ଭୁବନେଶ୍ୱର : ଶ୍ରୀରାଧାକୃଷ୍ଣଙ୍କ ଦିବ୍ୟ ପ୍ରେମ ଉପରେ ଆଧାରିତ ଇଂରାଜୀ କବିତା ସଂକଳନ ପୁସ୍ତକ ‘ଲଭ୍ ରିପଲ୍ସ’ ପ୍ରଥମ କପିକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ଏହି ପୁସ୍ତକକୁ ଗ୍ରହଣ କରିବା ସହିତ କବିଙ୍କୁ ଅଭିନନ୍ଦନ ଜଣାଇଥିଲେ । ‘ଲଭ ରିପଲ୍ସ’ ପୁସ୍ତକର ମୂଳ ଲେଖକ ହେଉଛନ୍ତି ଆଧ୍ୟାତ୍ମବାଦୀ ଲେଖକ ତଥା କବି ଡକ୍ଟର ପ୍ରଦୀପ କୁମାର ଚୌଧୁରୀ । ସେ ‘ପ୍ରେମ ତରଙ୍ଗ’ ନାମରେ ଏହି କବିତା ପୁସ୍ତକକୁ ଓଡ଼ିଆରେ ରଚନା କରିଥିଲେ । ଡକ୍ଟର ନିଶାମଣି କର ଏହି କବିତା ପୁସ୍ତକକୁ ଇଂରାଜୀ ଭାଷାରେ ଅନୁବାଦ କରିଛନ୍ତି । ମୂଳ ପୁସ୍ତକ ୨୦୧୮ ମସିହାରେ ପ୍ରକାଶିତ ହୋଇଥିଲା ।
୨୦୧୯ରେ ଏହାର ହିନ୍ଦୀ ସଂସ୍କରଣ ପ୍ରକାଶ ପାଇଥିଲା । ଚଳିତ ବର୍ଷ ଏଥେନା ବୁକ୍ସ ଦ୍ୱାରା ଇଂରାଜୀ ସଂସ୍କରଣ ପ୍ରକାଶ ପାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକର ସଂକ୍ଷିପ୍ତ ସମୀକ୍ଷା କରିଛନ୍ତି ଯାହାକି ପୁସ୍ତକ ସହିତ ପ୍ରକାଶ ପାଇଛି । ଏହି କବିତା ସଂକଳନର ସ୍ୱାତନ୍ତ୍ର୍ୟ ହେଉଛି ଏଥିରେ ଶ୍ରୀରାଧାକୃଷ୍ଣଙ୍କ ଦିବ୍ୟ ପ୍ରେମ ଉପରେ ଆଧାରିତ ୫୧ଟି କବିତା ସ୍ଥାନିତ ହୋଇଛି । ରାଷ୍ଟ୍ରପତିଙ୍କୁ ପୁସ୍ତକର ପ୍ରଥମ କପି ପ୍ରଦାନ କରାଯିବା ଅବସରରେ ଲେଖକ ଡକ୍ଟର ପ୍ରଦୀପ ଚୌଧୁରୀ, ତାଙ୍କର ସହଧର୍ମିଣୀ ଶ୍ରୀମତୀ ଶର୍ମିଷ୍ଠା ଚୌଧୁରୀ, ପୁସ୍ତକର ଅନୁବାଦକ ଡକ୍ଟର ନିଶାମଣି କର ପ୍ରମୁଖ ଉପସ୍ଥିତ ଥିଲେ । ‘ଲଭ ରିପଲ୍ସ’ କବିତା ସଂକଳନ ପୁସ୍ତିକାରେ ପ୍ରେମ ମାଧ୍ୟମରେ ଭଗବତପ୍ରାପ୍ତିର ଆନନ୍ଦ ବର୍ଣ୍ଣନା କରାଯାଇଛି । ଶରୀରରୁ ମନ, ମନରୁ ହୃଦୟ ଏବଂ ହୃଦୟରୁ ଆତ୍ମାରେ ପ୍ରକଟ ହେଉଥିବା ଦିବ୍ୟ ଚେତନାର ଅନୁଭବ ଏଥିରେ ପ୍ରକଟିତ ହୋଇଛି । ଶାରୀରିକ ଇଚ୍ଛାକୁ ଶୁଦ୍ଧ କରିବା ଏବଂ ମନ ଓ ଆତ୍ମାର ଅଶୁଦ୍ଧତାକୁ ଦୂର କରିବା, ଅନ୍ତରର ଆଲୋକକୁ ଜଳାଇବା ସହିତ ପରମାନନ୍ଦ ପ୍ରାପ୍ତିର ଭାବନା ଏଥିରେ ଥିବା ଆଧ୍ୟାତ୍ମିକ କବିତାଗୁଡ଼ିକରେ ପ୍ରତିଫଳିତ ହୋଇଛି । ଆଧ୍ୟାତ୍ମିକ ସାହିତ୍ୟ କ୍ଷେତ୍ରରେ ପୁସ୍ତକଟି ବିଶେଷ ଆଦୃତି ଲାଭ କରିବ ବୋଲି ଆଶା କରାଯାଉଛି ।