ଭୁବନେଶ୍ୱର : ରାଜ୍ୟରେ ବଢୁଛି ତୃତୀୟ ଲହର ଆଶଙ୍କା । ଏହାର ମୁକାବିଲ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦ୍ୱିତୀୟ ଡୋଜ ଟିକା ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟରେ ୧୪ ଲକ୍ଷ ୪୯ହଜାର ୯୮୩ଜଣ ଧାର୍ଯ୍ୟ ସମୟ ମଧ୍ୟରେ ନିଜର ଦ୍ୱିତୀୟ ଡୋଜ୍ ଟିକା ନେଇପାରିନାହାନ୍ତି । ତନ୍ମଧ୍ୟରୁ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୬% ଥିବାବେଳେ ନବରଙ୍ଗପୁରରେ ୪୩%, ବୌଦରେ ୪୦% ଓ ଭୁବନେଶ୍ୱରରେ ୮% ଲୋକ ଧାର୍ଯ୍ୟ ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେଇପାରି ନଥିବା ଜଣାପଡ଼ିଛି । ସେହିପରି ପୁରୀରେ ୩୦ %, ରାୟଗଡ଼ାରେ ୩୭%, ନୂଆପଡ଼ାରେ ୩୩%, ନୟାଗଡ଼ରେ ୨୬%, ମୟୂରଭଞ୍ଜରେ ୩୩%, କୋରାପୁଟରେ ୩୪%, ଖୋର୍ଦ୍ଧାରେ ୧୭%, କେନ୍ଦୁଝରରେ ୩୬%, କେନ୍ଦ୍ରାପଡ଼ାରେ ୨୪%, କନ୍ଧମାଳରେ ୩୮%, ଝାରସୁଗୁଡ଼ାରେ ୨୧%, ଯାଜପୁରରେ ୨୦%, ଜଗତସିଂହପୁରରେ ୧୩%, ଗଞ୍ଜାମରେ ୧୦%, ଗଜପତିରେ ୨୯%, ଢେଙ୍କାନାଳରେ ୩୧%, କଟକରେ ୨୨%, ଭଦ୍ରକରେ ୨୮%, ବାଲେଶ୍ୱରରେ ୨୦%, ବଲାଙ୍ଗିରରେ ୩୧% ଓ ଅନୁଗଳରେ ୨୭% ଲୋକ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିଜର ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେଉଁ କାରଣରୁ ଏହି ଲୋକେ ନିଜର ଦ୍ୱିତୀୟ ଡୋଜ୍ ମିସ୍ କରିଛନ୍ତି, ତାହା ଜଣାପଡ଼ିନଥିଲେ ମଧ୍ୟ କେନ୍ଦ୍ର ସରକାର ଦ୍ୱିତୀୟ ଡୋଜ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ୧୧.୧୬ଲକ୍ଷ ଡୋଜ୍ ଟିକା ଚଳିତମାସରେ ଆବଣ୍ଟନ କରିଛନ୍ତି ।
ଏହାରି ଭିତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଦ୍ୱିତୀୟ ଡୋଜ୍ ନନେଇଥିବା ଲୋକଙ୍କ ଟିକାକରଣ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଅଗଷ୍ଟ ମାସରେ କରିବାକୁ ପରାମର୍ଶ ଦେଇଛନ୍ତି । ଦ୍ୱିତୀୟ ଡୋଜ୍ ନନେଇଥିବା ଲୋକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ୯ଲକ୍ଷ ୯୨ହଜାର ୩୮୦ଟି ଡୋଜ୍ କୋଭିସିଲଡ୍ ଓ ୧ଲକ୍ଷ ୨୪ହଜାର ୫୯୦ଟି ଡୋଜ୍ କୋଭାକ୍ସିନ୍ ଆବଣ୍ଟନ କରିଛନ୍ତି । ଏହାସହିତ ସରକାରୀ ଓ ଘରୋଇ ସ୍କୁଲ ଶିକ୍ଷକ ଏବଂ ସେମାନଙ୍କ ପରିବାର ସଦସ୍ୟ ଯେଉଁମାନେ କି ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି, ସେମାନଙ୍କୁ ସେପ୍ଟେମ୍ବର ୫ ପୂର୍ବରୁ ସ୍ୱତନ୍ତ୍ର ଭାବେ ଟିକାକରଣ କରାଇବାକୁ ଶ୍ରୀ ମହାପାତ୍ର କହିଛନ୍ତି । ଏହାସହିତ ଶିକ୍ଷକମାନେ ଯେଭଳି ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକା ନେବେ ସେଥିପାଇଁ ସବୁ ସ୍କୁଲଗୁଡ଼ିକୁ ଜଣାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ମୋଟ ୨ କୋଟି ୧୧ଲକ୍ଷ ୮୯ହଜାର ୨୮୪ଟି ଡୋଜ୍ ଟିକା ଦିଆଯାଇଥିବାବେଳେ ସେଥିରେ ୧କୋଟି ୧୬ଲକ୍ଷ ୨୨ହଜାର ୩୯୬ଟି ପ୍ରଥମ ଡୋଜ୍ ଏବଂ ୫୦ଲକ୍ଷ ୬୬ ହଜାର ୮୮୮ଟି ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଆଜି ୧ଲକ୍ଷ ୫ହଜାର ୬୨୧ ଡୋଜ୍ ଟିକା ଦିଆଯାଇଛି । ଏହି ଡୋଜ୍ ମଧ୍ୟରେ ସର୍ବାଧିକ ୯୪.୮୬ଲକ୍ଷ ଡୋଜ୍ ଟିକା ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଦିଆଯାଇଥିବାବେଳେ ୪୯.୩୭ଲକ୍ଷ ଡୋଜ୍ ଟିକା ୬୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦିଆଯାଇଛି । ତେବେ ୨୩ତାରିଖ ସୁଦ୍ଧା ରାଜ୍ୟରେ ମୋଟ୍ ୬୩ଲକ୍ଷ ୪୬ହଜାର ୫୯୩ଜଣ ଲୋକ ନିଜର ଦ୍ୱିତୀୟ ଡୋଜ୍ ଟିକା ନେବାର ଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ୪୮ଲକ୍ଷ ୯୬ହଜାର ୬୧୦ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।