କଟକ: ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏ ନେଇ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମରାମତି କାର୍ଯ୍ୟର ଅଗ୍ରଗତି ନେଇ ପ୍ରତି ୧୫ ଦିନରେ ଆମିକସ୍କ୍ୟୁରୀ ସତ୍ୟପାଠ ଜରିଆରେ ଅଦାଲତଙ୍କୁ ରିପୋର୍ଟ ପ୍ରଦାନ କରିବେ । ମନ୍ଦିର ପ୍ରଶାସନ ଏଏସ୍ଆଇକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବେ । ଭକ୍ତମାନେ ସୁବିଧାରେ କିପରି ଦର୍ଶକରି ପାରିବେ ସେଥିପ୍ରତି ଧ୍ୟାନଦେବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ।
କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ, ବିଚାରପତି ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଆଜି ଏଏସ୍ଆଇ ପକ୍ଷରୁ ହାଇକୋର୍ଟରେ ସାନି ସତ୍ୟାପାଠ ଦାଖଲ କରାଯାଇଥିଲା । ମରାମତି ନିମନ୍ତେ ଆଇଆଇଟି ମାଡ୍ରାସ୍ରୁ ପ୍ରକଳ୍ପ ମଡେଲ ପ୍ରସ୍ତୁତ କରାଯାଇଛି । କେବେଠାରୁ କାର୍ଯ୍ୟ ଆରମ୍ଭ ହେବ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ନଭେମ୍ବର ୪ରେ ଏ ସଂକ୍ରାନ୍ତରେ ବୈଠକ ଡାକିଥିଲେ ।
ଉକ୍ତ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଏଏସ୍ଆଇ, କୋର କମିଟି ସଦସ୍ୟ, ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ରହିଥିଲେ । କାର୍ତ୍ତୀକ ପୂର୍ଣ୍ଣିମା ଓ ନବବର୍ଷ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୨୦୨୪ ଜାନୁଆରୀ ୨୦ରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ଲାଗି ସ୍ଥିର ହୋଇଥିବା ଏଏସ୍ଆଇ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଥିଲା । ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ କାହିଁକି ଆରମ୍ଭ ହେବ ନାହିଁ ବୋଲି ଅଦାଲତ ଜାଣିବାକୁ ଚାହିଁଥିଲେ । ୨୦୧୭ ମସିହାରୁ ମରାମତି କାର୍ଯ୍ୟ ହୋଇପାରୁ ନଥିବାରୁ ଅଦାଲତ ବିରକ୍ତି ପ୍ରକାଶ କରିଥିଲେ ।
ମରାମତି କାର୍ଯ୍ୟ ଲାଗି ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା ଅଦାଲତଙ୍କୁ ଜଣାଇବା ପରେ ଆସନ୍ତାକାଲିଠାରୁ କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଦିନ ୬ଘଣ୍ଟା ଲେଖାଏଁ ମରାମତି କାର୍ଯ୍ୟ କରାଯିବ । ୧୨୦ ଦିନ ମଧ୍ୟରେ ମରାମତି ଶେଷ ହେବା ପରେ ହସ୍ତାନ୍ତର କରାଯିବ ବୋଲି ଏଏସ୍ଆଇ ପକ୍ଷରୁ ଦର୍ଶାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ରେ ହେବ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଏଏସ୍ଆଇ ପକ୍ଷରୁ ଚନ୍ଦ୍ରକାନ୍ତ ଦାସ ଏହି ମାମଲା ପରିଚାଳନା କରୁଛନ୍ତି ।