ଫୁଲବାଣୀ : କିଛି ଦିନ ପାଇଁ ଉଭାନ ହୋଇ ଯାଇଥିବା ଶୀତ ପୁଣି ଫେରିଛି କନ୍ଧମାଳକୁ । ଗତ ତିନି ଚାରି ଦିନ ଧରି ଜିଲ୍ଲାରେ ପାରଦ କ୍ରମାଗତ ଭାବେ ଖସିବା ସହ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି । ରାଜ୍ୟର ସର୍ବାଧିକ ଶୀତୁଆ ଅଞ୍ଚଳ ଦାରିଙ୍ଗବାଡିରେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୬.୫ ରହିଥିବା ବେଳେ ଶନିବାର ୬କୁ କମିଛି । ସେହିଭଳି ଫୁଲବାଣୀ ସହରରେ ମଧ୍ୟ ଖସିଛି ପାରଦ । ଶୁକ୍ରବାର ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଶନିବାର ୨ ଡିଗ୍ରୀ ତଳକୁ ଖସି ୬ ଡିଗ୍ରୀ ରହିଛି ।
ଏହାର ପ୍ରଭାବରେ ପ୍ରବଳ ଥଣ୍ଡା ଅନୂଭୂତ ହେଉଛି । ଏଥିସହ ସକାଳୁ ଘନ କୁହୁଡି କାରଣରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିନସାରା କୋହଲା ପବନ ବହିିବାରୁ ଶୀତର ପ୍ରଭାବ ଆହୁରି ବଢିଯାଉଛି । ସକାଳ ୯ଟା ପୂର୍ବରୁ ଘରୁ ବାହାରିବା କଷ୍ଟ ହେଉଛି । ସଂଧ୍ୟା ବେଳୁ ସମଗ୍ର ସହର ଶୂନଶାନ ହୋଇଯାଉଛି । ଲୋକେ ଥଣ୍ଡାର ପ୍ରକୋପରୁ ରକ୍ଷା ପାଇବା ପାଇଁ ନିଆଁର ଆଶ୍ରୟ ନେଉଛନ୍ତି । ଦିନ ମଜୁରିଆଙ୍କ ପାଇଁ ସମସ୍ୟା ଆହୁରି ବଢିଯାଇଛି । ଜିଲ୍ଲାର ବଲିଗୁଡା, ତୁମୁଡିବନ୍ଧ, କୋଟଗଡ଼, ବେଲଘର, ଚକାପାଦ, ରାଇକିଆ ଭଳି ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଇଲାକାରେ ମଧ୍ୟ ଥଣ୍ଡାର ପ୍ରକୋପ ଯଥେଷ୍ଟ ବୃଦ୍ଧି ପାଇଥିବା ଖବର ମିଳିଛି ।