ଭୁବନେଶ୍ୱର: ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଲକ୍ଷ୍ମୀସାଗର ଥାନା ଘେରିଲେ ସ୍ଥାନୀୟ ମହିଳା ସଂଗଠନ । ପୁଲିସ ବିରୋଧରେ ନାରାବାଜି କରିବା ସହ ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଥାନା ସାମ୍ନାରେ ଧାରଣାରେ ବସିଲେ । ପୁଲିସ ଏବଂ ଧାରଣାରତ ମହିଳାଙ୍କ ଆପୋସ ଆଲୋଚନା ହେବା ସହ ଅଟକ ରଖାଯାଇଥିବା ଯୁବକଙ୍କୁ ଛାଡିବା ପରେ ଥାନା ଘେରାଉ ପ୍ରତ୍ୟାହୃତ ହୋଇଥିଲା । ତେବେ ପୁଲିସ ସୂଚନା ଅନୁଯାୟୀ ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରେ କାର୍ତ୍ତିକେଶ୍ୱର ଭାଷାଣ ଅନୁଷ୍ଠିତ ହେଉଥିଲା ।
ସେମାନେ ଏଠାରେ ଅଧିକ ରାତି ପର୍ଯ୍ୟନ୍ତ ଡିଜେ ବଜାଉଥିଲା । ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଏହାକୁ ବନ୍ଧ କରାଇଥିଲା । ଏହାକୁ ନେଇ ଜଣେ ଯୁବକର ପୁଲିସ ସହ ପାଟିତୁଣ୍ଡ ହୋଇଥିଲା । ତେବେ ପୁଲିସ ତାଙ୍କୁ ସେଠାରୁ ଥାନାକୁ ନେଇ ଆସିଥିଲା । ତେବେ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ମହିଳା ସଂଗଠନ ଧାରଣା ଦେଇଥିଲେ । ତେବେ ସମ୍ପୃକ୍ତ ଯୁବକଙ୍କୁ ଛାଡି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।