ପୁରୀ : ନ୍ୟାୟ ପାଇଁ ପ୍ରେମିକର ଘର ଦୁଆରେ ଧାରଣାରେ ବସିଛନ୍ତି ପ୍ରେମିକା । ଥାନାରେ ଏତଲା ଦେବାର ମାସେ ବିତିଯାଇଥିଲେ ମଧ୍ୟ ନାଁ ପୋଲିସ ପ୍ରେମିକକୁ ଗିରଫ କରିଛି ନାଁ ତାର ପରିବାର ଲୋକେ ଯୁବତୀଙ୍କୁ ଗ୍ରହଣ କରିଛନ୍ତି । ଏଭଳି ଘଟଣା ଘଟିଛି ପୁରୀ ପେଣ୍ଠକଟା ସ୍ତିତ ମତ୍ସ୍ୟଜୀବୀ ବସ୍ତିରେ । ଜଣେ ବିବାହିତ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ସଂମ୍ପୃକ୍ତା ମହିଳା ଗତ ମାସ ୧୬ ତାରିଖରେ ସମୁଦ୍ରକୂଳ ଥାନା ଓ ଏସପି କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥଲେ ।
ପୁରୀ ପେଣ୍ଠକଟା ଅଞ୍ଚଳର ଆଡିଗିଲା ଜଗଦେଶ୍ୱରୀ ସେହି ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । କିନ୍ତୁ ତାଙ୍କ ବାପା ତାଙ୍କୁ ଅନ୍ୟତ୍ର ବିବାହ କରାଇଦେଲେ । କିନ୍ତୁ ବିବାହ ପରେ ସ୍ୱାମୀ ସହ ଶାରୀରିକ ସମ୍ପର୍କ ରଖିଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା ସେହି ଯୁବକ ଜଣକ । ପରବର୍ତୀ ମୁହୁର୍ତରେ ବାଧ୍ୟ ହୋଇ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଯୁବତୀ ଜଣଙ୍କ ଯୁବକ ସହ ସଂପର୍କ ରଖିଥିଲେ ଓ ପରେ ସେ ଗର୍ଭବତୀ ମଧ୍ୟ ହୋଇଥିଲେ ।
ଏକଥା ଜଣାଇବାରୁ ବିବାହ କରିବା ପାଇଁ ମନା କରିବା ସହ ଗର୍ଭ ନଷ୍ଟ କରାଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଯୁବତୀ ଗତ ୧୧ ତାରିଖରେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାକୁ ଗିରଫ କରିନାହିଁ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି ପ୍ରେମିକା ।