କନ୍ନୁର: ୨୦୨୧ ନଭେମ୍ବରରୁ ଏଯାବତ୍ ୨୬ଜଣ ଛାତ୍ରୀଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ କେରଳର କନ୍ନୁର ଜିଲ୍ଲାସ୍ଥିତ ଏକ ଅନୁଦାନପ୍ରାପ୍ତ ସ୍କୁଲ୍ର ଜଣେ ୫୨ ବର୍ଷିୟ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି। ଜିଲ୍ଲା ଚାଇଲ୍ଡ୍ଲାଇନ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଆଧାର କରି ଜାନୁଆରି ୧୨ ତାରିଖ ଦିନ ‘ପୋକ୍ସୋ’ ଆଇନ୍ ଅନୁଯାୟୀ ଉକ୍ତ ବରିଷ୍ଠ ଶିକ୍ଷକଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ନିକଟ ଅତୀତରେ ଜଣେ ଛାତ୍ରୀ ସମ୍ମୁଖୀନ ହୋଇଥିବା ଉତ୍ପୀଡ଼ନ ବିଷୟ ସେ ସ୍କୁଲ୍ର ଆଉ ଜଣେ ଶିକ୍ଷୟିତ୍ରୀଙ୍କ ଆଗରେ ବର୍ଣ୍ଣନା କରିଥିଲା। ଶିକ୍ଷୟିତ୍ରୀଜଣ ତୁରନ୍ତ ଏ କଥା ‘ଚାଲଇଡ୍ଲାଇନ୍’କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ତା’ପରେ ‘ଚାଲଇଡ୍ଲାଇନ୍’କର୍ତ୍ତୃପକ୍ଷ ଆମକୁ ଏ ବିଷୟରେ ସୂଚନା ଦେଇଥିଲେ। ଜାନୁଆରି ୧୧ ତାରିଖ ଦିନ ଆମେ ଘଟଣା ସଂକ୍ରାନ୍ତରେ ଅଭିଯୋଗ ପାଇଥିଲୁ। କାଉନ୍ସେଲିଙ୍ଗ୍ ଦିଆଯିବା ପରେ ଆହୁରି କିଛି ଛାତ୍ରୀ ଉକ୍ତ ବରିଷ୍ଠ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଜାନୁଆରି ୧୨ ତାରିଖ ଦିନ ୫ଟି ମାମଲା ପଞ୍ଜିକରଣ କରି ତାଙ୍କୁ ଗିରଫ କଲୁ। ଏହା ପରେ ଗତକାଲି ପୁଣି ୨୧ଟି ମାମଲା ରୁଜୁ କରାଯାଇଛି। ଗିରଫ କରାଯାଇଥିବା ଶିକ୍ଷକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ପୁଲିସ କହିଛି। ମହାମାରୀ ପରେ ସ୍କୁଲ୍ ଖୋଲିବା ପରେ ଛାତ୍ରୀମାନେ ୨୦୨୧ ନଭେମ୍ବର ମାସରୁ ଘଟିଥିବା ଯୌନଉତ୍ପୀଡ଼ନ ପ୍ରସଙ୍ଗରେ ବର୍ଣ୍ଣନା କରିଥିବା କଥା ପୁଲିସ କହିଛି।