ଭୁବନେଶ୍ୱର: ଆଇଏସ୍ଏଲ୍ର ଅଷ୍ଟମ ସଂସ୍କରଣ ଆସନ୍ତା ୧୯ ତାରିଖଠାରୁ ଗୋଆର ତିନିଟି ଷ୍ଟାଡିୟମ୍ ଜବାହରଲାଲ୍ ନେହରୁ, ତିଲକ ମୈଦାନ ଓ ଜିଏମ୍ସି ଷ୍ଟାଡିୟମ୍ରେ ଖେଳାଯିବ । ଏଥିରେ ଅନ୍ୟତମ ଫ୍ରାଞ୍ଚାଇଜ୍ ଓଡ଼ିଶା ଏଫ୍ସି (ଓଏଫ୍ସି) ଆସନ୍ତା ୨୪ ତାରିଖରେ ତିଲକ ମୈଦାନଠାରେ ବେଙ୍ଗାଲୁରୁ ଏଫ୍ସି ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ଏହି କ୍ରମରେ ସିଜନ୍ ସକାଶେ ବୁଧବାର ଓଏଫ୍ସି ପକ୍ଷରୁ ଟିମ୍ ଘୋଷଣା କରାଯାଇଛି। ଏହି ଟିମ୍ରେ ୬ ଜଣ ବିଦେଶୀ ଓ ୭ ଜଣ ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି । ପୂର୍ବରୁ ଏହି ଓଡ଼ିଶା ଭିତ୍ତିକ ଟିମ୍ ସିଜନ୍ ପାଇଁ ୩ ଜଣ ଅଧିନାୟକ ବିନୀତ୍ ରାଏ, ଭିକ୍ଟର ମୋଙ୍ଗିଲ୍ ଓ ହେକ୍ଟର ରୋଡାସ୍ଙ୍କ ନାମ ଘୋଷଣା କରିସାରିଛି ।
ଏହାଛଡ଼ା ଜୁନିୟର୍ ଟିମ୍ରୁ ଦେବେନ୍ ସାହନୀ, ଅକଶୁନା ତ୍ୟାଗୀ ଓ ସିଭିଏଲ୍ ରେମଟିଉଆଙ୍ଗାଙ୍କୁ ମଧ୍ୟ ଦଳରେ ସାମିଲ୍ କରାଯିବା ନେଇ ଗତ ମାସରେ ସୂଚନା ଦିଆଯାଇଥିଲା । ଘୋଷିତ ଦଳରେ ରହିଥିବା ୬ ଜଣ ବିଦେଶୀ ଖେଳାଳିଙ୍କ ମଧ୍ୟରେ ମୋଙ୍ଗିଲ୍ ଓ ରୋଡାସ୍ଙ୍କ ବ୍ୟତୀତ ଜେଭି ହର୍ଣ୍ଣାଣ୍ଡେଜ୍, ଆରିଡାଇ କାବ୍ରେରା, ଲିରିଡୋନ୍ କ୍ରାସନିକି ଓ ଜୋନାଥନ୍ ଡି’ ଜିସସ୍ ରହିଛନ୍ତି । ସେହିପରି ଯୁବ ଖେଳାଳି ଭାବେ ଲାଲରେଜୁଆଲା ସାଇଲୁଙ୍ଗ୍, ସାହନୀ, ଥୋଇବା ସିଂ ମୋଇରାଙ୍ଗଥେମ୍, ଆଇସାକ୍ ଭାନଲାଲରୁଆଫେଲା, ରେମଟଲୁଆଙ୍ଗା, ତ୍ୟାଗୀ ଓ ନିଖିଲ ରାଜଙ୍କୁ ଉଦୀୟମାନ ଖେଳାଳି ଭାବେ ସିନିୟର୍ ଟିମ୍ରେ ନିଆଯାଇଛି । ଟିମ୍ ସମ୍ପର୍କରେ ମୁଖ୍ୟ କୋଚ୍ କିକୋ ରାମିରେଜ୍ କହିଛନ୍ତି ଯେ ଘୋଷିତ ଦଳରେ ଉଭୟ ଅଭିଜ୍ଞ ଓ ପ୍ରବୀଣ ଖେଳାଳିଙ୍କ ସମନ୍ୱୟ ରହିଛି । ଦଳର ଯୁବ ଖେଳାଳିମାନଙ୍କ ପ୍ରଦର୍ଶନ ସ୍ତର ବେଶ୍ ଉଚ୍ଚକୋଟୀର ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୁନିୟର୍ ଟିମ୍ ପରି ସିନିୟର୍ ଟିମ୍ରେ ବି ସେମାନଙ୍କ ସଫଳତାର ଛାପ ଛାଡ଼ିବେ ବୋଲି ଆମେ ଆଶା କରୁଛୁ ।
ସେମାନଙ୍କ ପାଖରେ ଅଧିକରୁ ଅଧିକ ଜ୍ଞାନ ହାସଲ କରିବାର ଭରପୂର ଆଗ୍ରହ ରହିଛି । ସେହିପରି ବିଦେଶୀ ଖେଳାଳିମାନଙ୍କ ପାଖରେ ଥିବା ଅଭିଜ୍ଞତା ଜଟିଳ ପରିସ୍ଥିତିରେ ଦଳ ପାଇଁ ବେଶ୍ ସହାୟକ ହେବ । ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ମାନେ ନୂଆ ସିଜନ୍ ପାଇଁ ବେଶ୍ ଦୃଢ଼ ମନୋବଳ ହାସଲ କରିଛନ୍ତି । ଦଳରେ ସାମିଲ୍ ଥିବା ଖେଳାଳିମାନଙ୍କ ଶୈଳୀ ଭିନ୍ନ ଥିବାରୁ ସେମାନେ ପ୍ରତିପକ୍ଷ ଦଳକୁ ଚକ୍ମା ଦେବାରେ ସକ୍ଷମ ହେବେ । ତା’ଛଡ଼ା ଚମତ୍କାର ଅଭ୍ୟାସ ଓ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ମାଧ୍ୟମରେ ଆମର ଖେଳାଳିମାନେ ଉତ୍କର୍ଷ ମାନର ଫିଜିକାଲ୍ ଫିଟ୍ନେସ୍ ହାସଲ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି ବୋଲି ରାମିରେଜ୍ କହିଛନ୍ତି । ଘୋଷିତ ଦଳ: ଗୋଲ୍କିପର୍-କମଲଜିତ୍ ସିଂ, ଅର୍ଶଦୀପ ସିଂ ଓ ରବି କୁମାର, ଡିଫେଣ୍ଡର୍-ଗୌରବ ବୋରା, ଲାଲରୁଆଥାରା, ସାହିଲ୍ ପନୱର୍, ହେଣ୍ଡ୍ରି ଆଣ୍ଟୋନେ, ଲାଲରେଜୁଆଲା ସାଇଲୁଙ୍ଗ୍, ସେବାଷ୍ଟିଆନ୍ ଥାଙ୍ଗମୁଆନସାଙ୍ଗ, ଦେବେନ୍ ସାହନୀ, ଭିକ୍ଟର ମୋଙ୍ଗିଲ୍ ଓ ହେକ୍ଟର ରୋଡାସ୍, ମିଡ୍ଫିଲ୍ଡର୍-ଥୋଇବା ସିଂ ମୋଇରାଙ୍ଗଥେମ୍, ବିନୀତ୍ ରାଏ, ପଲ୍ ରାମଫାଙ୍ଗଜାଉଭା, ଆଇସାକ୍ ଭାନମାଲସାମା, ଆଇସାକ୍ ଭାଲଲାଲରୁଆଫେଲା, ଲିରିଡୋନ୍ କ୍ରାସନିକି, ଜେଭି ହର୍ଣ୍ଣାଣ୍ଡେଜ୍, ଜେରୀ ମାୱିମିଙ୍ଗଥାଙ୍ଗା, ନନ୍ଦକୁମାର ସେକର, ସିଭିଏଲ୍ ରେମତଲୁଆଙ୍ଗା ଓ ନିଖିଲ ରାଜ୍, ଫରୱାର୍ଡ- ଅକଶୁନା ତ୍ୟାଗୀ, ଡାନିଏଲ୍ ଲାଲଲିମପୁଇଆ, ଆରିଡାଇ କାବ୍ରେରା ଓ ଜୋନାଥନ୍ କ୍ରିଷ୍ଟିଆନ୍ ଡି’ ଜିସସ୍ ।