ନୂଆଦିଲ୍ଲୀ : ଯୁଦ୍ଧତ୍ରସ୍ତ ୟୁକ୍ରେନ୍ରେ ଭାରତୀୟ ଛାତ୍ରୀଛାତ୍ରଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । ଆମକୁ ଏଠାରୁ ଆଉ ଉଦ୍ଧାର କରିବାର ଆବଶ୍ୟକ ନାହିଁ, ଆମର ଏଠାରେ ହତ୍ୟା କରିଦିଆଯିବ ବୋଲି ଛାତ୍ରୀଛାତ୍ରମାନେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭାବୁକ ଅପିଲ୍ କରି କହିଛନ୍ତି । ସ୍ଥିତି କିପରି ଦୟନୀୟ ଏହା କଳ୍ପନାରେ ବାହାରେ । ୟୁଦ୍ଧତ୍ରସ୍ତ ୟୁକ୍ରେନ୍ରେ ଜୀବନ ବିକଳରେ ହଷ୍ଟେଲ୍ରେ ଆଶ୍ରୟ ନେଇଥିବା ଛାତ୍ରୀଛାତ୍ରଙ୍କ ନିକଟରେ ପିଇବାକୁ ପାଣି ନାହିଁ । ସେମାନେ ବରଫ ତରଳାଇ ବ୍ୟବହାର କରୁଛନ୍ତି । ୟୁକ୍ରେନ୍ର ଉତ୍ତର ପୂର୍ବାଞ୍ଚଳ ସୁମି ସହରରୁ ଭାରତୀୟ ଛାତ୍ରୀଛାତ୍ରଙ୍କ ଏପରି ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ସେମାନେ କହିଛନ୍ତି ଯେ ୟୁକ୍ରେନ୍ର ସୁମି ୟୁନିଭର୍ସିଟି ଅଧୀନସ୍ଥ ଏକ ମେଡିକାଲ୍ କଲେଜ୍ ହଷ୍ଟେଲ୍ରେ ପାଖାପାଖି ୮୦୦ରୁ ୯୦୦ ଜଣ ଛାତ୍ରୀଛାତ୍ର ଏକ ସପ୍ତାହ ଧରି ଫସି ରହିଛନ୍ତି । ଏଯାବତ୍ ସେମାନଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । କିଛି ବିଦେଶୀ ଛାତ୍ର ନିଜ ପ୍ରୟାସରେ ୟୁକ୍ରେନ୍ ପରିତ୍ୟାଗ କରିବା ସମୟରେ ଗୁଳିମାଡ଼ରେ ଜୀବନ ହରାଇଛନ୍ତି । ଜଣେ ଭାରତୀୟ ଛାତ୍ର ଏହି ଭିଡିଓ ସୁଟ୍ କରିବା ସମୟରେ ତାଙ୍କ ପଛରେ ପାଖାପାଖି ଶହେ ଛାତ୍ରୀଛାତ୍ର ଥିବା ଦେଖିବାକୁ ମିଳିଛି । ସେମାନଙ୍କ ଆଖିରେ ଭୟ-ବିଷାଦ ଓ ଅସହାୟ ଦେଖାଯାଉଛି । ଆମେ ସରକାରଙ୍କ ସହାୟତା ଅପେକ୍ଷାରେ ରହିଛୁ । ମାତ୍ର ସରକାରଙ୍କ ତରଫରୁ କୌଣସି ସୂଚନା ନାହିଁ । ରୁଷ୍ ସୀମାରେ ବସ୍ ପ୍ରସ୍ତୁତ ରହିଛି ବୋଲି କୁହାଯାଉଛି; ମାତ୍ର ରୁଷ୍ ସୀମା ଏଠାରୁ ପାଖାପାଖି ୫୦ କିମି ଦୂର । ଯଦି ବି ଆମେ ଚାଲି ଚାଲି ଯାଉ ତେବେ ଚାରିଆଡେ ଯୁଦ୍ଧ, ବୋମାବର୍ଷଣ ଓ ମିସାଇଲ୍ ମାଡ଼ । ପ୍ରତି ୨୦ ମିନିଟ୍ ଅନ୍ତରାଳରେ ବୋମାବର୍ଷଣ ଚାଲିଛି । ଏପରି ସ୍ଥିତିରେ ହଷ୍ଟେଲ୍ରୁ ବାହରିବା ଜୀବନ ପ୍ରତି ବିପଜ୍ଜନକ ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି । ଭାରତ ସରକାର ହଜାର ହଜାର ଭାରତୀୟ ନାଗରିକ ଓ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଦେଶ ଫେରାଇ ନେଇଛନ୍ତି । ଯେଉଁମାନେ ସୁରକ୍ଷିତ ଭାବେ ସୀମାରେ ପହଞ୍ଚି ପାରିଛନ୍ତି ସେମାନଙ୍କୁ ହିଁ ସରକାର ଫେରାଇ ନେଇଛନ୍ତି ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି ।
ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ବୋମା ବିସ୍ଫୋରଣ ପରେ ହଷ୍ଟେଲ୍କୁ ଜଳ ଯୋଗାଣ ବନ୍ଦ ହୋଇଯାଇଥିଲା । ଫଳରେ ସେମାନେ ବାଧ୍ୟହୋଇ ବରଫ ଏକାଠି କରି ତାକୁ ତରଳାଇ ପିଇଥିଲେ । ପୂର୍ବରୁ ମହଜୁଦ ରଖିଥିବା ଜଳ ଶୁକ୍ରବାର ସକାଳେ ଶେଷ ହୋଇଯାଇଥିଲା । ଫଳରେ ବାଲ୍ତିରେ ଆଉ କିଛି ବରଫ ସଂଗ୍ରହ କରିବା ସହ ସେଗୁଡ଼ିକୁ ତରଳାଇ ପାନୀୟ ଓ ରନ୍ଧନ ପାଇଁ ବ୍ୟବହାର କରିଥିଲେ ବୋଲି ଅବ୍ଦୁଲ୍ ରଉଫ୍ ନାମକ ଜଣେ ଛାତ୍ର କହିଛନ୍ତି । ଅନ୍ୟଜଣେ ଛାତ୍ର ନିଜାମୁଦ୍ଦିନ୍ ଅମନ କହିଛନ୍ତି, ବୋମା ବିସ୍ଫୋରଣ ପରେ ଗୁରୁବାରଠାରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ସୌଭାଗ୍ୟକ୍ରମେ ଶୁକ୍ରବାର ଅଧିକ ବରଫପାତ ହୋଇଥିବାରୁ ହଷ୍ଟେଲ୍ ବାହାରୁ ସେଗୁଡ଼ିକୁ ସଂଗ୍ରହ କରି ଇଣ୍ଡକ୍ସନ୍ ଓ କେଟଲୀ ସାହାଯ୍ୟରେ ତରଳାଇ ବ୍ୟବହାରଯୋଗ୍ୟ କରିଛୁ । ଜଳ ଯୋଗାଣ ବନ୍ଦ ଯୋଗୁଁ ସେମାନଙ୍କ ୱାଶ୍ରୁମ୍ ଅବସ୍ଥା ମଧ୍ୟ ଖରାପ ହୋଇଗଲାଣି । ସେମାନଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରିବା ପାଇଁ ଛାତ୍ରମାନେ ନିବେଦନ କରିଛନ୍ତି ।