କନ୍ଧମାଳ : ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ହେଉଛି ମେଟଲା ରଇତ। ତାଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବାଡ଼ିପଙ୍ଗା ଗାଁରେ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ମେଟାଲକୁ ଘରୁ ଉଠାଇ ନେଇଯାଇଥିଲେ। ଆଉ ଆଜି ତାର ମୃତ ଦେହ ଘର ଠାରୁ କିଛି ଦୂରରେ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ମାଓବାଦୀ ମେଟଲାକୁ ହତ୍ୟା କରିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏନେଇ କୋଟଗଡ଼ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ମାଓବାଦୀ ଯୁବକକୁ ହତ୍ୟା କରିବା ପରେ ଧମକପୂର୍ଣ୍ଣ ଚିଠି ଛାଡ଼ି ଯାଇଛନ୍ତି। ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ କମିଟି ମେଟଲାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ଯେଉଁ ମାନେ ମେଟଲା ଭଳି ଦଲାଲ କାମ କରୁଥିବା ବ୍ୟକ୍ତି ତୁରନ୍ତ ନିଜ ଭୁଲକୁ ମାନି ପାର୍ଟି ପାଖରେ କ୍ଷମା ମାଗନ୍ତୁ ନଚେତ ଏରିଆ ଛାଡ଼ି ଚାଲିଯାନ୍ତୁ। ନହେଲେ ମେଟଲା ଭଳି ଦଣ୍ଡ ଦିଆଯିବ ବୋଲି ମାଓବାଦୀ ସେହି ଚିଠିରେ ଉଲ୍ଲେଖ କରିଛନ୍ତି।