ନୂଆଦିଲ୍ଲୀ : ପ୍ରବଳ ଖରା, ପ୍ରଚଣ୍ଡ ତାତି । ତତଲା କଡେଇରେ ଭାଜି ହେଉଛନ୍ତି ଦେଶବାସୀ । ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୀଷଣ ଗରମ ମଧ୍ୟରେ ଦେଶର କିଛି ସ୍ଥାନର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିସାରିଛି। ଆଉ କିଛି ସହରରେ ପାରା ୫୦ ନିକଟତର ହୋଇଛି। ହରିୟାଣାର ସିର୍ସାରେ ତାପମାତ୍ରା ୫୦.୩ ଡିଗ୍ରୀ ରେକର୍ଡ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଦିଲ୍ଲୀ ସମେତ ଅଧା ଭାରତରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରବଳ ଖରା ସହିତ ଅଂଶୁଘାତ ପରିସ୍ଥିତି ଦେଖାଯିବାର ଆଶଙ୍କା ଦେଖାଯାଉଛି। ବୁଧବାର ଦିନ ହରିୟାଣାର ରହତୋକ- ଉତ୍ତରପ୍ରଦେଶର ପ୍ରୟାଗରାଜରେ ୪୮.୮, ପଂଜାବର ଭତିଣ୍ଡାରେ ୪୮.୫, ବିହାରର ଔରଙ୍ଗାବାଦ-ରାଜସ୍ଥାନର ପିଲାନୀରେ ୪୮-୨, ଝାଡ଼ଖଣ୍ଡର ଡେଲଟାଗଂଜରେ ୪୭.୭, ମଧ୍ୟପ୍ରଦେଶର ଖୁଜରହୋରେ ୪୭.୪, ଦିଲ୍ଲୀର ରିଡଜରେ ୪୭.୩, ବିଦର୍ଭର ବ୍ରହ୍ମପୁରୀ-ଛତିଶଗଡ଼ର ରାୟଗଡ଼ରେ ୪୬.୭, ଓଡ଼ିଶାର ବଲାଙ୍ଗୀରରେ ୪୬.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି, ଆଜି ବି ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତାପମାତ୍ରା ବୃଦ୍ଧି କାରଣରୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାର ଅଛି। ତେଣୁ ଶିଶୁ, ବୟସ୍କ ଓ ଗୁରୁତର ରୋଗୀଙ୍କୁ ଅଧିକ ସତର୍କ ରହିବାର ଅଛି।