ଭୁବନେଶ୍ୱର: ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଭୁବନେଶ୍ୱର ନେତାଜୀ ଭବନ ପରିସରରେ ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିଵା ରାଜ୍ୟସ୍ତରୀୟ କର୍ମଶାଳା ଆଜି ତୃତୀୟ ଦିନରେ ପହଁଚିଛି। ଆଜି ଏହି କର୍ମଶାଳା ଅବସରରେ “ସାମ୍ପ୍ରତିକ ଅବସ୍ଥା ଓ ସମାଜବାଦୀ ବ୍ୟବସ୍ଥାର ପ୍ରସଙ୍ଗିକତା” ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅତିଥି ବକ୍ତା ଭାବରେ ଫରୱାର୍ଡ଼ ବ୍ଲକର ଜାତୀୟ ସାଧାରଣ ସମ୍ପାଦକ କମ୍ରେଡ ଜୀ. ଦେବରାଜନ ଯୋଗଦେଇ ଭାରତ ବର୍ଷର ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ଭାରତବର୍ଷର ଜନଗଣ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସମ୍ରାଜବାଦୀ ଶକ୍ତି ମାନେ ଏବଂ ପୁଞ୍ଜିପତିମାନେ ସାଧାରଣ ମଣିଷର ଅଧିକରକୁ ନିଜ ସ୍ୱାର୍ଥ ପାଇଁ କ୍ଷୁର୍ଣ୍ଣ କରିବାରେ ଲାଗିଛନ୍ତି। ଦେଶର କୃଷକ ଶ୍ରେଣୀଙ୍କୁ କୃଷିଋଣ ଛାଡ ହୋଇପାରୁ ନଥିବା ବେଳେ ପୁଞ୍ଜିପତିମାନଙ୍କର ହଜାର ହଜାର କୋଟି ଟଙ୍କାର ଋଣ ମୋଦି ସରକାର ଛାଡ କରିବା ଅତ୍ୟନ୍ତ ବିଡମ୍ବନାର ବିଷୟ l ଫଳରେ ଗରିବ ଆହୁରି ଗରିବ ହେଉଥିବା ବେଳେ ଦେଶର ଅର୍ଦ୍ଧାଧିକ ପୁଞ୍ଜି ଏକା ଭାଗ ପୁଞ୍ଜିପତିମାନଙ୍କ ପାଖରେ ଠୁଳ ହେବାରେ ଲାଗିଛି l ଦେଶର ପ୍ରଚଳିତ ବ୍ୟବସ୍ଥା ପରିବର୍ତ୍ତନ ହୋଇ ନେତାଜୀ ସୁଭାଷଙ୍କ ପ୍ରଦଶିତ ମାର୍ଗ ସମାଜବାଦୀ ଵା ସୁଭାଷବାଦୀ ବ୍ୟବସ୍ଥାର ପ୍ରତିଷ୍ଠା ନହେଲେ ସମଗ୍ର ଭାରତ ବର୍ଷ ସାମ୍ରାଜବାଦୀ ଶକ୍ତି ମାନଙ୍କ ଅକ୍ତିଆରକୁ ସଂପୂର୍ଣ୍ଣ ଭାବରେ ଚାଲିଯିବ । ଏଭଳିସ୍ଥଳେ ଦେଶରେ ସମାଜବାଦୀ ବ୍ୟବସ୍ଥାର ପ୍ରତିଷ୍ଠା ପାଇଁ ଐକ୍ୟବୋଧ ହୋଇ କାର୍ଯ୍ୟକରିବାକୁ ଆଜାଦ ହିନ୍ଦ ବାହିନୀର ସାଥିମାନଙ୍କୁ ଆହ୍ୱାନ କରିଥିଲେ। ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ତଥା ଆଠଗଡ଼ ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବ୍ୟକ୍ତବ୍ୟ ରଖି ସମାଜବାଦୀ ଦର୍ଶନର ବିକଳ୍ପ ନାହିଁ, ଆଜି ଦେଶ ଯେଉଁ ଅବସ୍ଥା ଦେଇ ଗତି କରୁଛି, ଯେଉଁ ଭାବରେ ଦେଶର ଅର୍ଥନୈତିକ ଅବସ୍ଥା ନିମ୍ନଗାମୀ ହେଵା ସହିତ ସଂପୂର୍ଣ୍ଣ ଭାବେ ପୁଞ୍ଜିପତିଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି, ସାମ୍ପ୍ରଦାୟିକ ଶକ୍ତିମାନେ ଦେଶକୁ ଏକ ବିଭାଜନ ଆଡକୁ ନେଇଯାଉଛନ୍ତି ତାହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ ବୋଲି ପ୍ରକାଶ କରିଥିଲେ l ଧର୍ମାନ୍ଧ ବ୍ୟକ୍ତି ମାନେ ଧର୍ମ ନାମରେ, ଜାତି ନାମରେ ସମଗ୍ର ଦେଶରେ ଆତଙ୍କ ରାଜ ଚଳାଇଥିବା ବେଳେ ଶାସନରେ ଥିବା ସରକାରଙ୍କ ନୀରବତା ଚିନ୍ତାଜନକ ।
ଦେଶର ଅସମାନତା ବଢିଛି ଏବଂ ସଂଖ୍ୟାଧିକ ମେହନତି ମଣିଷ ସେମାନଙ୍କ ମୌଳିକ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି। ଏଭଳି ସ୍ଥଳେ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ସମାଜବାଦୀ ବ୍ୟବସ୍ଥା ଆଧାରରେ ଭାରତ ବର୍ଷକୁ ଗଢିତୋଳିବା ଅପରିହାର୍ଯ୍ୟ ହୋଇପଡିଛି ବୋଲି ଏହି ଅବସରରେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ବକ୍ତା ଭାବରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ପ୍ରସାଦ ହାତୀ, ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ସମତାକ୍ରାନ୍ତି ଦଳର ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରାୟ, ଫରୱାର୍ଡ଼ ବ୍ଲକ ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ପ୍ରମୁଖ ଆଲୋଚନା ଚକ୍ରରେ ବ୍ୟକ୍ତବ୍ୟ ରଖି ସାମ୍ପ୍ରତିକ ଅବସ୍ଥାରେ ଦେଶ ଏକ ସଙ୍କଟ ମୟ ସ୍ଥିତିରେ ଗତି କରୁଛି। ରାଜ୍ୟରେ ଡବଲ ଇଂଜିନ ସରକାର ଆସିଵା ପରେ ସଂଖ୍ୟାଲଘୁ, ଦଳିତ ଓ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରଦର୍ଶିତ ଭାରତୀୟତା ଆଧାରରେ ସମାଜବାଦୀ ବ୍ୟବସ୍ଥାର ପ୍ରତିଷ୍ଠା କରାଯାଇ ପାରିଲେ ଭାରତ ବର୍ଷକୁ ରକ୍ଷା କରାଯାଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ପରେ ଅତିଥି ମାନେ ଆଜାଦ ହିନ୍ଦ ବାହିନୀ ପକ୍ଷରୁ ପ୍ରସ୍ତୁତ ଏକ ଫଟୋ ପ୍ରଦଶନୀକୁ ବୁଲି ଦେଖିଥିଲେ l ଏହି କର୍ମଶାଳା ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିବ । ସାରା ରାଜ୍ୟରୁ ଶତାଧିକ ଆଜାଦ ହିନ୍ଦ ବାହିନୀର ସିପାହୀମାନେ ଏହି କର୍ମଶାଳାରେ ଯୋଗଦାନ କରିଛନ୍ତି। ସର୍ବଶ୍ରୀ ଲଷ୍ମୀ ଦୋରା, ଦିଶା ଆଜାଦ, ରିଙ୍କି ସାହୁ, ପାୟଲ ଗୁପ୍ତା, ଈଶ୍ୱର ଖିଲ, ବିକ୍ରମ ତାଣ୍ଡି, ରାଜୁ ମାଡକାମୀ, ଖୋଜନ୍ତି କାଣ୍ଡକି ପ୍ରମୁଖ ଏହି କର୍ମଶାଳା ପରିଚାଳନା ରେ ସହଯୋଗ କରିଥିଲେ l










