18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶୟୁକ୍ରେନ୍ ବିବାଦ ପୁଣି ଘନେଇଲା: ସୀମାରେ ରୁଷ୍‌ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା

ୟୁକ୍ରେନ୍ ବିବାଦ ପୁଣି ଘନେଇଲା: ସୀମାରେ ରୁଷ୍‌ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା

ମସ୍କୋ:  ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରର ସମସ୍ତ ଚେତାବନୀକୁ ବେଖାତିର କରି ରୁଷ ଶନିବାର ୟୁକ୍ରେନ୍ ସୀମାରେ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ଜଣାପଡିଛି । ଏଗୁଡିକ ମଧ୍ୟରେ ଅତ୍ୟାଧୁନିକ ହାଇପରସୋନିକ୍‌,  କ୍ରୁଜ୍ ଓ ପରମାଣୁ ଶକ୍ତି ସମ୍ପନ୍ନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ । ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବାରୁ ଆମେରିକା ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛି । କ୍ରେମ୍‌ଲିନ୍‌ର ସିଚୁଏସନ୍ ରୁମ୍‌ରେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାସେଙ୍କୋଙ୍କ ସହ ବସି ଖୋଦ୍ ପୁଟିନ୍ ଏହି କ୍ଷେପଣାସ୍ତ୍ର ପରୀକ୍ଷାକୁ ନୀରିକ୍ଷଣ କରିଥିବାର ଦୃଶ୍ୟ ରୁଷୀୟ ଟେଲିଭିଜନରେ ପ୍ରସାରିତ ହୋଇଛି ।

ସବୁ କ୍ଷେପଣାସ୍ତ୍ରର ପରୀକ୍ଷା ଶହେ ପ୍ରତିଶତ ସଫଳ ହୋଇଥିବାବେଳେ ସେଗୁଡିକ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଛି ବୋଲି ରୁଷ୍ ଦାବି କରିଛି । ପୂର୍ବରୁ ୟୁକ୍ରେନ୍ ସୀମାରେ ଏଭଳି କ୍ଷେପଣାସ୍ତ୍ର ପରୀକ୍ଷା କରାଯିବ ବୋଲି କ୍ରେମ୍‌ଲିନ୍ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍ ସୂଚନା ଦେଇସାରିଥିଲେ । ରୁଷ ପକ୍ଷରୁ ଏଭଳି ପରୀକ୍ଷାକୁ ସମରାଭ୍ୟାସ କୁହାଯାଇଥିବାବେଳେ ଏଥିରେ ବୋମାବର୍ଷୀ ଯୁଦ୍ଧବିମାନକୁ ମଧ୍ୟ ସାମିଲ କରାଯାଇଥିଲା । ସମରାଭ୍ୟାସରେ ରୁଷର ତିନି ବାହିନୀ ସମେତ ଷ୍ଟ୍ରାଟେଜିକ୍ ରକେଟ ଫୋର୍ସ ଏବଂ ନର୍ଦନ, ବ୍ଲାକ୍ ସି ଫ୍ଲିଟ୍‌ସ ମଧ୍ୟ ଅଂଶଗ୍ରହଣ କରିଥିବା କୁହାଯାଇଛି । ଶନିବାର ଅନୁଷ୍ଠିତ ଏହି ସମରାଭ୍ୟାସରେ ରୁଷ୍‌ର ୩୦ ହଜାର ସୈନ୍ୟ ଭାଗ ନେଇଥିବା କୁହାଯାଇଛି । ସମରାଭ୍ୟାସ ପରେ ଏହି ସୈନ୍ୟମାନେ ମୂଳ ଶିବିରକୁ ଫେରିଯିବେ ବୋଲି ରୁଷ୍ କହୁଥିବାବେଳେ ଆମେରିକା କିନ୍ତୁ ଏହାକୁ ବିଶ୍ୱାସ କରୁନାହିଁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଯୁକ୍ତି ଅନୁଯାୟୀ ଏବେମଧ୍ୟ  ୟୁକ୍ରେନ୍ ସୀମାରେ ରୁଷର ୧.୫ ଲକ୍ଷ ସୈନ୍ୟ ମହଜୁଦ ଅଛନ୍ତିି ଏବଂ ରୁଷ୍ ଯେକୌଣସି ସମୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ।

କିଛିଦିନ ପୂର୍ବେ ରୁଷ୍ ୟୁକ୍ରେନ୍ ସୀମା ଏବଂ କ୍ରିମିଆରୁ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲା । ସେତେବେଳେ ୟୁକ୍ରେନ୍ ଆକ୍ରମଣ ଆଶଙ୍କା ଶିଥିଳ ପଡିଯିବ ବୋଲି ସମସ୍ତେ ଅନୁମାନ କରୁଥିଲେ । ତେବେ ଶନିବାର ରୁଷ୍ ପକ୍ଷରୁ ଏଭଳି କ୍ଷେପଣାସ୍ତ୍ର ପରୀକ୍ଷା ସେହି ଆକଳନକୁ ଭୁଲ ପ୍ରମାଣିତ କରିଛି । ତତ୍କାଳୀନ ସୋଭିଏତ୍ ସଂଘର ଅଂଶ ଥିବା ୟୁକ୍ରେନ୍ ବର୍ତ୍ତମାନ ଆମେରିକା ନେତୃତ୍ୱାଧୀନ ନାଟୋ (ନର୍ଥ ଆଟ୍‌ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ)ର ସଦସ୍ୟତା ଗ୍ରହଣ କରିବାକୁ ଯାଉଥିବାରୁ ଏହା ରୁଷ୍‌କୁ କ୍ଷୁବ୍ଧ କରିଛି । ୟୁକ୍ରେନ୍ ଆକ୍ରମଣରୁ ନିବୃତ୍ତ ରହିବାକୁ ରୁଷ୍ ମଧ୍ୟ ଆମେରିକା ସମ୍ମୁଖରେ ଏକାଧିକ ସର୍ତ୍ତ ରଖିଛି । ୟୁକ୍ରେନ୍‌କୁ ନାଟୋ ସଦସ୍ୟତା ନଦେବା, ୟୁକ୍ରେନ୍‌ରେ କୌଣସି ଯୁଦ୍ଧାସ୍ତ୍ର ମୁତୟନ ନକରିବା ଏବଂ ୟୁକ୍ରେନ୍‌କୁ କୌଣସି ସାମରିକ ସହାୟତା ପ୍ରଦାନ ନକରିବାକୁ ରୁଷ୍ ସର୍ତ୍ତ ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking