ୱାଶିଂଟନ: ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକାର ସିକ୍ରେଟ୍ ଡକ୍ୟୁମେଣ୍ଟ୍ ଲିକ୍ କରିଥିବା ବ୍ୟକ୍ତିକୁ ଏଫ୍ବିଆଇ ଗିରଫ କରିଛି । ନ୍ୟୁୟର୍କ ଟାଇମ୍ସ ଅନୁସାରେ ଗିରଫ ସୈନିକ ଜଣକ ୨୧ ବର୍ଷୀୟ ଜ୍ୟାକ୍ ଟେକ୍ସିରା । ସେ ମାସାଚୁସେଟ୍ସ ଏୟାର୍ ନାସ୍ନାଲ୍ ଗାର୍ଡର ସଦସ୍ୟ ଥିଲା । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଲିକ୍ କରିଥିବା ବ୍ୟକ୍ତି ଆମେରିକାର କୌଣସି ମିଲିଟାରୀ ବେସ୍ରେ କାମ କରୁଥିବା ଏଫ୍ବିଆଇକୁ ସୂଚନା ମିଳିଥିଲା । ଏହାପରେ ଏଫ୍ବିଆଇ ଗତ ଦୁଇଦିନ ଧରି ଜ୍ୟାକ୍ ଉପରେ ନଜର ରଖିବା ପରେ ଗୁରୁବାର ଅପରାହ୍ଣ (ଭାରତୀୟ ସମୟାନୁସାରେ ଗୁରୁବାର ବିଳମ୍ବିତ ରାତି)ରେ ସେ ଘରୁ ବାହାରିବା ମାତ୍ରେ ତାକୁ ଗିରଫ କରାଯାଇଥିଲା । ଟେକ୍ସିରା ସର୍ବପ୍ରଥମେ ଗେମର୍ସଙ୍କ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଡିସ୍କାର୍ଡର ଚାଟ୍ରୁମ୍ ‘ଠଗ୍ ସେକର୍ ସେଣ୍ଟ୍ରାଲ୍’ରେ ଏହି ଫାଇଲ୍ସ ଶେୟାର କରିଥିଲା ।