ବ୍ରହ୍ମପୁର: ନିଜ ଜନ୍ମିତ ପୁଅ ମାଡ଼ମାରିବା ସହ ଘରୁ ବାହାର କରିଦେବା ଅଭିଯୋଗ ନେଇ ବାପା ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ପୁଲିସ ତାଙ୍କ ଅଭିଯୋଗ ନରଖିବାରୁ ବାପା ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟ ଏହି ମାମଲାର ଶୁଣାଣି କରି ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବୈଦ୍ୟନାଥପୁର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କାମାପୋଲ୍ଲୀ ନିଲ୍କମଲ୍ ଫଟୋ ଷ୍ଟୁଡିଓର ମାଲିକ ରବି ମହାରଣା ସେହି ଷ୍ଟୁଡିଓ ଉପରେ ରହୁଥିଲେ ।
ଗତ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କ ପୁଅ ସରୋଜ ମହାରଣା ତାଙ୍କୁ ମାଡ଼ ମାରିବା ସହ ଘରୁ ବାହାର କରିଦେଇଥିଲା । ଏ ନେଇ ବାପା ରବି ସେହି ଦିନ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା । ଶେଷରେ ସେ ସେପ୍ଟେମ୍ବର ୧୮ ତାରିଖରେ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟ ୧ସିସିରେ ଏକ ମାମଲା ରୁଜୁ କରିଥିଲେ । କୋର୍ଟ ଆଜି ଏହାର ଶୁଣାଣି କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଏହାର ତଦନ୍ତ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ପୁଅଙ୍କୁ ସେହି ଘରେ ପ୍ରବେଶ ନକରିବା ନିମନ୍ତେ ମୁନ୍ସିଫ୍ କୋର୍ଟର ନିର୍ଦ୍ଦେଶ ରହିଥିଲା । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶ୍ରୀକାନ୍ତ ପଟ୍ଟନାୟକ ମୋକଦ୍ଦମା ପରିଚାଳନା କରିଥିଲେ ।