ନ୍ୟୁୟର୍କ : ଆମେରିକାର ବାଣିଜ୍ୟିକ ରାଜଧାନୀ କୁହାଯାଉଥିବା ନ୍ୟୁୟର୍କ ସହରରେ ବାସଗୃହ କିଣିବା କିମ୍ବା ଭଡାସୂତ୍ରରେ ନେବା ନିଶ୍ଚିତଭାବେ ବ୍ୟୟବହୁଳ ବ୍ୟାପାର । ତେବେ ନ୍ୟୁୟର୍କ ସହରରେ କାର୍ ପାର୍କିଂ ପାଇଁ ଜାଗା କିଣିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଭାରତୀୟ ମୁଦ୍ରାରେ ସର୍ବନିମ୍ନ ପ୍ରାୟ ୬ କୋଟି ଟଙ୍କା ଦେବାକୁ ପଡିଥାଏ ବୋଲି ଜଣାପଡିଛି । ଅବଶ୍ୟ ଯେଉଁ ଆପାର୍ଟମେଣ୍ଟରେ ଏହି ପାର୍କିଂ ସ୍ଥାନ ରହିଛି, ତାହାକୁ କେବଳ ଉକ୍ତ ଆପାର୍ଟମେଣ୍ଟରେ ବାସ କରୁଥିବା ବ୍ୟକ୍ତି କିଣିପାରିବେ ବୋଲି କୁହାଯାଇଛି । ନ୍ୟୁୟର୍କ ସହରର ବିଳାସପୂର୍ଣ୍ଣ ଗ୍ରାମର୍ସି ପାର୍କ ଅଞ୍ଚଳରେ ଥିବା ପାର୍କିଂସ୍ଥଳଗୁଡିକ ଏହି ମୂଲ୍ୟରେ ବିକ୍ରି କରାଯାଉଥିବା ଜଣାପଡିଛି । ପାର୍କିଂସ୍ଥଳରେ କାର୍କୁ ରଖିବା ଓ ବାହାର କରିବା କାର୍ଯ୍ୟ ରୋବଟ୍ ଦ୍ୱାରା ସମ୍ପାଦନ କରାଯାଉଛି । କାର୍ ମାଲିକଙ୍କୁ ଆରଏଫ୍ଆଇଡି ଟ୍ୟାଗ୍ ବ୍ୟବହାର କରିବାକୁ ପଡିଥାଏ । ଏହାଦ୍ୱାରା ମାତ୍ର ୨ ମିନିଟ ମଧ୍ୟରେ କାର୍କୁ ପାର୍କିଂସ୍ଥଳରୁ ବାହାର କିମ୍ବା ପାର୍କିଂ କରାଯାଇଥାଏ । ନ୍ୟୁୟର୍କରେ ପାର୍କିଂସ୍ଥଳ ମିଳିବା କଷ୍ଟକର ହୋଇପଡୁଥିବାରୁ ଏହାର ମୂଲ୍ୟ ଦିନକୁ ଦିନ ବଢୁଥିବା କୁହାଯାଇଛି । ବ୍ଲୁମ୍ବର୍ଗ ରିପୋର୍ଟ ଅନୁଯାୟୀ ଗତବର୍ଷ ନ୍ୟୁୟର୍କ ସହରରେ କାର୍ ମାଲିକଙ୍କ ସଂଖ୍ୟା ୨୨୪ ପ୍ରତିଶତ ବୃଦ୍ଧି ପାଇଛି ।