26.1 C
Bhubaneswar
Saturday, October 19, 2024
Homeଓଡିଶାଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ପୁଲିସକୁ ଅଙ୍ଗୁଳି ଉଠାଇଲା ଘରୋଇ ବସ ମାଲିକ ସଂଘ

ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ପୁଲିସକୁ ଅଙ୍ଗୁଳି ଉଠାଇଲା ଘରୋଇ ବସ ମାଲିକ ସଂଘ

କଟକ: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଫଳରେ ବିଭିନ୍ନ ବର୍ଗରେ କ୍ଷତି ହୋଇଛି । ଫଳରେ ଡ୍ରାଇଭରମାନଙ୍କ ଏଭଳି ପନ୍ଥାକୁ ସାଧାରଣରେ ନିନ୍ଦା ମଧ୍ୟ କରାଯାଉଛି । ତେବେ ଆଜି ସଂଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନକରନ୍ତି, ତେବେ ବସ୍ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହେବୁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆନ୍ଦୋଳନକାରୀ ଡ୍ରାଇଭରମାନେ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ି ଚାଳକଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଛନ୍ତି ।

ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଘରୋଇ ବସ ଚଳାଚଳ କରିବାକୁ ମାଲିକ ସଂଘ ପ୍ରସ୍ତୁତ ରହିଥିଲା । ଏପରିକି ବସ ଚଳାଚଳ ମଧ୍ୟ କରିଥିଲା । ମାତ୍ର ଆନ୍ଦୋଳନକାରୀମାନେ ବସ ଡ୍ରାଇଭରଙ୍କ ରାସ୍ତାରେ ଅଟକାଇ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହିଁ; ତେଣୁ ଏଭଳି ପରିସ୍ଥିତିରେ ଆମେ କଣ ଆଉ କରିବୁ? ଦିନ ୧୦ ଟାରୁ ୧୧ ଟା ଏକ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ରାଜପଥ ଉପରେ ବସ ଛିଡ଼ା କରି ଘରୋଇ ବସ ମାଲିକ ସଂଘ ପ୍ରତିବାଦ ପ୍ରଦର୍ଶନ କରିବ ବୋଲି ଶ୍ରୀ ସାହୁ କହିଛନ୍ତି । ତେଣୁ ଏହାର ପ୍ରତିବାଦରେ ବସ ମାଲିକ ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ । ଏହାପରେ ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରହିବ ।

ତେବେ ୮ ହଜାର ବସ ମାଲିକଙ୍କର ୧୪ ହଜାର ବସ ବନ୍ଦ ରହିବ । ସେହିଭଳି ରାଜ୍ୟର ପୁଲିସ ପ୍ରଶାସନର ପାରିବା ପଣିଆ ଉପରେ ମଧ୍ୟ ବସ ମାଲିକ ସଂଘ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଡ୍ରାଇଭରଙ୍କ ଆନ୍ଦୋଳନ ପୂର୍ବରୁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପାଣି ଫୋଟକା ପରି ମିଳେଇ ଯାଇଛି । ପୁଲିସ ବସ୍ କର୍ମଚାରୀଙ୍କୁ ସୁରକ୍ଷା ଦେଇପାରିଲା ନାହିଁ । ଯେଉଁଥିପାଇଁ ବସ୍ କର୍ମଚାରୀମାନେ ଅପମାନିତ ହେଲେ, ଏପରିକି ମାଡ଼ ମଧ୍ୟ ଖାଇଲେ । ଯାତ୍ରୀଙ୍କୁ ରାସ୍ତାରେ ଛାଡ଼ି ଫେରିବା ପାଇଁ ବାଧ୍ୟ ହେଲେ । ଆଜି ସଧ୍ୟା ସୁଦ୍ଧା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କ୍ଲିଅର ନହେଲେ ଆସନ୍ତା କାଲିଠାରୁ ବସ୍ ଚଳାଚଳ ବନ୍ଦ କରିବା ପାଇଁ ବସ୍ ମାଲିକ ସଂଘ ସମ୍ପାଦକ ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।

ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଗତ ବୁଧବାର ଦିନ ଓ ରାତି ତମାମ ବସ୍ କର୍ମଚାରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଏହାକୁ ନେଇ ଆଜି ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ପୁଲିସର ଅପାରଗତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ବୈଠକରୁ ବାହାରିଥିବା ନିଷ୍କର୍ଷ ନେଇ ବସ୍ ମାଲିକ ସଂଘର ସମ୍ପାଦକ କହିଛନ୍ତି ଯେ, ଆନ୍ଦୋଳନ ଯୋଗୁ ଡ୍ରାଇଭରମାନେ ସବୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଟ୍ରକ୍ ଛିଡ଼ା କରି ଦେଇଛନ୍ତି । ଯେଉଁଥିପାଇଁ ରାସ୍ତା ପୂରା ଜାମ୍ ହୋଇଯାଇଛି । ଆଉ ଗାଡ଼ି ଯିବା ପାଇଁ ରାସ୍ତା ନାହିଁ । ଆଜି ସନ୍ଧ୍ୟା ସୁଦ୍ଧା ରାସ୍ତା କ୍ଲିୟର ନହେଲେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ ବନ୍ଦ କରିବା ପାଇଁ ବାଧ୍ୟ ହେବୁ । ସେ ଆହୁରି କହିଛନ୍ତି, ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ପୁଲିସ୍ ପ୍ରଶାସନ ସହଯୋଗ କରିବ ବୋଲି ଭାବିଥିଲୁ । ସେଥିପାଇଁ ଗାଡ଼ି ଚଳାଇଥିଲୁ । ହେଲେ ପୁଲିସ୍ ସହଯୋଗ କଲା ନାହିଁ ।

ପୁଲିସ ଉପସ୍ଥିତିରେ ଡ୍ରାଇଭରମାନେ ଗାଡ଼ି ଅଟକାଉଛନ୍ତି । ବସ୍ କର୍ମଚାରୀଙ୍କୁ ମାଡ଼ ମାରୁଛନ୍ତି । ବୁଧବାର ତିର୍ତ୍ତୋଲ ପାଖରେ ବସ୍ କର୍ମଚାରୀଙ୍କୁ ମାଡ଼ ମାରି ବିଦା କରିଦେଲେ । କଟକ-ପୁରୀ ରାସ୍ତାରେ ଗାଡ଼ି ଛାଡ଼ିଲେ ନାହିଁ । ଟମାଣ୍ଡୋ ପାଖରେ ଆନ୍ଧ୍ରପ୍ରଦେଶରୁ ମାଛ ଓ ପରିବା ଧରି ଆସିଥିବା ଟ୍ରକକୁ ଅଟକାଇ ଦେଲେ । ସେମାନେ ସେଠାରେ କାନ୍ଦୁଛନ୍ତି । ଆଖୁଆପଦା ଠାରେ ଆମର ଗୋଟିଏ ଗାଡ଼ିକୁ ଡ୍ରାଇଭରମାନେ ଅଟକାଇ ଦେଲେ । ଏ ସମ୍ପର୍କରେ ଖବର ପାଇ ଶ୍ରୀ ସାହୁ ପୁଲିସକୁ ଖବର ଦେଇଥିଲେ । ସେଠାରେ ପୁଲିସ୍ ପହଞ୍ଚିଲା । ଆଉ ଏହି ଅଞ୍ଚଳଟି ପାଣିକୋଇଲି ଥାନା ଏରିଆ ଯାଉଛି କହି ପୁଲିସ୍ ଫେରିଆସିଲା । କୌଣସି କ୍ଷେତ୍ରରେ ପୁଲିସ୍ ସହଯୋଗ କରୁନାହିଁ ।

ଯଦି ଏପରି ହେବ, ତାହାହେଲେ କେମିତି ବସ୍ ଚାଲିବ? ଗତକାଲି ରାତିରେ ସବୁ ଛକରେ ବସ୍ ଅଟକାଇ କର୍ମଚାରୀଙ୍କୁ ମାରଧର କରିଥିଲେ । ଡ୍ରାଇଭର ସଂଘର ଆନ୍ଦୋଳନକୁ ବସ ମାଲିକ ସଂଘ ବିରୋଧ କରୁନାହିଁ । ସେମାନେ ତାଙ୍କ ଦାବି ଉପସ୍ଥାପନ କରନ୍ତୁ । କିନ୍ତୁ ସେମାନେ ଯାତ୍ରୀବାହୀ ବସକୁ କାହିଁକି ଅଟକାଉଛନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking