ଭଦ୍ରକ : ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ପଳିକିରୀ ଗ୍ରାମର ଜୈନିକ ଯୁବକ ତାଙ୍କର ବାପା ଓ ମା’ଙ୍କୁ ବିଭିନ୍ନ ସମୟରେ ମାଡ଼ମାରିବା ସହିତ ଉଭୟଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଧାମନଗର ପୁଲିସ ଗିରଫକରି କୋର୍ଟଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ପଳିକିରୀ ଗ୍ରାମର ଗୋପବନ୍ଧୁ ଦାସ ଓ ତାଙ୍କର ପତ୍ନୀ ଉମାମଣୀ ଦାସଙ୍କୁ ତାଙ୍କର ପୁତ୍ର ଗଦାଧର ଦାସ ଓ ତାଙ୍କ ବୋହୂ ବିଭିନ୍ନ ସମୟରେ ମାଡ଼ମାରିବା ସହିତ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ ।
ଏ ନେଇ ଗୋପବନ୍ଧୁ ବାରମ୍ବାର ଧାମନଗର ଥାନା ସହିତ ଗାଁରେ ଭଦ୍ରଲୋକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନପାଇବାରୁ ସୋମବାର ଭଦ୍ରକ ଏସ୍ପି ଅଫିସରେ ଗୋପବନ୍ଧୁ ଓ ତାଙ୍କର ପତ୍ନୀ ଧାରଣାରେ ବସିଥିଲେ । ଏ ସମ୍ପର୍କରେ ଏସ୍ପି ଘଟଣା ସମ୍ପର୍କରେ ବୁଝି ଭଦ୍ରକ ଟାଉନ୍ ଥାନାକୁ ଜଣାଇବା ପରେ ଟାଉନ୍ ଥାନାଧିକାରୀ ପୁଅ ଗଦାଧରକୁ ଧରି ଧାମନଗର ଥାନାକୁ ଖବର ଦେଇଥିଲେ । ଧାମନଗର ପୁଲିସ ଭଦ୍ରକରୁ ଗଦାଧରକୁ ଆଣି ତାଙ୍କ ନାମରେ ଏକ ମାମଲା ରୁଜୁକରି କୋର୍ଟଚାଲାଣ କରିଛନ୍ତି । ପ୍ରକାଶଥାଉ କି ଗଦାଧର ଭଦ୍ରକରେ ଏକ ଔଷଧ ଦୋକାନରେ ସେଲ୍ସମ୍ୟାନ୍ ଥିବାବେଳେ ପୁଲିସ ତାକୁ ସେଠାରୁ ଧରିଥିଲା ।