ମୟୁରଭଞ୍ଜ : ସମୟର ଚକ୍ର ମଣିଷକୁ କେଉଁ ସ୍ଥାନରୁ କେଉଁ ସ୍ଥାନରେ ପହଞ୍ଚାଇ ଦେଇଥାଏ ତା’ର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇ ମୟୂରଭଞ୍ଜ ଶିଶୁ ମଙ୍ଗଳ ସମିତିରେ ପକ୍ଷରୁ ରାସଗୋବିନ୍ଦପୁର ବ୍ଲକସ୍ଥିତ ସାଇ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଥିବା ତିନିବର୍ଷ ବୟସର ଦୁଇ ଯାଆଁଳା ଶିଶୁପୁତ୍ରଙ୍କ କ୍ଷେତ୍ରରେ । ସୂଚନା ଅନୁଯାୟୀ, ଉପରୋକ୍ତ ଦୁଇ ଯାଆଁଳା ଶିଶୁପୁତ୍ର ସନ୍ତାନକୁ ଆଇନଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଯୋଗ୍ୟ ଘୋଷଣା କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତତ୍ତ୍ୱାବଧାନରେ ମୟୂରଭଞ୍ଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ସହ ସଂଯୋଗ କରାଯାଇଥିଲା । ଏହାପରେ ଏହି ଦୁଇ ଯାଆଁଳା ଶୁଶୁପୁତ୍ରକୁ ଇଟାଲୀର ଏକ ନିଃସନ୍ତାନ ଦମ୍ପତ୍ତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆବେଦନ କରିଥିଲେ । ଶେଷରେ ସମସ୍ତ ଆଇନ ପ୍ରକ୍ରିୟା ଆଧାରରେ ସମସ୍ତ କାଗଜପତ୍ର ପ୍ରସ୍ତୁତ ହେବା ପରେ ଇଟାଲୀର ପିତାମାତା ଆଜି ବାରିପଦାଠାରେ ଉପସ୍ଥିତ ରହି ଶିଶୁ ଦୁଇ ଜଣଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ସୁରକ୍ଷା ଅଧିକାରୀ(ଅଣ ଆନୁଷ୍ଠାନିକ) ଅମର ଦେ, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର ପରିଚାଳିକା ପଲ୍ଲବୀ ବିଶ୍ୱାଳଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଉକ୍ତ ଯାଆଁଳା ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ବିଦେଶୀ ପିତା ଶିକ୍ଷା ବିଭାଗରେ କଣ୍ଟ୍ରୋଲର ଭାବେ କାର୍ଯ୍ୟ କରୁଥିବା ସମୟରେ ମାତା ବ୍ୟାଙ୍କ ଅଫିସର ଥିବା ଜଣାପଡ଼ିଛି ।