ନୂଆଦିଲ୍ଲୀ: ଆମ ଦୁନିଆର ଏମେତି କିଛି ଦ୍ୱୀପ ରହିଛି ଯାହା ଆଜି ବି ଅନେକ ରହସ୍ୟ ଘେରରେ ରହିଛି । ଏମିତିକି ବିଜ୍ଞାନ ମଧ୍ୟ ଫେଲ ମାରିଛି। ଯେଉଁଠି ଭୂତ ପ୍ରେତ ବାସ କରୁଥିବାର କୁହାଯାଏ। ଏଭଳି ଏକ ଦ୍ୱୀପ ହେଉଛି ଇଟାଲୀର ପୋବେଗ୍ଲିୟା ଦ୍ୱୀପ। କୁହାଯାଏ ଯେ ଏହି ଦ୍ୱୀପକୁ ଯିଏ ଯାଇଛି, ଆଉ ଫେରିକି ଆସିନି। ଏଥିପାଇଁ ଏହି ଦ୍ୱୀପକୁ ମୃତ୍ୟୁର ଦ୍ୱୀପ ମଧ୍ୟ କୁହାଯାଏ। ଏହି ରହସ୍ୟମୟ ଦ୍ୱୀପକୁ କାହାକୁ ଯିବାକୁ ଅନୁମତି ନାହିଁ। ଇତିହାସରେ ଏହି ଦ୍ୱୀପକୁ ନେଇ ଏତେ ଭୟାନକ ଭାବେ ବର୍ଣ୍ଣନା କରାଯାଇଛି, ଯାହାର କାହାଣୀ ଶୁଣିଲେ ଯେକେହିବି ଡରିଯିବ। ଆସନ୍ତୁ ଜାଣିବା ଏହି ଦ୍ୱୀପର ଅଜବ କାହାଣୀ ବାବଦରେ। ପୋବେଗ୍ଲିୟା ଦ୍ୱୀପ ଇଟାଲୀର ବେନିସ ସହର ଓ ଲିଡୋ ମଧ୍ୟରେ ରହିଛି। ଏହି ଦ୍ୱୀପର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା କରାଯାଇଛି। କିଛି ଲୋକ ଏହାର ରହସ୍ୟ ଜାଣିବା ପାଇଁ ଏହି ଦ୍ୱୀପକୁ ଯାଇଛନ୍ତି, ହେଲେ ସେମାନେ କେବେ ଆଉ ଫେରିକି ଆସିନାହାନ୍ତି। ଏଥିପାଇଁ ଏହି ଦ୍ୱୀପକୁ ଯିବାକୁ ଇଟାଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ପୋବେଗ୍ଲିୟା ଦ୍ୱୀପର ଆହୁରି କିଛି କଥା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। କୁହାଯାଏ ଯେ ଅନେକ ବର୍ଷ ପୂର୍ବେ ଇଟାଲୀରେ ଭୟାନକ ଭାବେ ପ୍ଲେଗ ରୋଗ ବ୍ୟାପିଥିଲା। ସେ ସମୟରେ ଏହି ରୋଗରୁ ଭଲ ହେବା ପାଇଁ ସରକାରଙ୍କ ନିକଟରେ କୌଣସି ଚିକିତ୍ସା ନଥିଲା। ରୋଗ ଯେମିତି ଅଧିକ ନବ୍ୟାପୁ ସେଥିପାଇଁ ପ୍ରାୟ ୧,୬୦,୦୦୦ ଲୋକଙ୍କୁ ଏହି ଦ୍ୱୀପରେ ଜୀବନ୍ତ ଦଗ୍ଧ କରାଯାଇଥିଲା। ଏହାର କିଛି ଦିନ ପରେ କଳା ଜ୍ୱର ନାମକ ଆଉ ଏକ ରୋଗ ତୀବ୍ର ଭାବେ ବ୍ୟାପିଲା। ଏହି ରୋଗରେ ଯେଉଁମାନେ ପ୍ରାଣ ହରାଇଥିଲେ ସେମାନଙ୍କୁ ମଧ୍ୟ ଏହି ଦ୍ୱୀପରେ ସମାଧି ଦିଆଯାଇଥିଲା। କୁହାଯାଏ ଯେ ସେହି ଦିନ ଠାରୁ ଏହି ଦ୍ୱୀପରେ ସେମାନଙ୍କ ଆତ୍ମା ରହିଯାଇଛି। କିଛି ଲୋକ ଏଠାରେ ପ୍ରେତାତ୍ମା ଦେଖିଥିବାର ମଧ୍ୟ ଦାବି କରିଥାନ୍ତି। ଏସବୁ ଘଟଣା ପରେ ୧୯୨୨ରେ ଇଟାଲୀ ସରକାର ଏଠାରେ ଏକ ମେଣ୍ଟାଲ ହସପିଟାଲ ଖୋଲିଥିଲେ। ହେଲେ ଡାକ୍ତର, ହସପିଟାଲ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟ ବି ଏଠାରେ ପ୍ରେତାତ୍ମାଙ୍କ ଅଜବ ହରକତକୁ ସାମ୍ନା କରିଥିଲେ। ଫଳରେ ୧୯୬୦ରେ ସରକାର ଏହି ଦ୍ୱୀପକୁ ଜଣେ ଧନୀକ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ହେଲେ ସେ ବି ଏଠାରେ ତିଷ୍ଠି ପାରି ନଥିଲେ। ତାଙ୍କ ଝିଅ ଶୋଇଥିବା ବେଳେ କେହି ଜଣେ ଆକ୍ରମଣ କରିବାରୁ ସେ ବି ଦ୍ୱୀପ ଛାଡିଥିଲେ। ପରେ ସରକାର ଏଠାକୁ ଯିବା ପାଇଁ ଲଗାଇଥିଲେ କଟକଣା। ବଡ଼ କଥା ହେଉଛି, ଏହି ଦ୍ୱୀପର ୪୦ ପ୍ରତିଶତ ମଣିଷର ହାଡ଼ ଓ ପାଉଁଶରେ ତିଆରି ହୋଇଥିବା କୁହାଯାଏ। ଆଜି ବି ଦ୍ୱୀପ ନିକଟବର୍ତ୍ତୀ ଅଞ୍ଚଳରେ ମଣିଷ କଙ୍କାଳ ଓ ଖପୁରି ମତ୍ସଜୀବୀଙ୍କ ଜାଲରେ ପଡେ। ସେହିପରି ରହସ୍ୟ ଉନ୍ମୋଚନ ପାଇଁ ଯାଇ ଫେରୁଥିବା କେତେକ ବ୍ୟକ୍ତି ଏହାକୁ ଅଭିଶପ୍ତ ଦ୍ବୀପ ଓ ହଣ୍ଟେଡ ଆଇଲାଣ୍ଡ ବୋଲି କହିଥାନ୍ତି।