ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ ମାଣ୍ଡଭିୟା ଶନିବାର ଓଡ଼ିଶା ସମେତ ୫ଟି ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିଲେ ସୁଦ୍ଧା କୋଭିଡ୍ ପ୍ରତି ସତର୍କ ରହିବାକୁ ସେ ଏହି ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ବିଗତ ଦୁଇ ସପ୍ତାହ ଧରି ଅଧିକାଂଶ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏବଂ ପଜିଟିଭ୍ ହାର ହ୍ରାସ ପାଉଥିବା ସତ୍ତ୍ୱେ ଆତ୍ମସନ୍ତୋଷ ଲାଭ କରିବା ଅନୁଚିତ ବୋଲି ସେ କହିଛନ୍ତି । ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଉକ୍ତ ସମୀକ୍ଷା ବୈଠକରେ ଓଡ଼ିଶା, ବିହାର, ଛତିଶଗଡ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।
ନିଜ ରାଜ୍ୟରେ ପଜିଟିଭ୍ ହାର ଉପରେ ଦୈନିକ ନଜର ରଖିବା ସହ ଆର୍ଟି-ପିସିଆର ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ମାଣ୍ଡ୍ଭିୟା ଗୁରୁତ୍ୱାରୋପ କରିଛନ୍ତି । ଏହାବ୍ୟତୀତ ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ୍ର ଉପସ୍ଥିତି ଯୋଗୁଁ କେତେ ସଂଖ୍ୟକ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଏବଂ ଦୈନିକ ମୃତ୍ୟୁସଂଖ୍ୟା କେତେ ରହୁଛି, ତାହା ଉପରେ ମଧ୍ୟ ନଜର ରଖିବାକୁ ସେ ସଂପୃକ୍ତ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀଙ୍କ ପାଇଁ ଆଇସିୟୁ, ଅକ୍ସିଜେନ୍ ଓ ଭେଣ୍ଟିଲେଟର ଉପଲବ୍ଧ ହେଉଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ମାଣ୍ଡ୍ଭିୟା ତଥ୍ୟ ହାସଲ କରିଛନ୍ତି । କୋଭିଡ୍ର ଯେତେ ନୂଆ ଭାରିଆଣ୍ଟ୍ ଆସିଲେ ସୁଦ୍ଧା ପରୀକ୍ଷା, ଆକ୍ରାନ୍ତଙ୍କ ତୁରନ୍ତ ଚିକିତ୍ସା ଏବଂ ବ୍ୟାପକ ଟିକାକରଣ ଉପରେ ଧ୍ୟାନ ଦେବାକୁ ସେ କହିଛନ୍ତି । ଉତ୍ତମ କୋଭିଡ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ତେଣୁ ଆର୍ôଥକ ଅଭାବ ଦର୍ଶାଇ ଏହି ବ୍ୟବସ୍ଥାରେ ଖିଲାପ ନକରିବାକୁ ମାଣ୍ଡ୍ଭିୟା କହିଛନ୍ତି । ବର୍ତ୍ତମାନ ଦେଶରେ ୧୫-୧୮ ବର୍ଷର ପିଲାଙ୍କ ମଧ୍ୟରୁ ୬୦ ପ୍ରତିଶତ ଟିକା ନେଇସାରିଲେଣି ।
ତେବେ ଏହି ପ୍ରକ୍ରିୟା ଧିମା ହୋଇପଡିଥିବାରୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି । ତେଣୁ ଏହି ବୟସ ବର୍ଗରେ ଯେଉଁମାନେ ପ୍ରଥମ ଡୋଜ୍ ନେଇନାହାନ୍ତି, ସେମାନେ କିଭଳି ଟିକା ନେବେ ଏବଂ ସେମାନଙ୍କୁ ଟିକାର ଉପକାରିତା ସମ୍ପର୍କରେ ସଚେତନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ଖୁବଶୀଘ୍ର ପ୍ରତ୍ୟେକ ରାଜ୍ୟରେ ‘ଆୟୁଷ୍ମାନ ଭାରତ ହେଲ୍ଥ ଆଣ୍ଡ୍ ୱେଲ୍ନେସ୍ ସେଣ୍ଟର’ ସ୍ଥାପନ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କୁ କୋଭିଡ୍ ଚିକିତ୍ସା ଯୋଗାଇ ଦିଆଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ବୈଠକରେ ସଂପୃକ୍ତ ରାଜ୍ୟଗୁଡିକ କେତେକ ଯୁକ୍ତିଯୁକ୍ତ ପ୍ରସଙ୍ଗ ଉତ୍ଥାପନ କରିଥିଲେ । ଝାଡ଼ଖଣ୍ଡରେ ପ୍ରବାସୀଙ୍କୁ କିପରି କୋଭିଡ୍ ଟିକା ଦିଆଯାଉଛି, ଛତିଶଗଡରେ ଟିକା ନେଇଥିବା ଏବଂ ଟିକା ନେଇନଥିବା ବ୍ୟକ୍ତିଙ୍କର କିଭଳି ପୃଥକ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ବିହାରରେ କୋଭିଡ୍ ଆକ୍ରାନ୍ତଙ୍କୁ ସ୍ପିଡ୍ପୋଷ୍ଟ ଜରିଆରେ ଘରେ ଔଷଧପତ୍ର ପହଞ୍ଚାଯାଉଛି, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।