ଭୁବନେଶ୍ୱର: ମଙ୍କିପକ୍ସର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର କହିଛନ୍ତି । ସେ କହିଲେ ଯେ କଟକ ଏସସିବି ମେଡିକାଲରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି । ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା କଟକ ଏସସିବି ମେଡିକାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ୫ଟି ବିଭାଗର ଡାକ୍ତରଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଯେଉଁଥିରେ ମେଡିସନ, ଚର୍ମରୋଗ, ମାଇକ୍ରୋ ବାୟୋଲୋଜି, ଶିଶୁ ରୋଗ, ଏସପିଏମ ବିଶେଷଜ୍ଞ ରହିଛନ୍ତି । ଏହାବ୍ୟତୀତ ସମସ୍ତ ଦିଗ ଉପରେ ନଜର ରଖିବାକୁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ମଙ୍କିପକ୍ସ ଆକ୍ରାନ୍ତଙ୍କୁ ସଠିକ ଭାବେ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହାବ୍ୟତୀତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ମଙ୍କିପକ୍ସ ବାବଦରେ ସଚେତନ କରାଇବା ସହ ଗାଇଡଲାଇନ ବିଷୟରେ ପୂର୍ବରୁ ଅବଗତ କରାଯାଇଛି । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉଛି । ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ କିଭଳି ପରୀକ୍ଷା କରାଯିବ ଏନେଇ ଆରଏମଆରସି ସହିତ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି । ଆରଏମଆରସି ସାମ୍ପୁଲ ଟେଷ୍ଟ କରିବାର ଦାୟିତ୍ୱ ନେଇଛି । ତେବେ ସାରା ଦେଶରେ ଆରଏମଆରସି ସମେତ ୧୫ଟି ସ୍ଥାନରେ ମଙ୍କିପକ୍ସ ନମୁନା ପରୀକ୍ଷା କରାଯାଉଛି । ମଙ୍କିପକ୍ସକୁ ନେଇ ରାଜ୍ୟରେ ସର୍ଭେଲାନ୍ସ ବଢ଼ାଯିବ । ଏମିତିକି ସମସ୍ତ ମେଡିକାଲ କଲେଜକୁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍କିପକ୍ସରେ ସ୍ମଲପକ୍ସ ଭଳି ଲକ୍ଷଣ ଦେଖାଯାଉଛି । ବିଶେଷ ଭାବରେ ସଂସ୍ପର୍ଶରେ ଆସୁଥିବେ ଲୋକଙ୍କୁ ହେବାର ଅଧିକ ଆଶଙ୍କା ରହିଛି । ଯଦି ଏଭଳି ଲକ୍ଷଣ ଆସୁଛି, ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ସାମାଜିକ ଦୁରତ୍ୱ ଏବଂ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ରୋଗକୁ ନେଇ ଭୟଭୀତ ନହେବାକୁ କହିବା ସହ ଡାକ୍ତରଙ୍କ ପରାମର୍ଶକୁ ମାନି ଚଳିବାକୁ ସେ କହିଛନ୍ତି ।