ୍ତି । ଓଡ଼ିଶାର କଳାକାରଙ୍କୁ ରାଜ୍ୟସଭାକୁ ପଠାଯାଇଛି ।

୨୦୦୪ ରୁ ୨୦୧୪ ମଧ୍ୟରେ ଓଡ଼ିଶା କଂଗ୍ରେସ ସରକାର ସମୟରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ପାଇଛି । ଓଡ଼ିଶାରେ ପ୍ରାୟ ୧୮ ଲକ୍ଷ କୋଟିରୁ ଅଧିକ କୋଟି ଟଙ୍କା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ, ରେଳ, ରାସ୍ତା, ବିମାନ ସେବା, ଗରିବ କଲ୍ୟାଣ ଆଦି ଯୋଜନାରେ ଏହି ଅନୁଦାନ ମିଳିଛି । ବିଗତ ୨୪ ବର୍ଷ ଶାସନରେ କେନ୍ଦ୍ର ସରକାର ଆର୍ôଥକ ଅନୁଦାନ ଦେବା ପରେ ବି ଗାଁରେ ପିଇବା ପାଣି ନାହିଁ । ହୀରାକୁଦ ଡ୍ୟାମ ତଳେ ଥିବା ମ୍ୟୁନିସପାଲଟି ଅଞ୍ଚଳରେ ମାର୍ଚ୍ଚ ମାସରେ ହଇଜା ହେଉଛି । ୨୦୩୬ରେ ଓଡ଼ିଆ ପିଲାର ସ୍ୱାସ୍ଥ୍ୟ କଣ ହେବ । ଓଡ଼ିଶାର ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷାରେ ପଦବୀ ଖାଲିପଡିଛି । ସ୍କୁଲରେ ଡ୍ରପଆଉଟ ସଂଖ୍ୟା ବଢୁଛି । ଓଡ଼ିଶାରେ ୬୪.୪% ମହିଳା ଏବଂ ୬୪.୨% ଶିଶୁ ରକ୍ତହୀନତା ଶୀକାର ହୋଇଛନ୍ତି । ଏନସିଆରବି ରିପୋର୍ଟରେ ମହିଳା ନିର୍ଯ୍ୟାତନାର ବାସ୍ତବ ତଥ୍ୟ ଦେଖାଇଛି । ରାଜ୍ୟର ୧ ଲକ୍ଷ ସରକାରୀ ଦପ୍ତରରେ ପୋଷ୍ଟ ଖାଲି ଅଛି । ଓଡ଼ିଶାର ପ୍ରାୟ ୧ କୋଟି ଲୋକ ବାହାରେ କାମ କରିବାକୁ ଯାଉଛନ୍ତି ।

ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ଯେଉଁ ଆସନରୁ ପ୍ରତିନିଧିତ୍ୱ କଲେ, ହିଞ୍ଜିଳି ଏବଂ ଏବେ ପ୍ରାର୍ଥୀ ହୋଇଥିବା ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଦୀର୍ଘ ୨୪ ବର୍ଷର ଶାସନରେ ପ୍ରଶ୍ନ କଲେ ଗାଳି ହେଉଛି । ବାହାର ରାଜ୍ୟକୁ କାମ କରିବାକୁ ଯିବା ଓଡ଼ିଆ ଅସ୍ମିତାର ବିଷୟ । ସତ ନିଶ୍ଚିତ ଭାବେ ତାଙ୍କୁ କଷ୍ଟ ଦେଉଥିବ । ଚଳିତ ନିର୍ବାଚନରେ ଓଡ଼ିଆ ସମାଜ ଏହି ସବୁ ପ୍ରସଙ୍ଗ କରିବ । ଲୋକତନ୍ତ୍ରରେ ଲୋକମତ ସର୍ବୋପରି । କିନ୍ତୁ ପ୍ରସଙ୍ଗ ଯେତେବେଳେ ଆତ୍ମୟତା ସହ ହୃଦୟରୁ ବାହାରେ ଜନସଂଗଠନରେ ତାହାର ଲାଭ ଦେଖାଯାଏନାହିଁ । ଚଳିତଥର ନିର୍ବାଚନ ଓଡ଼ିଆ ଅସ୍ମିତା, ଅସ୍ମିତ୍ୱ ଓ ଓଡ଼ିଶାର ଭବିଷ୍ୟତ, ନୂଆପିଢିଙ୍କ ପାଇଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଦିଲୀପ ମଲ୍ଲିକ, ବରିଷ୍ଠ ନେତା ଦୁଲାଲ ପ୍ରଧାନ ଏବଂ ସରୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking