ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଅଞ୍ଚଳରୁ ଜଣେ ମହିଳା ବ୍ରାଉନସୁଗର ବେପାରୀଙ୍କୁ ଅବକାରୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନର୍ମଦା ସାହୁ । ସାଲିଆସାହିରେ ନର୍ମଦାଙ୍କୁ ବ୍ରାଉନସୁଗର ରାଣୀ ଭାବେ ସବୁ ନିଶାଡ଼ି ଚିହ୍ନନ୍ତି । ତାଙ୍କ ଠାରୁ ୯୫ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଯାହାର ବଜାର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ । ଏନେଇ ଅବକାରୀ ଥାନା ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି । ନର୍ମଦା ଗିରଫ ହେବା ପରେ ସ୍ଥାନୀୟଲୋକ ଅବକାରୀ ଟିମ୍ଙ୍କୁ ସାବାସୀ ଜଣାଇଛନ୍ତି । ସୂଚନା ଅନୁଯାୟୀ, ସାଲିଆସାହି ଅଞ୍ଚଳରେ ନିୟମିତ ଭାବେ ବ୍ରାଉନସୁଗର ବେପାର ହେଉଛି ।
ଏହି ବେପାରରେ ଅଧିକାଂଶ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ ଅବକାରୀ ଜାଣିବାକୁ ପାଇଥିଲା । ଏନେଇ ମଙ୍ଗଳବାର ନର୍ମଦାଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିବା ସହ ବ୍ରାଉନସୁଗର ଜବତ କରିଥିଲା । ଏସମ୍ପର୍କରେ ନର୍ମଦାଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ୬ମାସ ହେବ ଏହି ବେପାର କରୁଛି । ନିଜର ଭରଣପୋଷଣ ଓ ଲୋନ୍ ସୁଝିବା ପାଇଁ ଏହି ପନ୍ଥା ଆପଣାଇଛି । ଯେତେବେଳେ ଖାଇବାକୁ ପାଉନଥିଲି ସେବେ ସାହିର କେତେକ ଯୁବକ ମତେ ଏହି ବେପାର କରିବାକୁ କହିଥିଲେ । ପରେ ଖୋର୍ଦ୍ଧାରୁ ବ୍ରାଉନସୁଗର ଆଣି ପୁଡିଆ କରି ସାହିରେ ବିକ୍ରି କରୁଛି । ୬ମାସ ମଧ୍ୟରେ ଏଥିରୁ ୩ ରୁ ୪ଲକ୍ଷ ଟଙ୍କା ଆୟ କରିଦେଇଥିବା ନର୍ମଦା କହିଛନ୍ତି । ଏମିତିକି ବ୍ରାଉନସୁଗର ଖାଇଲେ ମଣିଷ ପଶୁ ପାଲଟିବା ସହ ଅପରାଧ କରେ । ତଥାପି ନିଜର ପେଟ ପାଇଁ ଏଭଳି କରୁଛି ବୋଲି ସେ କହିଛନ୍ତି ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବଡ଼ବଡ଼ବେପାରୀ ବ୍ରାଉନସୁଗର ଆଣି ରାଜଧାନୀର ବସ୍ତି ଗୁଡ଼ିକରେ ରିହାତି ଦରରେ ଯୋଗାଉଛନ୍ତି । ଏହି ବସ୍ତିରେ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟପିଲା ନିଶାବେପାର କରୁଛନ୍ତି । ଏଭଳି ଛୋଟଛୋଟ ବେପାରୀଙ୍କୁ ପୋଲିସ ଓ ଅବକାରୀ ଟିମ୍ ଧରୁଥିବାବେଳେ ବଡ଼ବଡ଼ବେପାରୀଙ୍କୁ କାହିଁକି ଧରାଯାଉ ନାହିଁ ବୋଲି ସାଧାରଣଲୋକେ ପ୍ରଶ୍ନ କରିଛନ୍ତି । ବ୍ରାଉନସୁଗର ରାଣୀ ତଥା ନର୍ମଦା ଖୋର୍ଦ୍ଧାର ଜଣେ ଡିଲର୍ଙ୍କ ଠାରୁ ବ୍ରାଉନସୁଗର କିଣନ୍ତି ବୋଲି କହିଛନ୍ତି । ତେବେ କିଏ ସେ ଡିଲର୍? କେମିତି ସେ ଡିଲ୍ କରନ୍ତି? ନର୍ମଦାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କଲେ ସମ୍ପୃକ୍ତ ବ୍ରାଉନସୁଗର ଡିଲର୍ଙ୍କ ବିଷୟରେ ଜଣାପଡ଼ନ୍ତା ବୋଲି ଆଶା କରାଯାଉଛି ।
ଲୁଙ୍ଗିପିନ୍ଧି ଗ୍ରାହକ ବେଶରେ ଯାଇଥିଲେ
ସାଲିଆସାହିରେ ୨ ରୁ ୩ଜଣ ମହିଳା ବ୍ରାଉନସୁଗର ବେପାର କରୁଥିବା ଭୁବନେଶ୍ୱର ଅବକାରୀ ଥାନାଧିକାରୀ ବିକାଶ ନାୟକ ଜାଣିବାକୁ ପାଇଥିଲେ । ଏନେଇ ସେ ସୋମବାର ତାଙ୍କ ଟିମ୍କୁ ସେଠାକୁ ପଠାଇଥିଲେ । ୨ଜଣ ଅବକାରୀ କର୍ମଚାରୀ ଲୁଙ୍ଗିପିନ୍ଧି ଗ୍ରାହକ ବେଶରେ ବ୍ରାଉନସୁଗର କିଣିବାକୁ ଯାଇଥିଲେ । ସେମାନେ ନର୍ମଦାଙ୍କ ଠାରୁ ୬୦୦ଟଙ୍କା ଦେଇ ୨ଟି ବ୍ରାଉନସୁଗର ପୁଡିଆ କିଣିଥିଲେ । ଏହାପରେ ସେମାନେ ସେଠାରୁ ପଳାଇଆସିଥିଲେ । ଏଭଳି କରିବାରୁ ନର୍ମଦା ବ୍ରାଉନସୁଗର ବିକ୍ରି କରୁଥିବା ସେମାନେ ସୁନିଶ୍ଚିତ ହୋଇଯାଇଥିଲେ। ଏହାପରେ ସେଠାରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ ।