ଭୁବନେଶ୍ୱର:ପଂଚାୟତ ଘର ତାଲା କାଟି ଆଲମିରା ଚାବି ଖୋଲି ସମସ୍ତ ଦରକାରୀ କାଗଜପତ୍ର ଚୋରି କରି ନେଲେ ଦୁର୍ବୃତ୍ତ । ଲୁଟ୍ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ଗ୍ରାମପଂଚାୟତ ଅଫିସରରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଅଫିସ ଘରର ସମସ୍ତ କବାଟର ତାଲା କାଟିଦେଇଥିଲେ । ଏହାସହ ଦୁଇଟି ଅଲମାରୀରେ ଥିବା ସମସ୍ତ ଦରକାରୀ କାଗଜପତ୍ର ଚୋରି କରିନେଇଥିବା ଶୁକ୍ରବାର ସକାଳ ସମୟରେ ପଂଚାୟତ ସରପଂଚ ତପନୀ ଭୂୟାଁ ଦେଖିବାକୁ ପାଇଥିଲେ । ସଂଗେ ସଂଗେ ଏ ବିଷୟରେ ପଂଚାୟତର ଲୋକମାନଙ୍କୁ ଜଣାଇବା ସହିତ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ କରିଥିବା ଦେଖିବାକୁ ମିଳିଛି । ପଂଚାୟତ ଘରୁ ଦରକାରୀ କାଗଜପତ୍ର ଚୋରି କରିବାକୁ ନିନ୍ଦା କରିବା ସହିତ ଚୋର ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ପଂଚାୟତ ସରପଞ୍ଚ ।