27.1 C
Bhubaneswar
Thursday, February 12, 2026
Homeଓଡିଶା୧୩ ଦିନ ହେଲା ରାଜ୍ୟବାସୀ ହନ୍ତସନ୍ତ; ମନ୍ତ୍ରୀ ନିଜ ଜିଦରେ ଅଟଳ: ଭକ୍ତ

୧୩ ଦିନ ହେଲା ରାଜ୍ୟବାସୀ ହନ୍ତସନ୍ତ; ମନ୍ତ୍ରୀ ନିଜ ଜିଦରେ ଅଟଳ: ଭକ୍ତ

ଭୁବନେଶ୍ୱର:  ଓଡ଼ିଶା ଅମଲା ବା ରାଜସ୍ୱ କର୍ମଚାରୀ ସଂଘର କ୍ୟାଡର ପୁନର୍ଗଠନ, ପଦୋନ୍ନତି ଓ ଦରମା ବୃଦ୍ଧି ସହିତ ୧୦ ଦଫା ଦାବି ନେଇ ରାଜସ୍ୱ କାର୍ଯ୍ୟାଳୟଗୁଡ଼ିକରେ ଆଜିକୁ ୧୩ ଦିନ ହେବ ଆନ୍ଦୋଳନ ଜାରି ରହିଛି। ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ବାରମ୍ବାର ରାଜ୍ୟ ସରକାରଙ୍କୁ ନିଜ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି, କିନ୍ତୁ କୌଣସି ସୁଫଳ ମିଳି ନାହିଁ। ରାଜସ୍ୱ ମନ୍ତ୍ରୀ ଜିଦ୍ ଛାଡି ଆଲୋଚନା ପାଇଁ ସଂଘର ନେତାମାନଙ୍କୁ ଡାକିବା ସହ ଅମଲାମାନଙ୍କ ଦାବି ବିଚାରପୂର୍ବକ ତୁରନ୍ତ ସମାଧାନର ବାଟ ବାହାର କରିବା ସହ ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରନ୍ତୁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।

ସୂଚନାଯୋଗ୍ଯ, ଦାବିଗୁଡ଼ିକ ମଧ୍ୟରେ ରହିଛି: ପଦୋନ୍ନତି ସହ ଜିଲ୍ଲା ରାଜସ୍ୱ କ୍ୟାଡର ନିୟମାବଳୀ ପ୍ରକାଶ କରିବା, ସମସ୍ତ ଯୋଗ୍ୟ ଜିଲ୍ଲା କାର୍ଯ୍ୟାଳୟ ଓ କର୍ମଚାରୀଙ୍କୁ ରାଜସ୍ୱ ମିନିଷ୍ଟେରିଆଲ ସେବା କ୍ୟାଡରରେ ଅନ୍ତର୍ଭୁକ୍ତ କରିବା, ୟୁନିଫର୍ମ ପେ’ ଷ୍ଟ୍ରକଚର ସହ ଦରମା ବୃଦ୍ଧି କରିବା ଏବଂ ନୂଆ ସହକାରୀ ବିଭାଗୀୟ ଅଧିକାରୀ (ଏଏସଓ) ପଦବୀ ସୃଷ୍ଟି କରିବା। ଓଡ଼ିଶା ରାଜସ୍ୱ ଅମଲା ସଂଘର ବ୍ୟାନର ଅଧୀନରେ ୩୦ଟି ଜିଲ୍ଲାରେ ୧୦,୦୦୦ରୁ ଅଧିକ ରାଜସ୍ୱ କର୍ମଚାରୀ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି ଯେ, ‘ସେମାନେ ସୋମବାର କାର୍ଯ୍ୟରେ ଯୋଗ ଦେବେ, ନଚେତ ଆମ ପାଖରେ ଅଲଗା ଅସ୍ତ୍ର ଅଛି’। ତଥାପି କର୍ମଚାରୀମାନେ ନିଜ ଆନ୍ଦୋଳନରେ ଅଟଳ ରହିଛନ୍ତି।

ମନ୍ତ୍ରୀ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି ଯେ, ସଂଘର କିଛି ନେତା ଅନ୍ୟ ଦଳ ଦ୍ୱାରା ପ୍ରଲୋଭିତ ହୋଇ ଆନ୍ଦୋଳନକୁ ଊସୁକାଉଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ସମସ୍ୟା ସମାଧାନ ନୁହେଁ, ବରଂ କର୍ମଚାରୀଙ୍କୁ ଢାଲ ଭାବେ ବ୍ୟବହାର କରି ସରକାରଙ୍କୁ ବିରୋଧ କରିବା। କିନ୍ତୁ ଯାହା ଜଣାପଡୁଛି, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅପାରଗତା ଯୋଗୁଁ ସମସ୍ୟାଗୁଡ଼ିକ ଅସମାହିତ ରହିଛି। ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସେ କର୍ମଚାରୀଙ୍କୁ ଦାୟୀ କରୁଛନ୍ତି । ପ୍ରକୃତ କଥାଟି ହେଲା, ପୂର୍ବରୁ ବିଜେଡି ସରକାର ମଧ୍ୟ ଏହି ଦାବିଗୁଡ଼ିକ ପୂରଣ କରିବାରେ ବିଫଳ ହୋଇଥିଲେ। ସେମାନେ ସରକାରରେ ଥାଇ ଏହା କାହିଁକି ପୂରଣ କରି ନଥିଲେ? ବିଜେପି ମଧ୍ୟ ଏହି ଦାବି ପୂରଣ କରୁନାହିଁ।

ଏହି ଆନ୍ଦୋଳନ ବର୍ତ୍ତମାନ ରାଜ୍ୟରେ ଜନସାଧାରଣଙ୍କ ବିଭିନ୍ନ ସେବାକୁ ପ୍ରଭାବିତ କରିଛି। ଆୟ ପ୍ରମାଣପତ୍ର, ଜମି ଓ ଘର ପଟ୍ଟା, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟ ବନ୍ଦ ହୋଇଯାଇଛି। ଫଳରେ ଏହାର ଅତ୍ୟାବଶ୍ୟକୀୟ ରାଜସ୍ୱ ସେବା ଉପରେ ନିର୍ଭରଶୀଳ ନାଗରିକମାନେ ଏହି ଅଚଳାବସ୍ଥାର ପ୍ରଭାବ ଭୋଗୁଛନ୍ତି। ସେ ପଟେ ସଂଘ ସ୍ପଷ୍ଟ କରିଛି ଯେ, ସରକାର ସମସ୍ତ ୧୦ଟି ଦାବି ଗ୍ରହଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ତେଣୁ ରାଜ୍ୟବାସୀଙ୍କର ସ୍ବାର୍ଥ ଦୃଷ୍ଟିରୁ ମନ୍ତ୍ରୀ ଜିଦ୍ ଛାଡି ଆଲୋଚନା ପାଇଁ ସଂଘର ନେତାମାନଙ୍କୁ ଡାକିବା ସହ ଅମଲାମାନଙ୍କ ଦାବି ସହୃଦୟତାର ସହ ବିଚାର କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking