26.1 C
Bhubaneswar
Thursday, November 28, 2024
Homeଅପରାଧଖୋଲିଲା ଏମ୍‌ସିଏ ଛାତ୍ରୀ ଆଶ୍ରିତାଙ୍କ ମୃତ୍ୟୁ ରହସ୍ୟ: ପ୍ରେମିକ ପାଇଁ ଜୀବନ ହାରିଲେ

ଖୋଲିଲା ଏମ୍‌ସିଏ ଛାତ୍ରୀ ଆଶ୍ରିତାଙ୍କ ମୃତ୍ୟୁ ରହସ୍ୟ: ପ୍ରେମିକ ପାଇଁ ଜୀବନ ହାରିଲେ

ଭୁବନେଶ୍ୱର: ଏମ୍‌ସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ମୃତ୍ୟୁର କାରଣକୁ ନେଇ ସସପେନ୍ସ ଲାଗିରହିଥିବାବେଳେ ଆତ୍ମହତ୍ୟାର କାରଣ ଆଜି ସାମ୍ନାକୁ ଆସିଛି । ତାଙ୍କ ପ୍ରେମିକ ସତ୍ୟପ୍ରକାଶ ଦାଶଙ୍କ ପାଇଁ ହିଁ ଆଶ୍ରିତା ଆତ୍ମହତ୍ୟା କରିଛନ୍ତି । ସତ୍ୟପ୍ରକାଶ ଅନେକ ସମୟରେ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ଯେଉଁଥିପାଇଁ ଆଶ୍ରିତା ନୀଜ ଜୀବନ ହାରିବାକୁ ପଛାଇନାହାନ୍ତି ।
ଏସମ୍ପର୍କରେ ସହିଦନଗର ଥାନାଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ କହିଛନ୍ତି, ଆଶ୍ରିତାଙ୍କ ପୁରୁଷବନ୍ଧୁ ସତ୍ୟପ୍ରକାଶ ଉଭୟ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ । ଅଭିଯୁକ୍ତ ଆଶ୍ରିତାକୁ ଅତ୍ୟଧିକ ମାଡ ମାରିିଥିବା ଯୋଗୁଁ ତାଙ୍କ ମୁହଁରେ ଅନେକ ଦାଗ ରହିଛି ।

ତେଣୁ ଅଭିଯୁକ୍ତ ପୁରୁଷବନ୍ଧୁକୁ ଗିରଫ କରାଯାଇଛି । ଏନେଇ ପୁଲିସ ଆଇପିସିର ଦଫା ୩୦୬(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା ରୁଜୁ କରାଯାଇଛି । ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ସୂଚନା ଅନୁଯାୟୀ, ସତ୍ୟପ୍ରକାଶ ଏବଂ ମୃତକ ଆଶ୍ରିତା ଦୁହେଁ ଭୁଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର । ୨୦୧୪ ମସିହାରୁ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଛି । ଏସମ୍ପର୍କରେ ଉଭୟଙ୍କ ପରିବାର ମଧ୍ୟ ଜାଣିଥିଲେ । ଗତ ୫ମାସ ହେବ ରାଜଧାନୀର ଏକ ଘରୋଇ କଲେଜରେ ଆଶ୍ରିତା ଏମ୍‌ସିଏ ପ୍ରଥମବର୍ଷରେ ପଢୁଥିଲେ । ଏଥିସହ ଆଚାର୍ଯ୍ୟବିହାର ସ୍ଥିତ ପ୍ଲଟ୍ ନଂ-୧୦୭/ଏଚ୍‌ରେ ଘର ଭଡ଼ା ନେଇ ରୁହନ୍ତି । ସେପଟେ ପ୍ରେମିକ ସତ୍ୟପ୍ରକାଶ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଇନ୍‌ଫୋସିସ୍ କମ୍ପାନୀରେ କାମ କରନ୍ତି ।

୨୦୧୯ ମସିହାରୁ ଆଶ୍ରିତାଙ୍କ ଉପରେ ସତ୍ୟପ୍ରକାଶ ସନ୍ଦେହ କରିଆସୁଥିଲେ । ଆଶ୍ରିତା ଅନ୍ୟ କାହା ସହ ପ୍ରେମସମ୍ପର୍କରେ ଥିବା ସତ୍ୟପ୍ରକାଶ ଭାବୁଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗିରହୁଥିଲା । ଏଥିପାଇଁ ଆଶ୍ରିତାଙ୍କୁ ସତ୍ୟପ୍ରକାଶ ସବୁବେଳେ ମାରପିଟ୍ କରୁଥିଲେ । ଗତ ୪ତାରିଖ ରାତିରେ ୭ଟାରୁ ୮ଟା ମଧ୍ୟରେ ଆଶ୍ରିତାଙ୍କ ଭଡ଼ାଘର ବାହାରକୁ ସତ୍ୟପ୍ରକାଶ ଆସିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସତ୍ୟପ୍ରକାଶ ଜୋରସେ ମାରପିଟ୍ କରିଥିଲେ । ଏହାକୁ ସହ୍ୟ କରିନପାରି ଆଶ୍ରିତା ରୁମ୍ ଭିତରକୁ ଯାଇ ରାତି ୯ଟାରୁ ୧୦ଟା ମଧ୍ୟରେ ବେକରେ କପଡ଼ା ଲଗାଇ ଆତ୍ମହତ୍ୟା କରିଦେଇଥିଲେ ।

ଏହାପରେ ଆଶ୍ରିତାଙ୍କ ବାପା ବାରମ୍ବାର ଫୋନ୍ କରିଥିଲେ । ହେଲେ ଆଶ୍ରିତା ଫୋନ୍ କଲ୍ ରିସିଭ୍ କରିନଥିଲେ । ତେଣୁ ତାଙ୍କ ବାପାଙ୍କ ସନ୍ଦେହ ହୋଇଥିଲା । ଏନେଇ ସେ ମଙ୍ଗଳବାର ସକାଳ ୧୦ଟା ବେଳେ ଆଶ୍ରିତା ରହୁଥିବା ଭଡ଼ାଘରକୁ ଯାଇଥିଲେ । ସେଠାରେ ଭିତରୁ କବାଟ ବନ୍ଦ ଥିବା ଦେଖିଥିଲେ । ପରେ ପୁଲିସ ଉପସ୍ଥିତିରେ କବାଟ ଭାଙ୍ଗି ଦେଖିବାବେଳକୁ ଆଶ୍ରିତା ବେକରେ କପଡ଼ା ଗୁଡ଼ାଇ ଆତ୍ମହତ୍ୟା କରିଛନ୍ତି । ଏହାପରେ ପୁଲିସ ଆଶ୍ରିତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

“ସେ ମତେ ବହୁତ ଟର୍ଚ୍ଚର କରିଛି”
ମୁଁ ବହୁତ କଷ୍ଟ ପାଇଲିଣି । ଦୁଇ ଦିନ ହେଲା ଖାଇନି । ସେ ମୋତେ ବହୁତ ଟର୍ଚ୍ଚର କରିଛି । ମା’ ମୁଁ ସହିପାରୁନି । ମା’ ତୁ ଭଲ, ତୋ କଥା ମନେ ପଡିବ । ମୋ ମୁଣ୍ଡ କ’ଣ ହୋଇଯାଉଛି । ସେ ମତେ ବାରମ୍ବାର ବାଧ୍ୟ କରୁଛି । କହୁଛି ତୁ ମରିଯା । ସରି ମା’ । ମୁଁ ତୋ କଥା ରଖିପାରିଲିନି । ମା’ ମତେ ଭୋକ ଲାଗୁଛି । ସବୁଦିନ ଖାଇବାକୁ ଦେବାକୁ ଆସିବୁ ନା । ବାପା ମୁଁ ତୁମକୁ ବହୁତ ଭଲପାଏ । ପାରିବ ତ କ୍ଷମା କରିଦେବ । ମୋ ପରି ଆଉ କାହାକୁ ଟ୍ରଷ୍ଟ କରନି । ମା’ ସେ ମୋତେ ବହୁତ ଖରାପ ଭାଷାରେ ଗାଳି କରିଛି । ସବୁ ମୋ ଫୋନରେ ଅଛି । ଯାଉଛି ମା’ । ଯିବାକୁ ତ ଇଚ୍ଛା ନାହିଁ, ମୁଁ ଆଉ ପାରିବିନି । ଭାବିଥିଲି ଚାକିରୀ କରିବି । ବାପାଙ୍କ ସ୍ୱପ୍ନ ପୁରା କରିବି । ହେଲେ ଆଉ ପାରୁନି । ତୁମମାନଙ୍କୁ ବହୁତ ମନେପକାଇବି । ଏମିତି କିଛି ଏକ ସାଦାକାଗଜରେ ଲେଖି ଆଶ୍ରିତା ଆତ୍ମହତ୍ୟା କରିଛନ୍ତି । ଏହି ସୁଇସାଇଡ୍ ନୋଟକୁ ଆଶ୍ରିତାଙ୍କ ନିକଟରୁ ଜବତ ହୋଇଛି । ଉକ୍ତ ସୁଇସାଇଡ୍ ନୋଟ ଆଧାରରେ ପୁଲିସ ତଦନ୍ତ ଚଳାଇଛି । ଏଥିସହ ସତ୍ୟପ୍ରକାଶ ପାଖେ ପହଞ୍ଚିବାରେ ଏହି ନୋଟ୍ ସହାୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking