ଆଳି : ଆଳି ଅଞ୍ଚଳର ଲାଇଫଲାଇନ କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ବୁଧବାର ଅପରାହ୍ଣରେ ଏକ ପିକ୍ଅପ୍ ଧକ୍କାରେ ଆଳି ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି । ଏ ନେଇ ଗ୍ରାମବାସୀ କଟକ -ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଆଳି ତହସିଲଦାର ଦେବି ପ୍ରସାଦ ଆଚାର୍ଯ୍ୟ, ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରା, ଆଳି ଥାନା ଆଇଆଇସି ଦିଲ୍ଲୀପ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରି ସେମାନଙ୍କ ଦାବିପୂରଣ ନିମନ୍ତେ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ସୂଚନା ଅନୁାଂୟୀ, ଅଧ୍ୟାପକ ଶ୍ରୀ ସାହୁ ବୁଧବାର ଅପରାହ୍ନରେ ବାଇକ୍ ଯୋଗେ ସ୍ତ୍ରୀ ଓ ପୁଅକୁ ନେଇ ଘରୁ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲେ । ଛପୋଲିଆ ନିକଟରେ ପଟ୍ଟାମୁଣ୍ଡାଇ ପଟୁ କ୍ଷୀପ୍ର ଗତିରେ ଆସୁଥିବା ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ବିଜୟଙ୍କ ପତ୍ନୀ ଓ ପୁଅ ରାସ୍ତାରେ ଛିଟିକି ପଡ଼ିଥିଲେ । ବିଜୟଙ୍କ ଡାହାଣ ଗୋଡ଼ ଉପରେ ପିକଅପ ଭ୍ୟାନ୍ ଚଢ଼ିଯାଇଥିବାରୁ ସଙ୍ଗେସଙ୍ଗେ ଆଳି ମେଡିକାଲ ନିଆଯାଇଥିଲା । ପରେ କଟକ ପଠାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଅଧ୍ୟାପକଙ୍କ ପରଲୋକରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଜିଲ୍ଲାପରିଷଦ ଭୀଷ୍ମ ମହାନ୍ତି, ସ୍ୱାଗତିକା ରାଉତ, ମନ୍ତ୍ରୀ ପ୍ରତିନିଧି ସୁମନ୍ତ ରାଉତ, ଚଣ୍ଡିଆଗଡି ସରପଞ୍ଚ ସନାତନ ସାହୁ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ, ଗତ ମାସ ଶେଷ ସପ୍ତାହରେ ସେହି ଚଣ୍ଡିଆଗଡି ଗ୍ରାମର ଦିଗମ୍ବର ଦାଶ ସିଙ୍ଗିରିରୁ ଫେରୁଥିବା ସମୟରେ ଛପୋଲିଆଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
ଦୀର୍ଘଦିନ ହେବ ଏହି ଛକରେ ବାରମ୍ବାର ଦୁର୍ଘଟଣା ଘଟି ୮ ଜୀବନ ଯାଇଥିବାବେଳେ ଅନେକ ଗୁରୁତର ହୋଇଛନ୍ତି । ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି । ଅପରପକ୍ଷରେ ବାରମ୍ବାର ଗୋଟିଏ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ନେଉଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହି ସ୍ଥାନକୁ ଦୁର୍ଘଟଣାସ୍ଥଳ ଘୋଷଣା ସହିତ ହମ୍ପ୍ସ ନିର୍ମାଣ ଓ ସେହି ସ୍ଥାନରେ ଆଲୋକୀକରଣ ଦାବି କରାଯାଇଛି ।
ଏ ନେଇ ଆଳି ଥାନା ଆଇଆଇସି ଦିଲ୍ଲୀପ ସାହୁ ଜିଲ୍ଲା ପରିବହନ ବିଭାଗ, ପୂର୍ତ୍ତବିଭାଗ ଓ ଜିଲ୍ଲାପାଳଙ୍କ ନିକଟକୁ ରାସ୍ତାର ଦୁର୍ଘଟଣାକୁ ଲକ୍ଷ୍ୟ କରି ଦୁର୍ଘଟଣା ପ୍ରବଣ ସ୍ଥାନ ଘୋଷଣା ନିମନ୍ତେ ଏକ ଚିଠି ଲେଖିଥିଲେ । ଗୁରୁବାର ଅପରାହ୍ନରେ ଜିଲ୍ଲା ପରିବହନ ବିଭାଗ ଅଧିକାରୀ, ପୂର୍ତ୍ତବିଭାଗ ଏସଡିଓ ନିହାର ମାଝୀ, କନିଷ୍ଠଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରା, ଆଳି ଥାନା ଆଇଆଇସି ଦିଲ୍ଲୀପ ସାହୁ, ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ସିଙ୍ଗିରି ସରପଞ୍ଚ ଅକ୍ଷୟ ଦାସ, ଚଣ୍ଡିଆଗଡି ସରପଞ୍ଚ ସନାତନ ସାହୁଙ୍କ ସମେତ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଖୁବଶୀଘ୍ର ସେହି ସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳଭାବେ ଘୋଷଣା କରିବା ସହିତ ହମ୍ସସ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି ।