ଭୁବନେଶ୍ୱର: ପୂର୍ବଘୋଷଣା ଅନୁସାରେ ଆସନ୍ତା ଏପ୍ରିଲ ୨୯ତାରିଖରୁ ମଇ ୭ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ଓ ଏନେଇ ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । କେଉଁଦିନ କ’ଣ ପରୀକ୍ଷା ରହିଛି ସେ ନେଇ ବୋର୍ଡ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ଜାରି କରିବା ସହ ସକାଳ ୮ଟାରୁ ୨ଘଣ୍ଟା ପାଇଁ ପରୀକ୍ଷା ହେବ । କେବଳ ଗଣିତ ବିଷୟ ପାଇଁ ପରୀକ୍ଷା ୨ଘଣ୍ଟା ୧୫ମିନିଟର ହେବ । ଏହାସହିତ ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ଜାରି କରିଛନ୍ତି ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡଙ୍କ ଦ୍ୱାରା ଜାରି କାର୍ଯ୍ୟସୂଚୀ ଅନୁସାରେ, ଆସନ୍ତା ୨୯ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ଥିବାବେଳେ ମଇ ୨ରେ ଗଣତି, ମଇ ୪ରେ ବିଜ୍ଞାନ, ମଇ ୫ରେ ପ୍ରଥମ ଭାଷା ଓଡ଼ିଆ, ମଇ ୬ରେ ତୃତୀୟ ଭାଷା ହିନ୍ଦି/ସଂସ୍କୃତ, ମଇ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ୮୦ମାର୍କ ବିଶିଷ୍ଟ ହେବ । ଏଥିରେ ୫୦ ମାର୍କ ସଂକ୍ଷିପ୍ତ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ବୋଲି ଜଣାପଡ଼ିଛି ।
ସେହିପରି ଏପ୍ରିଲ ୧୩ରୁ ନବମ ସମ୍ମେଟିଭ ପରୀକ୍ଷା–୨ ଆରମ୍ଭ ହେବ । ସକାଳ ୮ଟାରୁ ନିଜ ସ୍କୁଲରେ ନବମ ଶ୍ରେଣୀ ପିଲାମାନେ ପରୀକ୍ଷା ଦେବେ । ଏହି ପରୀକ୍ଷା ଏପ୍ରିଲ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ଦ୍ୱିତୀୟ ଭାଷା, ଏପ୍ରିଲ ୧୬ରେ ଗଣିତ, ଏପ୍ରିଲ ୧୮ରେ ବିଜ୍ଞାନ, ଏପ୍ରିଲ ୧୯ରେ ପ୍ରଥମ ଭାଷା ଓଡ଼ିଆ, ଏପ୍ରିଲ ୨୦ରେ ସାମାଜିକ ବିଜ୍ଞାନ ଓ ଏପ୍ରିଲ ୨୧ରେ ତୃତୀୟ ଭାଷା ହିନ୍ଦି ଅବା ସଂସ୍କୃତ ପରୀକ୍ଷା ରହିଛି ।
ସୂଚନାଯୋଗ୍ୟ, ଓଡ଼ିଶା ମାଧ୍ୟମିକ ବୋର୍ଡ ସଭାପତି ରାମାସିସ୍ ହଜରା ପୂର୍ବରୁ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ପାଇଁ ସମ୍ମେଟିଭ ପରୀକ୍ଷା–୨ ବାଧ୍ୟତାମୂଳକ କରାଯାଇଛି । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ତେବେ କେବଳ ରାଜ୍ୟ ମୁକ୍ତ ବିଦ୍ୟାଳୟର ସାର୍ଟିଫିକେଟ୍ ପରୀକ୍ଷା ୩ଦିନ ପାଇଁ ୨ଟି ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୮ଟାରୁ ୧୦ଟା ଓ ଦ୍ୱିତୀୟ ସିଟିଂ ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ହେବ ।