ୱାଶିଂଟନ: ସାଧାରଣତଃ ଶରୀରର ଉଚ୍ଚତା ବୃଦ୍ଧି କରିବାକୁ ଲୋକେ ବ୍ୟାୟାମ କରିବା ସହ ବିଭିନ୍ନ ପ୍ରକାର ଏନର୍ଜି ପାନୀୟ ବ୍ୟବହାର କରିଥାନ୍ତି । ତେବେ ଆମେରିକାର ଜଣେ ବ୍ୟକ୍ତି ନିଜର ଉଚ୍ଚତା ବୃଦ୍ଧି କରିବାକୁ ଅସ୍ତ୍ରୋପଚାରର ସହାୟତା ନେଇଥିବାବେଳେ ଏ ବାବଦରେ ୧.୪ କୋଟି ଟଙ୍କା ଖର୍ଚ୍ଚ କରିସାରିଥିବା ଜଣାପଡିଛି ।
ଅବଶ୍ୟ ୨୦୧୬ରେ କରାଯାଇଥିବା ଦୁଇଟି ଅସ୍ତ୍ରୋପଚାର ଯୋଗୁଁ ତାଙ୍କର ଉଚ୍ଚତା ୫ ଫୁଟ ୫ ଇଞ୍ଚ୍ରୁ ୫ ଫୁଟ ୮ ଇଞ୍ଚ୍କୁ ବୃଦ୍ଧି ପାଇଛି । ଆସନ୍ତା ଜୁନ୍ରେ ଆଉ ଥରେ ଅସ୍ତ୍ରୋପଚାର କରାଗଲେ, ତାଙ୍କର ଉଚ୍ଚତା ୫ ଫୁଟ ୧୦ ଇଞ୍ଚକୁ ବୃଦ୍ଧି ପାଇବ ବୋଲି ଡାକ୍ତର କହିଛନ୍ତି । ମୋଜେସ୍ ଗିବ୍ସନ ନାମକ ଏହି ବ୍ୟକ୍ତି ସଫ୍ଟୱେୟାର ଇଞ୍ଜିନିୟରଭାବେ କାର୍ଯ୍ୟ କରୁଛନ୍ତି । ଅଳ୍ପ ଉଚ୍ଚତା ଯୋଗୁଁ ପ୍ରେମିକା ଖୋଜିବାରେ ଅସୁବିଧା ହେଉଥିବାରୁ ସେ ଏଭଳି ଉପାୟରେ ଉଚ୍ଚତା ବଢାଇବାକୁ ଉଦ୍ୟମ କରୁଛନ୍ତି ।