ଶ୍ରୀଲଙ୍କା: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ସରକାରୀ ବାସଭବନକୁ ବିକ୍ଷୋଭକାରୀମାନେ କବ୍ଜା କରିବାର ଚବିଶ ଘଣ୍ଟା ପରେ ମଧ୍ୟ ସ୍ଥିତି ଅପରିବର୍ତ୍ତିତ ରହିଛି । ରବିବାର ହଜାର ହଜାର ସଂଖ୍ୟାରେ ଲୋକେ ପିଲାଛୁଆ ଧରି ବାସଭବନରେ ପ୍ରବେଶ କରିଥିବାବେଳେ ବର୍ତ୍ତମାନ ଏହା ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି । କିଛି ଲୋକ ବାଲକୋନିରେ ବୁଲାବୁଲି କରୁଥିବାବେଳେ ଆଉ କିଛି ଲୋକ ଗୋତବାୟାଙ୍କ ବିଛଣାରେ ଆରାମ କରୁଥିବା ଲକ୍ଷ୍ୟ କରାଯାଇଛି । ଗତକାଲି ମଧ୍ୟ ବାସଭବନରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା । ସୁଇମିଂ ପୁଲ୍ରେ କିଛି ବିକ୍ଷୋଭକାରୀ ସନ୍ତରଣର ମଜା ଉଠାଉଥିବାବେଳେ ଆଉ କିଛି ଲୋକ ଡାଇନିଂ ଓ ରୋଷେଇ ଘରେ ରହିଥିବା ଖାଦ୍ୟସାମଗ୍ରୀ ଉପଭୋଗ କରିଥିଲେ । ବାସଭବନ ପରିସରରେ ଗୋତବାୟାଙ୍କର ଏକାଧିକ ଦାମୀ ଓ ବିଳାସପୂର୍ଣ୍ଣ କାର୍ ରଖାଯାଇଥିବାବେଳେ ବିକ୍ଷୋଭକାରୀମାନେ ସେଗୁଡିକ ନିକଟରେ ଛିଡା ହୋଇ ସେଲ୍ଫି ନେଇଛନ୍ତି । ଆଉ କେତେକ ବିକ୍ଷୋଭକାରୀ ହାତରେ ପ୍ଲାକାର୍ଡ ଓ କଳା ପତାକା ଧରି ସରକାର ବିରୋଧୀ ସ୍ଲୋଗାନ ଦେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେନାର ସହାୟତାରେ ସାଧାରଣ ଜନତାଙ୍କୁ ଲୁଟିଥିବାରୁ ରାଜପକ୍ଷେ ପରିବାର କ୍ଷମା ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି ବିକ୍ଷୋଭକାରୀ କହିଛନ୍ତି । ସବୁଠାରୁ ମଜାର ବିଷୟ ହେଉଛି ଯେ ରାଷ୍ଟ୍ରପତିଙ୍କ ସମ୍ମଳନୀ କକ୍ଷ (କନ୍ଫରେନ୍ସ ରୁମ୍)ରେ ଲୋକେ ସାମ୍ବାଦିକ ସମ୍ମିଳନୀ ଡକାଇ ସେମାନଙ୍କର କ୍ଷୋଭବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ଦେଶରେ ଶାନ୍ତି ଅବସ୍ଥା ଫେରାଇ ଆଣିବାକୁ ସେନାକୁ ସମର୍ଥନ ଜଣାଇବାକୁ ଶ୍ରୀଲଙ୍କା ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଜେନେରାଲ ଶଭେନ୍ଦ୍ର ସିଲ୍ଭା ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।