17.1 C
Bhubaneswar
Monday, November 18, 2024
Homeଓଡିଶାଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ତେଜିଲେ ଆନ୍ଦୋଳନ, ଅଫଲାଇନ ପରୀକ୍ଷା ବାତିଲ ହେଉ

ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ତେଜିଲେ ଆନ୍ଦୋଳନ, ଅଫଲାଇନ ପରୀକ୍ଷା ବାତିଲ ହେଉ

ଭୁବନେଶ୍ୱର:  ଯୁକ୍ତ ଦୁଇ ପରିଷଦ ପରୀକ୍ଷା ହେବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଆଜିସୁଦ୍ଧା ଅଫଲାଇନ କ୍ଳାସ୍ ହେଉନଥିଲା ବେଳେ ସରକାର ଅଫ୍‌ଲାଇନ ପରୀକ୍ଷା କାହିଁକି କରାଇବେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । କୋଭିଡ୍ ପାଇଁ ବର୍ଷସାରା ଠିକ୍ ଭାବେ ପାଠ ପଢ଼ା ହୋଇନାହିଁ । ତେଣୁ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ସାରା ରାଜ୍ୟରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ରାଜଧାନୀ ସମେତ ଅନ୍ୟ ଜିଲ୍ଲା ଗୁଡ଼ିକରେ ଯୁକ୍ତଦୁଇ ଦ୍ୱିତୀୟବର୍ଷର ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିବା ସହ ଆନ୍ଦୋଳନ କରିଛନ୍ତି । କରୋନା ମହାମାରୀ ପାଇଁ ସମୂର୍ଣ୍ଣ ପାଠ୍ୟଖସଡ଼ା ବା ସିଲାବସ୍ ସରିନାହିଁ । ଏଥିସହ ଅନଲାଇନ୍‌ରେ ପାଠ ପଢ଼ା ହେଉଛି । ତେଣୁ ପରୀକ୍ଷାକୁ ବାତିଲ କରାଯିବା ସହ ତ୍ରୟମାସିକ ପରୀକ୍ଷା ଆଧାରରେ ମାର୍କ ପ୍ରଦାନ କରାଯିବା ନେଇ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଲୋୟର ପିଏମ୍‌ଜିରୁ ନବୀନ ନିବାସ ଘେରାଉ ଅଭିମୁଖେ ଯିବାବେଳେ ଛାତ୍ରଛାତ୍ରୀ ଓ ପୁଲିସ ମୁହାଁମୁହିଁ ହୋଇଥିଲା । ଦାବି ପୂରଣ ନହେଲେ ଆଗାମୀ ଦିନରେ ହଜାର ସଂଖ୍ୟକ ଛାତ୍ରଛାତ୍ରୀ ନବୀନ ନିବାସ ଘେରାଉ କରିବେ ବୋଲି ଅଲ୍ ଓଡ଼ିଶା ଛାତ୍ର ସଂସଦ ପକ୍ଷରୁ ଚେତାବନି ଦିଆଯାଇଛି । ଏସମ୍ପର୍କରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲା । ହେଲେ ତାହା ସମ୍ଭବ ହୋଇପାରିନାହିଁ । ସୂଚନା ଅନୁଯାୟୀ, କିଛିଦିନ ତଳେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୁକ୍ତ ଦୁଇ ପରିଷଦ ପରୀକ୍ଷା ହେବା ନେଇ ଘୋଷଣା କରିଥିଲେ । ତାରିଖ ଘୋଷଣା କରିନଥିଲେ ବି ଛାତ୍ରୀଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ହେଲେ ଏଭଳି ଘୋଷଣାକୁ ଛାତ୍ରଛାତ୍ରୀମାନେ ସହଜରେ ଗ୍ରହଣ କରିପାରିନାହାନ୍ତି ।

ତେଣୁ ସରକାରଙ୍କ ଘୋଷଣାକୁ ବିରୋଧ କରି ସାରା ରାଜ୍ୟରେ ଗୁରୁବାର ବିକ୍ଷୋଭ କରିଛନ୍ତି । ପୁରୀ, କେନ୍ଦୁଝର, ଭଦ୍ରକ, କୋଣାର୍କ, ଜଗତସିଂହପୁର, ନିମାପଡ଼ା, ସାଲେପୁରରେ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ବିକ୍ଷୋଭ କରି ରାସ୍ତାରୋକ କରିଥିଲେ । ଛାତ୍ରଛାତ୍ରୀଙ୍କ କହିବାନୁସାରେ କରୋନା ମହାମାରୀ ପାଇଁ ଗତବର୍ଷ ମହାବିଦ୍ୟାଳୟ ବିଳମ୍ବରେ ଖୋଲାଯାଇଥିଲା । କଲେଜ୍‌ରେ ଅଳ୍ପଦିନ ପାଠପଢ଼ା ହୋଇଥିଲା । କଲେଜ ୫ମାସ ଖୋଲାଯାଇଥିବା ବେଳେ ୩ ମାସ ଧରି ତ୍ରୟମାସିକ ପରୀକ୍ଷା ହୋଇଥିଲା । ବାକି ଦୁଇମାସରେ ଯାହା ପାଠପଢ଼ା ହୋଇଛି । ଏହି ସମୟରେ ଅନଲାଇନ୍ କ୍ଲାସ ମଧ୍ୟ ହୋଇଛି ।

ହେଲେ ମୋବାଇଲ ଫୋନ୍‌, ଡାଟା ପ୍ୟାକ୍ ଯୋଗୁଁ ଅଧିକାଂଶ ପିଲା କ୍ଲାସ କରିପାରିନାହାନ୍ତି । ଏଥିସହ ସମ୍ପୂର୍ଣ୍ଣ ପାଠ୍ୟଖସଡା ମଧ୍ୟ ସରିନାହିଁ । ଏହାସହ ସପିଙ୍ଗ୍‌ମଲ୍‌, ମାର୍କେଟ୍‌, ଫିଲ୍ମହଲ୍ ଖୋଲାଥିବାବେଳେ କଲେଜ କାହିଁକି ବନ୍ଦ କଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଯଦି କଲେଜ ଖୋଲାଥାନ୍ତା, ତା’ହେଲେ ଅଫଲାଇନ୍ ପରୀକ୍ଷା ଦେଇଥାନ୍ତୁ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ସେହିପରି ଆଉ ଜଣେ ଛାତ୍ର କହିଛନ୍ତି, ଯୁକ୍ତଦୁଇ ପ୍ରଥମ ବର୍ଷ ୮ମାସ ଅନଲାଇନ୍ କ୍ଲାସ କଲୁ । ପ୍ରଥମ ବର୍ଷ ପରୀକ୍ଷା କଲେନାହିଁ । ତେଣୁ ୩ ଘଣ୍ଟା କ୍ଲାସରେ ବସି ପରୀକ୍ଷା ଦେବାର ଅନୁଭୂତି ନାହିଁ । ପୁଣି ଦ୍ୱିତୀୟ ବର୍ଷ ଆରମ୍ଭ ହେବାରୁ କରୋନା ଆସିଗଲା । ଦୁଇ ମାସରେ ୭୦% କୋର୍ସ ସାରିଦେଲେ । ଅତି କମ୍‌ରେ ୩ ମାସ ରିଭିଜନ ପାଇଁ ଦରକାର ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking